ETV Bharat / state

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା, ଛାତ୍ରୀଙ୍କ ବାପାଙ୍କ ବୟାନକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ

author img

By ETV Bharat Odisha Team

Published : Aug 23, 2023, 10:19 PM IST

ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣାର ତଦନ୍ତକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ଏହି ଘଟଣାରେ ନାବାଳିକାଙ୍କ ବାପା ପୋଲିସକୁ ମିଥ୍ୟା ତଥ୍ୟ ଦେଇଥିଲେ ମଧ୍ୟ ତାଙ୍କ ବିରୋଧରେ ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ଅଧିକ ପଢ଼ନ୍ତୁ

mahanga minor girl death case
ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା

କଟକ: ମାହାଙ୍ଗା ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଜେଲ୍‌ ଗଲେ ଦୁଇ ଅଭିଯୁକ୍ତ । ମଙ୍ଗଳବାର ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଶରତ ନାୟକ ଓ ଅନୁପମ ରାୟଙ୍କୁ ଜେଲ୍‌ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟକର କଥା ହେଉଛି ମୃତକଙ୍କ ବାପାଙ୍କ ବୟାନ । କାରଣ ଏହି ଘଟଣାରେ ପୋଲିସ୍‌କୁ ମିଥ୍ୟା ତଥ୍ୟ ଦେଇଥିଲେ ନାବାଳିକାଙ୍କ ବାପା । ତାଙ୍କ ବିରୋଧରେ ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି । ଯାହାକୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ । ପୋଲିସ କେବଳ ଲୋକ ଦେଖାଣିଆ ଭାବେ ତଦନ୍ତ କରୁଥିବା ବିରୋଧୀ ଅଭିଯୋଗ କରିଥିବା ବେଳେ ଅଭିଯୁକ୍ତମାନଙ୍କୁ ଦୋଷ ସାବ୍ୟସ୍ତ କରିବା ପାଇଁ ଆହୁରି ଅଧିକ ପ୍ରମାଣର ଆବଶ୍ୟକତା ରହିଥିବା କହିଛନ୍ତି ଆଇନଜୀବୀ ।


ମାହାଙ୍ଗା ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ହେବା ପରେ ବି ଥମୁ ନାହିଁ ବିବାଦ । କାରଣ ନାବାଳିକାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ କ୍ରୀଡ଼ା ଶିକ୍ଷକ ଅନୁପମ ରାୟ ଓ ପ୍ରମାଣ ନଷ୍ଟ କରିବା ଓ ତଥ୍ୟ ଲୁଚାଇବା ଅଭିଯୋଗରେ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଶରତ ନାୟକଙ୍କୁ ପୋଲିସ ଗିରଫ କରିଛି । କିନ୍ତୁ ନାବାଳିକାଙ୍କ ମୃତ୍ୟୁ, ଆତ୍ମହତ୍ୟା ବୋଲି ତଦନ୍ତରୁ ଜଣା ପଡ଼ିଥିବା ବେଳେ ଜାଣିଶୁଣି ପୋଲିସକୁ ମିଛ ତଥ୍ୟ ଦେଇ ଥିବା ନାବାଳିକାଙ୍କ ବାପାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଘଟଣାକୁ ନେଇ ସୃଷ୍ଟି ହୋଇଛି କମ୍ପନ । ଆଉ ଏହାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି ବିରୋଧୀ । ବାତ ମାରିବା ଯୋଗୁଁ ଝିଅ ପ୍ରାଣ ହରାଇଥିବା କଥା କହିଥିଲେ ନାବାଳିକାଙ୍କ ବାପା । କେବଳ ସେତିକି ନୁହେଁ, ପୋଲିସକୁ ନଜଣାଇ ମୃତଦେହ ପୋଡ଼ିବା ନିଷ୍ପତ୍ତି ବି କୁଆଡେ ତାଙ୍କର ହିଁ ଥିଲା । ତେବେ ଏହା ଏକ ଅନର କିଲିଂ ମାମଲା । କିନ୍ତୁ ପୋଲିସ ଲୋକ ଦେଖାଣିଆ ଭାବେ ତଦନ୍ତ କରି କେବଳ ଶରତ ନାୟକ ଓ ଅନୁପମ ରାୟଙ୍କୁ ଗିରଫ କରି ମାମଲାକୁ ରଫାଦଫା କରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ।

ଏହା ମଧ୍ୟ ପଢ଼ନ୍ତୁ: ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା: ଶରତ ନାୟକ ଓ ପିଇଟି ଶିକ୍ଷକ ଗିରଫ

ଏହି ମାମଲାରେ ପୋଲିସ ଆଇପିସିର ଧାରା ୧୭୬, ୧୭୭, ୩୫୪ଡି, ୩୦୫, ୨୦୧ ଆଇପିସି ଓ ୧୨ ପୋକ୍ସୋ ଆଇନ ବଳରେ ଶରତ ନାଏକ ଓ ଅନୁପମଙ୍କୁ ଗିରଫ କରିଛି । ଅନ୍ୟପଟେ ନାବାଳିକାଙ୍କର ଯେଉଁ ହାତ ଲେଖା ଚିଠି ଭାଇରାଲ ହେଉଛି ସେହି ଚିଠିକୁ ନେଇ ପୋଲିସ ପ୍ରଶ୍ନ ଉଠାଇଛି । ମୂଳ ଚିଠିକୁ ପୋଲିସ ଖୋଜୁଥିବାବେଳେ ଭାଇରାଲ ହୋଇଥିବା ଚିଠି କାହାର ତା’ର ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏହା ବ୍ୟତୀତ ଭାଇରଲ ଅଡିଓ ଏବଂ ଜବତ ହୋଇ ଥିବା କିଛି ମୋବାଇଲ ହ୍ୟାଣ୍ଡସେଟ୍‌କୁ ଯାଞ୍ଚ ପାଇଁ SFSLକୁ ପଠା ଯାଇଛି । ତେବେ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଆହୁରି ଅଧିକ ପ୍ରମାଣର ଆବଶ୍ୟକତା ରହିଛି । ନଚେତ ଏହି ଘଟଣାରେ ଅଭିଯୁକ୍ତମାନେ ସହଜରେ ଆଉ ନିର୍ଦ୍ଦୋଷରେ ଖଲାସ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଏହି ଘଟଣାକୁ ସମୀକ୍ଷା କଲେ ଅଭିଯୁକ୍ତଙ୍କ ବିରୋଧରେ ସେତେଟା ପ୍ରମାଣ ସଂଗ୍ରହ କରିବା ପୋଲିସ ପାଇଁ କଷ୍ଟକର ହୋଇପାରେ । ଯେଉଁ କାରଣରୁ ଅଭିଯୁକ୍ତମାନେ ସହଜରେ ଖସି ଯାଇପାରନ୍ତି ବୋଲି ଆଇନଜୀବୀ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.