ETV Bharat / state

ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା: ଟାସ୍କ ଫୋର୍ସ ପକ୍ଷରୁ ସତ୍ୟପାଠ ଦାଖଲ, 15ରେ ପରବର୍ତ୍ତୀ ଶୁଣାଣି

author img

By

Published : Nov 11, 2022, 1:18 PM IST

ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା । ଜଏଣ୍ଟ ଟାସ୍କ ଫୋର୍ସ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ । ଆସନ୍ତା 15 ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ଅଧିକ ପଢ଼ନ୍ତୁ

odisha high court hearing on elephant death
ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା: ସତ୍ୟପାଠ ଦାଖଲ, 15ରେ ପରବର୍ତ୍ତୀ ଶୁଣାଣି

କଟକ: ରାଜ୍ୟରେ ହାତୀ ମୃତ୍ୟୁ ସମ୍ପର୍କିତ ମାମଲାରେ ଜଏଣ୍ଟ ଟାସ୍କ ଫୋର୍ସ(Joint Task Force) ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ । ଆସନ୍ତା 15 ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ଜଏଣ୍ଟ ଟାସ୍କ ଫୋର୍ସର ସମସ୍ତ ସଦସ୍ୟ ପରବର୍ତ୍ତୀ ଶୁଣାଣିରେ ଭିଡ଼ିଓ କନଫରେନ୍ସରେ ଉପସ୍ଥିତ ରହିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାତୀଙ୍କ ସୁରକ୍ଷା ନେଇ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ମାତ୍ର ଥମୁନି ହାତୀ ମୃତ୍ୟୁ । ଏହି ପ୍ରସଙ୍ଗକୁ ହୋଇକୋର୍ଟ ଗୁରୁତର ସହ ନେଇଛନ୍ତି ।

ହାତୀ ସୁରକ୍ଷା ସମ୍ପର୍କିତ ମାମଲାର ଶୁଣାଣି କରି ସତ୍ୟପାଠ ମାଧ୍ୟମରେ ରିପୋର୍ଟ ଦାଖଲ କରିବାକୁ ପୂର୍ବ ଶୁଣାଣିରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାତୀ ମୃତ୍ୟୁ ଘଟଣାରେ କେତେଗୋଟି ଫୌଜଦାରୀ ମାମଲା ରୁଜୁ କରାଯାଇଛି, କେତେ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ଏବଂ ଗିରଫ ପରେ ମାମଲାର କଣ ଅଗ୍ରଗତି କରାଯାଇଛି ସେନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର ଗଠନ କରିଥିବା JTF(ଜଏଣ୍ଟ ଟାକ୍ସଫୋର୍ସ)ର ଅତିରିକ୍ତ ଏସ୍ପିଙ୍କୁ ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ବିଶେଷକରି ହାତୀ ମୃତ୍ୟୁ ରୋକିବା ପାଇଁ କେଉଁ ପ୍ଲାନ ଗଠନ କରାଯାଇଛି ସେନେଇ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ହାତୀ ଶିକାର ଘଟଣାରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପକୁ ନେଇ ହା‌ଇକୋର୍ଟ ପୂର୍ବରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ମାମଲାରେ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍ ୱାଇଲ୍ଡ ଲାଇଫ୍‌) ଦାଖଲ କରିଥିବା ସତ୍ୟପାଠରେ ଗତ ୫ ବର୍ଷରେ ହାତୀ ଶିକାର ନେଇ ୧୪ଟି ମାମଲା ରୁଜୁ ହୋଇଥିବା ଦର୍ଶାଯାଇଥିଲା । ଏଥିରୁ ମାତ୍ର ଗୋଟିଏ ମାମଲାରେ ଅଦାଲତରେ ଟ୍ରାଏଲ ଆରମ୍ଭ ହୋଇଥିବା ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା । ଏହି ପ୍ରସଙ୍ଗକୁ ନେଇ ରୁଜୁ ହୋଇଥିବା ମାମଲା ଗୁଡିକର ଅଗ୍ରଗତି ସନ୍ତୋଷଜନକ ନୁହେଁ ବୋଲି ହାଇକୋର୍ଟ ପୂର୍ବରୁ କହିଥିଲେ ।

ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ଏହି ସବୁ ମାମଲାରେ ଗିରଫ ଅଭିଯୁକ୍ତମାନେ ଏବେ ଜେଲରେ ଅଛନ୍ତି ନା ଜାମିନ ପାଇଛନ୍ତି ସେନେଇ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ । କିନ୍ତୁ ଅଭିଯୁକ୍ତଙ୍କ ଜାମିନ ପ୍ରସଙ୍ଗରେ ରାଜ୍ୟ ସରକାର ଜବାବ ରଖି ପାରି ନଥିଲେ । ଏଥିସହିତ ଗୁଳିମାଡରେ ହାତୀ ମୃତ୍ୟୁ ମାମଲାରେ ବେଆଇନ ବନ୍ଧୁକ ବ୍ୟବହାର ହେଉଥିଲେ ମଧ୍ୟ ଆର୍ମସ୍ ଆକ୍ଟରେ କାହିଁକି ଗୋଟିଏ ବି ମାମଲା ରୁଜୁ ହୋଇ ନାହିଁ ତାହା ମଧ୍ୟ ବନ ବିଭାଗ ତରଫରୁ କୌଣସି ସନ୍ତୋଷଜନକ ଜବାବ ମିଳିନଥିଲା । ଏଭଳି ସ୍ଥିତିରେ ହାଇକୋର୍ଟ କହିଥିଲେ ଯେ ରାଜ୍ୟରେ ବିଗତ କିଛି ଦିନରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାଜନକ ବିଷୟ ।

ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନିଆଯିବା ଉଚିତ । ବହୁ କ୍ଷେତ୍ରରେ ବନ୍ଧୁକ ଗୁଳିରେ ହାତୀ ମୃତାହତ ହେଉଥିବା ଦେଖା ଯାଉଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଆର୍ମସ୍ ଆକ୍ଟ କିନ୍ତୁ ମାମଲାରେ ପ୍ରୟୋଗ କରାଯାଉ ନାହିଁ ବୋଲି ହାଇକୋର୍ଟ କହିଥିଲେ । ବନ୍ୟପ୍ରାଣୀ ସୁରକ୍ଷା ଆଇନ ଏବଂ ଆର୍ମସ୍ ଆକ୍ଟ ସମେତ ଅନ୍ୟ ଆଇନ କଡ଼ାକଡ଼ି କାର୍ଯ୍ୟକାରୀ ପାଇଁ ଆଇନ କାର୍ଯ୍ୟକାରୀ ବ୍ୟବସ୍ଥାକୁ ସକ୍ରିୟ କରିବାକୁ ଉଦ୍ୟମ କରାଯିବା ଆବଶ୍ୟକ ।

ଏହା ମଧ୍ୟ ପଢ଼ନ୍ତୁ: ହାତୀ ମୃତ୍ୟୁ ରୋକିବାକୁ ଗଠନ ହେବ JTF, ହାଇକୋର୍ଟଙ୍କୁ ସତ୍ୟପାଠ ଦେଲେ ଡିଜିପି

ଉଲ୍ଲେଖ ଯୋଗ୍ୟ, ଅଗଷ୍ଟ ୬ରେ ପିସିସିଏଫଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଗତ ୫ ବର୍ଷରେ ଆଠଗଡ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ବୌଦ୍ଧ, ଘୁମୁସର (ଉତର) ଡିଭିଜନରେ ବେଆଇନ ହାତୀ ଶିକାର କରାଯାଇଥିବା ଦର୍ଶାଯାଇଥିଲା । ୨୦୧୮ ରୁ ୨୦୨୨ ମଧ୍ୟରେ ୧୪ଟି ମାମଲା ରୁଜୁ କରାଯାଇ ୨୯ ଜଣଙ୍କୁ ଗିରଫ କରାଯାଇଛି ବୋଲି ଉଲ୍ଲେଖ କରାଯାଇଥିଲା । ଗତ ଜୁଲାଇ ୨୫ରେ ହାଇକୋର୍ଟ ଏ ସମ୍ପର୍କିତ ମାମଲାର ଶୁଣାଣି କରି ପିସିସିଏଫଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଗତ ୫ ବର୍ଷରେ ପ୍ରତ୍ୟେକ ହାତୀ ଶିକାର ଘଟଣାର ବିସ୍ତୃତ ବିବରଣୀ ସତ୍ୟପାଠରେ ଦେବା ପାଇଁ ହାଇକୋର୍ଟ କହିଥିଲେ । ହାତୀ ଶିକାର ଘଟଣାର ସ୍ଥାନ/ଅଞ୍ଚଳ, ଗ୍ରହଣ କରାଯାଇଥିବା ପଦକ୍ଷେପ ଯଥା ଏତଲା ପଞ୍ଜୀକରଣ, ସନ୍ଦିଗ୍ଧଙ୍କ ତାଲିକା, ଗିରଫ ଅଭିଯୁକ୍ତଙ୍କ ବିବରଣୀ, ଦାଖଲ କରାଯାଇଥିବା ଚାର୍ଜସିଟ, କେଉଁ ଅଦାଲତରେ ମାମଲା ବିଚାରାଧୀନ ରହିଛି, ଟ୍ରାଏଲର ଷ୍ଟାଟସ୍, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ମାମଲା ସଂକ୍ରାନ୍ତରେ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ କହିଥିଲେ । ଏଥିସହ ୱାଇଲ୍ଡ ଲାଇଫ କ୍ରାଇମ ସେଲ୍ ପ୍ରସଙ୍ଗରେ ମଧ୍ୟ ତଥ୍ୟ ଦେବାକୁ ହାଇକୋର୍ଟ କହିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.