ETV Bharat / state

ଜାନୁଆରୀରୁ ଏଯାଏଁ ରାଜ୍ୟରେ ୧୪ ହାତୀଙ୍କ ମୃତ୍ୟୁ, ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

author img

By

Published : Mar 13, 2023, 7:46 PM IST

ହାତୀ ମୃତ୍ୟୁ ମାମଲାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି ଓଡିଶା ହାଇକୋର୍ଟ । ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୦ ତାରିଖରେ ହେବ । ଅଧିକ ପଢନ୍ତୁ

odisha high court
odisha high court

odisha high court

କଟକ: ରାଜ୍ୟରେ ଗଜରାଜ ଅସୁରକ୍ଷିତ ହୋଇ ପଡ଼ିଛନ୍ତି । ଏହି ବିଷୟକୁ ଓଡିଶା ହାଇକୋର୍ଟରେ ଗୁରୁତ୍ୱର ସହ ନେଇଛନ୍ତି । ହାତୀ ମୃତ୍ୟୁ ମାମଲାର ଶୁଣାଣି କରିବା ବେଳେ ହାଇକୋର୍ଟ ରାଜ୍ୟର ବିଭିନ୍ନ ବନଖଣ୍ଡରେ ଗତ ଜାନୁଆରୀ ୧୮ରୁ ଏପର୍ଯ୍ୟନ୍ତ କେତେ ହାତୀ ମରିଛନ୍ତି ଓ କେତେ ମଣିଷ ଜୀବନ ଯାଇଛି ସେ ସମ୍ପର୍କରେ ତଥ୍ୟ ମାଗିଛନ୍ତି । ହାଇକୋର୍ଟ ମାମଲାର ଷ୍ଟାଟସ ରିପୋର୍ଟ ମାଗିଥିବା ବେଳେ ଏହି ସମୟ ମଧ୍ୟରେ ୧୪ଟି ହାତୀ ମରିଥିବା ଜଣାଇଛନ୍ତି ଜଏଣ୍ଟ ଟାସ୍କ୍‌ଫୋର୍ସ ଟିମ ।

ତେବେ ମୃତକ ୧୪ଟି ହାତୀଙ୍କ ମଧ୍ୟରୁ ଶିକାରୀଙ୍କ ଦ୍ୱାରା 2ଟି ହାତୀ ଶିକାର ହୋଇଥିବା ବେଳେ ବିଦ୍ୟୁତ ଆଘାତରେ ୪ଟି, ରୋଗାଗ୍ରସ୍ତ ହୋଇ ୩ଟି ହାତୀଙ୍କର ମୃତ୍ୟୁ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଛି । ଏହା ସହିତ ହାତୀ ଆକ୍ରମଣରେ ୧୪ରୁ ୧୮ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ଜଏଣ୍ଟ ଟାସ୍କ୍‌ଫୋର୍ସର ଆବାହକ ମନୋଜ ନାୟର ଏହି ତଥ୍ୟ ହାଇକୋର୍ଟଙ୍କୁ ପ୍ରଦାନ କରିଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ, ପରବର୍ତ୍ତୀ ଶୁଣାଣି ପାଇଁ ଏପ୍ରିଲ ୨୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି ।

ଏଥିସହ ବନ କର୍ମଚାରୀ ତୁରାମ ପୁର୍ତ୍ତି ଆତ୍ମହତ୍ୟା ମାମଲାରେ ତାଙ୍କ ପତ୍ନୀଙ୍କ ଅଭିଯୋଗ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ତଥ୍ୟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଜଶିପୁର ଥାନା ଅଧିକାରୀ ହାଜର ହୋଇ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କେବଳ ସେତିକି ନୁହେଁ, ବିଦ୍ୟୁତ ଆଘାତ ଯୋଗୁଁ ହେଉଥିବା ହାତୀ ମୃତ୍ୟୁ ଘଟଣାରେ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ରାଜ୍ୟର ୫ଟି ବିଦ୍ୟୁତ ବିତରଣ କମ୍ପାନୀକୁ ନୋଟିସ ମଧ୍ୟ ଜାରି କରିଛନ୍ତି କୋର୍ଟ । ବିଶେଷକରି ବନ ବିଭାଗ ଅଞ୍ଚଳରେ କିପରି ବିଦ୍ୟୁତ ବଣ୍ଟନ କରାଯାଇଛି ଓ କାହିଁକି ହାତୀ ମୃତ୍ୟୁ ହେଉଛି, ସେ ସମ୍ପର୍କରେ ହାଇକୋର୍ଟରେ ତଥ୍ୟ ରଖିବାକୁ ବିଦ୍ୟୁତ ବିତରଣ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ ।

ପୂର୍ବରୁ ଶୁଣାଣି ସମୟରେ ଶିମିଳିପାଳରେ ହାତୀକୁ ମାରି ପୋଡ଼ିଦେବା ଘଟଣାକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ପିସିସିଏଫ କୋର୍ଟରେ ସ୍ୱୀକାର କରିଥିଲେ ଯେ ବନ କର୍ମଚାରୀମାନେ ଏହି ହାତୀକୁ ମାରିବା ସହ ପୋଡି ଦେଇଛନ୍ତି । ୨୦୧୮ରୁ ୨୦୨୨ ମଧ୍ୟରେ ୧୪ଟି ମାମଲା ରୁଜୁ କରାଯାଇ ୨୯ ଜଣଙ୍କୁ ଗିରଫ କରାଯାଇଛି ବୋଲି ଉଲ୍ଲେଖ କରାଯାଇଥିଲା । ଏଥିସହ ଜୁଲାଇ ୨୫ରେ ହାଇକୋର୍ଟ ଏ ସମ୍ପର୍କିତ ମାମଲାର ଶୁଣାଣି କରି ପିସିସିଏଫଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଗତ ୫ ବର୍ଷରେ ପ୍ରତ୍ୟେକ ହାତୀ ଶିକାର ଘଟଣାର ବିସ୍ତୃତ ବିବରଣୀ ସତ୍ୟପାଠରେ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାତୀ ଶିକାର ଘଟଣାର ସ୍ଥାନ/ଅଞ୍ଚଳ, ଗ୍ରହଣ କରାଯାଇଥିବା ପଦକ୍ଷେପ ଯଥା ଏତଲା ପଞ୍ଜୀକରଣ, ସନ୍ଦିଗ୍ଧଙ୍କ ତାଲିକା, ଗିରଫ ଅଭିଯୁକ୍ତଙ୍କ ବିବରଣୀ, ଦାଖଲ କରାଯାଇଥିବା ଚାର୍ଜସିଟ, କେଉଁ ଅଦାଲତରେ ମାମଲା ବିଚାରାଧୀନ ରହିଛି, ଟ୍ରାଏଲର ଷ୍ଟାଟସ୍, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ମାମଲା ସଂକ୍ରାନ୍ତରେ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ କହିଥିଲେ । ୱାଇଲ୍ଡ ଲାଇଫ କ୍ରାଇମ ସେଲ୍ ପ୍ରସଙ୍ଗରେ ମଧ୍ୟ ତଥ୍ୟ ଦେବାକୁ ହାଇକୋର୍ଟ କହିଥିଲେ । ତେବେ ଆଜିର ଶୁଣାଣି ସମୟରେ ଭର୍ଚୁଆଲ ମାଧ୍ୟମରେ ଜଏଣ୍ଟ ଟାସ୍କଫୋର୍ସର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.