ETV Bharat / state

ଝୁଲିଲା କନେଷ୍ଟବଳ ନିଯୁକ୍ତି ! ମାମଲାର ଫଳାଫଳ ଉପରେ ନିର୍ଭର କରିବ ନିଯୁକ୍ତି ପ୍ରକ୍ରିୟା

author img

By

Published : Mar 29, 2023, 8:14 PM IST

କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଣି କରିଛନ୍ତି ହାଇକୋର୍ଟ । ନିଯୁକ୍ତି ପ୍ରକ୍ରିୟା ଜାରି ରହିଲେ ମାମଲାର ଫଳାଫଳ ଉପରେ ନିର୍ଭର କରିବ । ଅଧିକ ପଢ଼ନ୍ତୁ

odidha constable recruitment case
କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ମାମଲା

କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ମାମଲା

କଟକ: କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଓଡିଶା ପୋଲିସ କନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଲେ ମଧ୍ୟ ସମସ୍ତ ନିଯୁକ୍ତି ହାଇକୋର୍ଟରେ ଚାଲିଥିବା ମାମଲାର ଫଳାଫଳ ଉପରେ ନିର୍ଭର କରିବ । ଆବେଦନକାରୀଙ୍କ ମାମଲାର ଶୁଣାଣି କରି ହାଇକୋର୍ଟ ଏହା ସ୍ପଷ୍ଟ କରିଛନ୍ତି । ଓଡିଶା ପୋଲିସର ଗ୍ରୁପ-ଡି ଏବଂ ଗୃହରକ୍ଷୀମାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ମାମଲା ବିବାରଣୀରୁ ଜଣାପଡିଛି ଯେ, ଗତ ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୪୭୯୩ଟି କନଷ୍ଟେବଳ ପଦବୀ ପାଇଁ ୩୦ ସେପ୍ଟେମ୍ବର ୨୦୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତିରେ ଗ୍ରୁପ-ଡି ଏବଂ ଗୃହରକ୍ଷୀ ଭାବେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ୧୦ ପ୍ରତିଶତ ହାରରେ ଉଭୟ ବର୍ଗଙ୍କ ପାଇଁ ୪୭୯ଟି ଲେଖାଏଁ ପଦବୀ ସଂରକ୍ଷିତ ରହିଥିଲା । ଏହାର ଲିଖିତ ପରୀକ୍ଷା ମଧ୍ୟ କରାଯାଇ ସାରିଛି । ତେବେ ଲିଖିତ ପରୀକ୍ଷା ପରେ କ୍ୱାଲିଫାଇଂ ମାର୍କ ଆଧାରରେ ଚୟନ କରାଯାଇ, କେତେକ ଜିଲ୍ଲାରେ ଶାରୀରିକ ପରୀକ୍ଷା ମଧ୍ୟ କରାଯାଉଛି । ସେହିପରି ଉକ୍ତ ବିଜ୍ଞପ୍ତିରେ କ୍ୱାଲିଫାଇଂ ମାର୍କ କଥା ସ୍ପଷ୍ଟ ହୋଇନଥିବା ବେଳେ ପରବର୍ତ୍ତୀ ସମୟରେ ଲାଗୁ କରାଯିବାକୁ ବିରୋଧ କରି ବିଶାଳ ମୁଣ୍ଡା ଏବଂ ଅନ୍ୟମାନଙ୍କ ପକ୍ଷରୁ ହାଇକୋର୍ଟରେ ଏକାଧିକ ମାମଲା ଦାଖଲ ହୋଇଥିଲା । ଏହି ମାମଲାର ବିଚାର ପାଇଁ ହାଇକୋର୍ଟ ନିଷ୍ପତ୍ତି ନେଇଥିଲେ । ରାଜ୍ୟ ସରକାରଙ୍କୁ ଏନେଇ ପୂର୍ବରୁ ଜବାବ ତଲବ ମଧ୍ୟ କରିଥିଲେ । ତେଣୁ ଆଜି ଏହାର ରାୟ ଶୁଣାଣି କରି ନିଯୁକ୍ତି ପ୍ରକ୍ରିୟା, ଏହି ମାମଲା ଗୁଡିକର ଫଳାଫଳ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

ଏନେଇ ଆବେଦନକାରୀଙ୍କ ଓକିଲ କହିଛନ୍ତି, "ଆସନ୍ତା ମାସ ତୃତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ସବୁଠାରୁ ବଡ଼ କଥା ହେଉଛି, କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ପାଇଁ ଯେଉଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ସେଥିରେ କଟ୍‌ ଅଫ୍‌ ମାର୍କକୁ ଚ୍ୟାଲେଞ୍ଜ କରିଥିଲେ ଆବେଦନକାରୀ । ରାଜ୍ୟର ଅନେକ ଜିଲ୍ଲାରେ ଏହିଭଳି ସମାନ ଅଭିଯୋଗ ହୋଇଛି ।" ସେହିପରି ପୁରୀ ଜିଲ୍ଲାରେ କାର୍ଯ୍ୟରତ ଜଣେ ମହିଳା ଗୃହରକ୍ଷୀ ମଧ୍ୟ ଏହି ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । କୋର୍ଟ ମଧ୍ୟ ମହିଳା ଗୃହରକ୍ଷୀଙ୍କ ଆବେଦନକୁ ଗ୍ରହଣ କରି ଏହାର ଜବାବ ତଲବ କରିଥିଲେ । ବାସ୍ତବରେ ଏନେଇ କଣ ତଥ୍ୟ ରହିଛି ସେ ସମ୍ପର୍କରେ କୋର୍ଟରେ ତଥ୍ୟ ରଖିବାକୁ ରାଜ୍ୟ ସରକାରଙ୍କୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।


ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.