ETV Bharat / state

ମରଣଯନ୍ତା ପାଲଟିଛି ଜଲ୍ଲାରପୁର-ପହଙ୍ଗା ରାସ୍ତା, ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ଲୋକେ

author img

By

Published : Aug 21, 2023, 7:45 PM IST

ରାଜଧାନୀଠାରୁ ମାତ୍ର ୬୦ କିଲୋମିଟର ଦୂର ଅର୍ଥାତ କଟକ ଜିଲ୍ଲା ନିଆଳିରେ ରାସ୍ତାର ଅବସ୍ଥା ଶୋଚନୀୟ। ରାସ୍ତା ନିର୍ମାଣ ପାଇଁ ବ୍ୟୟବରାଦ ପାଇଁ 15 କୋଟି ବ୍ୟୟବରାଦ ହୋଇଥିଲେ ବି ସମସ୍ୟାରେ ସୁଧାର ଆସିନି। ଅଧିକ ପଢନ୍ତୁ

road problem in niali
road problem in niali

road problem in niali


ନିଆଳି: ମରଣଯନ୍ତା ପାଲଟିଛି ଜଲ୍ଲାରପୁର ଠାରୁ ପହଙ୍ଗା ରାସ୍ତା । ଛୋଟ ଛୋଟ ପୋଖରୀ ସଦୃଶ ଖାଲଖମାରେ ଭର୍ତ୍ତି ହୋଇଛି ରାସ୍ତା । ବର୍ଷା ହେଲେ ଏ ଗାଡ ଭର୍ତ୍ତି ହୋଇଯାଉଥିବାବେଳେ ଦୁର୍ଘଟଣା ହେବାର ଭୟ ରହିଛି । ଫଳରେ ବିପଦଶଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ । ଏହି ରାସ୍ତା ନିର୍ମାଣ ପାଇଁ କୋଟିକୋଟି ଟଙ୍କାର ବ୍ୟୟବରାଦ ହୋଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇନାହିଁ । ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଠିକାଦାରଙ୍କ ମନମାନି ଯୋଗୁ ରାସ୍ତାର ଏଭଳି ଦୁରାବସ୍ଥା ହୋଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

ରାଜଧାନୀଠାରୁ ମାତ୍ର ୬୦ କିଲୋମିଟର ଦୂର ଅର୍ଥାତ କଟକ ଜିଲ୍ଲା ନିଆଳି ବ୍ଳକର ଜଲ୍ଲାରପୁରଠାରୁ ପହଙ୍ଗା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । କଟକ ପୂର୍ତ୍ତ ବିଭାଗ ଅଧିନରେ ରହିଛି ଏହି ଜଲ୍ଲାରପୁର ଓ ପହଙ୍ଗା ରାସ୍ତା ।‌ ଏହି ରାସ୍ତାର ଲମ୍ବ ୧୨ କିଲୋମିଟର ରହିଥିବାବେଳେ ପୂର୍ତ୍ତ ବିଭାଗ ଏହି ରାସ୍ତା ନିର୍ମାଣ ପାଇଁ ବ୍ୟୟବରାଦ କରିଛି ପାଖାପାଖି ୧୫ କୋଟି ଟଙ୍କା । କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମାନିରେ ଚାଲିଛି ରାସ୍ତା କାମ। ଫଳରେ ଅସୁବିଧାର ଭୋଗୁଛନ୍ତି ଅଞ୍ଚଳବାସୀ ।

ଏପରିକି ବର୍ଷା ହେଲେ ରାସ୍ତାରେ ଥିବା ଖାଲଖମା ଭର୍ତ୍ତି ହୋଇଯାଉଛି। ବରିମୁଣ୍ଡଠାରେ ଏକ ବ୍ରିଜ ନିର୍ମାଣ ସାଙ୍ଗକୁ ରାସ୍ତାର ଉଭୟ ପାର୍ଶ୍ବରେ ମାଟି ଏବଂ ନୂଆ ପିଚୁ ରାସ୍ତା ନିର୍ମାଣ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ୧୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା । ଉଭୟ ପାର୍ଶ୍ଵରେ ନାଲି ମୋରମ ମଧ୍ୟ ବିଛା ଯିବାକୁ ନିର୍ଦ୍ଦେଶ ରହିଥିଲେ ବି ଏପର୍ଯ୍ୟନ୍ତ ରାସ୍ତା କାମ ୩୦ ପ୍ରତିଶତ ହୋଇନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ବରିମୁଣ୍ଡରେ ଚାଲିଥିବା ବ୍ରିଜ୍‌ କାର୍ଯ୍ୟ ଯୋଗୁଁ ତଳେ ଏକ ଅସ୍ଥାୟୀ ରାସ୍ତା ଥିବାବେଳେ ତାହା ମଧ୍ୟ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି ।

ଏହା ବି ପଢନ୍ତୁ...ଠକୁଛନ୍ତି ଠିକାଦାର, ସମ୍ପୂର୍ଣ୍ଣ ହେଉନି ସେତୁ ହନ୍ତସନ୍ତ ହେଉଛନ୍ତି 10 ପଞ୍ଚାୟତବାସୀ

ଜଲ୍ଲାରପୁର ଓ ପହଙ୍ଗା ରାସ୍ତା ଦେଇ ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲା ଭଳି ବିଭିନ୍ନ ସ୍ଥାନକୁ ଯିବା ଆସିବା ପାଇଁ ସୁବିଧା ରହିଛି। ହେଲେ ଠିକାଦାରଙ୍କ ମନମାନିରେ ରାସ୍ତାକାମ ଚାଲିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଏହାସହ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ଖାମଖିଆଲି ନୀତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ । ରାଜ୍ୟ ସରକାର ଏବଂ ୫ଟି ସଚିବ ନିଆଳି ବ୍ଳକର ଜଲ୍ଲାରପୁରଠାରୁ ପହଙ୍ଗା ରାସ୍ତାର ଦୂରାବସ୍ଥା ବିଷୟରେ ଦୃଷ୍ଟି ଦେବା ପାଇଁ ନିଆଳିବାସୀ ଦାବି କରିଛନ୍ତି । ସେପଟେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ମନୋଜ ମିଞ୍ଜ୍‌ କହିଛନ୍ତି, "ରାସ୍ତା କାମ ଖୁବଶୀଘ୍ର ଶେଷ ହେବ। ଏହାପରେ ସୁବିଧାରେ ଯିବା ଆସିବା କରିପାରିବେ ଲୋକେ ।"

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.