ETV Bharat / state

କର୍କଟ ରୋଗୀକୁ ମିଳିଲା ନୂଆ ଜୀବନ, ଅସ୍ଥିମଜ୍ଜା ପ୍ରତିରୋପଣରେ ଏସସିବିକୁ ବଡ଼ ସଫଳତା

author img

By ETV Bharat Odisha Team

Published : Jan 10, 2024, 8:16 PM IST

Bone Marrow Transplant: ବିରଳ ଅସ୍ତ୍ରୋପଚାର ଫଳରେ କର୍କଟ ରୋଗୀକୁ ମିଳିଲା ନୂଆ ଜୀବନ । ଅସ୍ଥିମଜ୍ଜା ପ୍ରତିରୋପଣ ଦିଗରେ ବଡ଼ ଧରଣ ସଫଳତା ହାସଲ କରିଛି ଏସସିବି ମେଡିକାଲ । ଅଧିକ ପଢନ୍ତୁ

Bone Marrow Transplant
ଅସ୍ଥିମଜ୍ଜା ପ୍ରତିରୋପଣ

ଅସ୍ଥିମଜ୍ଜା ପ୍ରତିରୋପଣ

କଟକ: ପୁଣି ଇତିହାସ ରଚିଲା ଏସସିବି ବଡ଼ ମେଡିକାଲ । ବିରଳ ଅସ୍ତ୍ରୋପଚାର ଫଳରେ କର୍କଟ ରୋଗୀକୁ ମିଳିଲା ନୂଆ ଜୀବନ । ଅସ୍ଥିମଜ୍ଜା(Bone Marrow) ପ୍ରତିରୋପଣ ପ୍ରଣାଳୀରେ ଜଣେ କର୍କଟ ରୋଗୀଙ୍କ ଜୀବନ ବଞ୍ଚିପାରିଛି । ଏହି ପ୍ରତିରୋପଣ ପାଇଁ ଭାଇ ହିଁ ସାଜିଥିଲା ସଂଜୀବନି । ଯାହାକୁ ନେଇ ଏହି ବିରଳ ଅସ୍ତ୍ରୋପଚାର କରି ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଆଉ ଗୋଟିଏ ପାଦ ଆଗକୁ ବଢିଛି କଟକ ବଡ଼ ମେଡିକାଲ । ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା କଣ୍ଟାମାଳିମ ଅଞ୍ଚଳର ଶୁଭ୍ରାଂଶୁ ସବ୍ୟସାଚୀ ସାହୁ 2019ରୁ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ । ଏହାପରେ ସେ ଏସସିବିରେ ଚିକିତ୍ସା ହୋଇ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଥିଲେ । କିନ୍ତୁ 2022 ମସିହାରେ ମଧ୍ୟ ପୁଣି ଅସୁସ୍ଥ ହୋଇ ପଡିଥଲେ ।

ଯେହେତୁ କର୍କଟ ରୋଗ ତୃତୀୟ ଷ୍ଟେଜ୍ ରହିଥିଲା ଓ କେମୋ ଥେରୋପି ଶେଷ ହୋଇଥିଲା, ତେଣୁ ଭଗବାନଙ୍କ ଭରସାରେ ପୁଅକୁ ଛାଡି ଦେଇଥିଲେ ପରିବାର ଲୋକେ । କିନ୍ତୁ ଏସସିବି ମେଡିକାଲରେ ଅସ୍ଥିମଜ୍ଜା ପ୍ରତିରୋପଣର ସଫଳ ଅସ୍ତ୍ରୋପଚାର ପରେ ଏକ ନୂଆ ଜୀବନ ପାଇଛନ୍ତି ଶୁଭ୍ରାଂଶୁ ସବ୍ୟସାଚୀ । ତେବେ ସେ ରକ୍ତ କର୍କଟରେ ଆକ୍ରାନ୍ତ ହେବା ପରଠୁ ହିଁ ତାଙ୍କୁ ସୁସ୍ଥ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ ତାଙ୍କ ଭାଇ । ଅସ୍ଥିମଜ୍ଜା ପ୍ରତିରୋପଣ ନକଲେ ସବ୍ୟସାଚୀଙ୍କ ବଞ୍ଚିବା ମଧ୍ୟ କଷ୍ଟସାଧ୍ୟ ବୋଲି ଡାକ୍ତର କହିଥିଲେ ।

ଏନେଇ ଏସସିବି ମେଡିକାଲ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, "ଏହି ପ୍ରତିରୋପଣର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଷ୍ଟେମ ସେଲ୍ । ଯାହା ରୋଗୀ ସହ ମ୍ୟାଚ ହେବା ଆବଶ୍ୟକ । ସବ୍ୟସାଚୀଙ୍କ ଷ୍ଟେମ୍ ସେଲ ସହ ପ୍ରଭୁଦତ୍ତଙ୍କ ସେଲ 50% ମିଶୁଥିବାରୁ ସାନ ଭାଇ ହିଁ ବଡ଼ ଭାଇକୁ ଦେଇଥିଲେ ଷ୍ଟେମ ସେଲ । ଯାହାଦ୍ୱାରା ଏକ ବିରଳ ଅସ୍ତ୍ରୋପଚାର ସମ୍ଭବ ହୋଇ ପାରିଛି । 8 ଦିନ ପୂର୍ବରୁ ଏହି ଅପରେସନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।"

ଏହା ମଧ୍ୟ ପଢନ୍ତୁ...ଏସସିବିରେ ସଫଳ ଅସ୍ତ୍ରୋପଚାର: ଯୁବକଙ୍କ ହାତ ହାଣିଦେଲେ ଦୃର୍ବୃତ୍ତ, ଯୋଡ଼ିଦେଲେ ଡାକ୍ତର

"ମେଡିକାଲର ବିଭିନ୍ନ ବିଭାଗର ସହଯୋଗରେ ଏହି ବିରଳ ଅସ୍ତ୍ରୋପଚାର ସମ୍ଭବ ହୋଇ ପାରିଛି । ଏହି ଅପରେସନ ପାଇଁ ଅନେକ ଚ୍ୟାଲେଞ୍ଜ ରହିଥିବାବେଳେ ସମସ୍ତ ବିଭାଗର ସହଭାଗୀତା ସଫଳତା ଆଣିଦେଇଛି । ଯାହା ସମ୍ପୂର୍ଣ୍ଣ ମାଗଣାରେ ହୋଇଛି" ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟ ରବୀନ୍ଦ୍ର କୁମାର ଜେନା । ତେବେ ରାଜ୍ୟ ସରକାରଙ୍କ ସହାୟତା ରେ ଆଗମୀ ଦିନରେ କଟକ ବଡ଼ ମେଡିକାଲରେ ଅସ୍ଥିମଜ୍ଜା ପ୍ରତିରୋପଣ ପ୍ରକ୍ରିୟା ଏକ ବିଶ୍ଵବ୍ୟାପୀ ରେକର୍ଡ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.