ETV Bharat / state

ଫୋନ ବନ୍ଦ କରି ଲୁଚିଛନ୍ତି ସୌରିନ, ଖୋଜିବାକୁ କୋଲକାତା ଗଲା ପୋଲିସ

author img

By

Published : Jun 21, 2023, 2:14 PM IST

Updated : Jun 21, 2023, 2:20 PM IST

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ମାମଲା । ସୌରିନଙ୍କ ମୋବାଇଲ ବନ୍ଦ ଥିବାରୁ ରାଜ୍ୟ ବାହାରେ ଖୋଜୁଛି ପୋଲିସ । ଅଧିକ ପଢନ୍ତୁ

ସୌରିନ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ମାମଲା
ସୌରିନ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ମାମଲା

ସୌରିନ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ମାମଲା

କଟକ: ଓଲିଉଡ଼ର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ମାମଲା । ଥାନାରେ ଅଭିଯୋଗ ପରଠୁ ସୌରିନଙ୍କ ମୋବାଇଲ ନମ୍ବର ସୁଇଚ୍ ଅଫ ରହିଛି । ନିଜ ମୋବାଇଲ ବନ୍ଦ କରି ସେ ଲୁଚିଛନ୍ତି । ସେ ରହୁଥିବା କଟକ ସିଡିଏ ଘର ମଧ୍ୟ ବନ୍ଦ ରହିଛି । ବାରମ୍ବାର ଖବର ଦେବା ସତ୍ତ୍ବେ ସୌରିନ ପୋଲିସକୁ ସହଯୋଗ କରୁନାହାନ୍ତି । ତେଣୁ ଏବେ ତାଙ୍କୁ ଖୋଜିବାକୁ ରାଜ୍ୟ ବାହାରକୁ ଯାଇଛି କମିଶନରେଟ ପୋଲିସର ଏକ ଟିମ୍ । ପୋଲିସ କଣ୍ଠଶିଳ୍ପୀକୁ ଗିରଫ କରି ଓଡ଼ିଶା ଆଣିବ ବୋଲି ସୂଚନା ଦେଇଛନ୍ତି କଟକ ଜୋନ ୨ ଏସିପି ।

କଣ୍ଠଶିଳ୍ପୀ ସୌରିନଙ୍କ ବିରୋଧରେ ଯୌନ ଶୋଷଣ ମାମଲା ରୁଜୁ କରିଥିବା କଟକ ମହିଳା ଥାନା ପୋଲିସ ଏହି ଘଟଣାର ତନାଘନା ଆରମ୍ଭ କରିଦେଇଛି । ଫେରାର ଥିବା ସୌରିନ ଭଟ୍ଟଙ୍କୁ ଠାବ କରିବା ପାଇଁ କମିଶନରେଟ ପୋଲିସ ଟିମ୍ କୋଲକାତା ଯାଇଛି । ପ୍ରଥମେ ସୌରିନଙ୍କୁ ଠାବ କରିବା ପରେ ତାଙ୍କୁ ଗିରଫ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଏସିପି ଅମିତାଭ ମହାପାତ୍ର । ସୌରିନ ନିଜ ମୋବାଇଲ ସୁଇଚ୍ ଅଫ ରଖିଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ । ପୋଲିସ ପ୍ରଥମେ କୋଲକାତା ସ୍ଥିତ ବାସଭବନକୁ ଯାଇ ସେଠାରେ ଖୋଜାଖୋଜି କରିବ । ଯଦି ସେଠାରେ ସେ ଉପସ୍ଥିତ ନଥିବେ ତାଙ୍କର ସମ୍ଭାବ୍ୟ ଠିକଣାକୁ ଯାଇ ତନାଘନା କରିବା ନେଇ ଏସିପି ଜଣାଇଛନ୍ତି ।

ଅନ୍ୟପଟେ ସୌରିନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିବା ପୀଡ଼ିତାଙ୍କ ଡାକ୍ତରୀ ମାଇନା ସହ CRPCର ଧାରା ୧୬୪ ଆଧାରରେ ବୟାନ ରେକର୍ଡ ହୋଇଛି । ଏହାସହ ଭିଡିଓ ଓ ଅଡିଓ ମୋଡରେ ମଧ୍ୟ ପୋଲିସ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରାଯାଇଛି । କଟକ ଜଗତପୁରରେ ରହୁଥିବା ଜଣେ ଯୁବତୀ ସୌରିନଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ବିବାହ ପ୍ରତିଶ୍ରୁତି ଦେଇ କଣ୍ଠଶିଳ୍ପୀ ତାଙ୍କୁ ଶାରୀରିକ ଶୋଷଣ କରିବା ସହ ୯ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ କରିଛନ୍ତି । ଏନେଇ ସମ୍ପୃକ୍ତ ଯୁବତୀ କଟକ ମହିଳା ଥାନାରେ ପହଞ୍ଚି ଏତଲା ଦାୟର କରିଛନ୍ତି ।

ସୂଚନା ଅନୁସାରେ, ଅଭିଯୋଗ କରିଥିବା ଯୁବତୀ ଜଣକ ପେସାରେ ଜଣେ ବ୍ୟାଙ୍କ କର୍ମଚାରୀ । ତାଙ୍କର ଗୀତ ଗାଇବାର ନିଶା ରହିଥିଲା ଓ ସେ ସୌରିନଙ୍କ ଫ୍ୟାନ ଥିଲେ । ଏକ ଷ୍ଟେଜରେ ଗୀତ ଗାଇବା ସମୟରେ ଉଭୟଙ୍କ ମଧ୍ୟରେ କୁଆଡେ ସମ୍ପର୍କ ସ୍ଥାପନ ହୋଇଥିଲା । ଦୁହିଁଙ୍କ ମଧ୍ୟରେ ଏତେ ଘନିଷ୍ଠତା ବଢି ଯାଇଥିବା ଯେ ଉଭୟ ପରସ୍ପରକୁ ବିବାହ କରିବାକୁ ରାଜି ହୋଇଥିଲେ । ମାତ୍ର ସୌରିନ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ଠାରୁ ୯ ଲକ୍ଷ ଟଙ୍କା ଠକି ନେଇଥିଲେ । ଏହାର ପ୍ରମାଣ ସେ ଥାନାରେ ଦାଖଲ କରିଛନ୍ତି ।

ଇଟିଭି ଭାରତ, କଟକ

Last Updated : Jun 21, 2023, 2:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.