କଟକ: ଦଶହରା ପାଇଁ ଚଳଚଞ୍ଚଳ ରହିଛି କଟକ ସହର । ସାଜସଜ୍ଜା ପାଇଁ ବେଶ ପରିଚିତ କଟକ ସହରରେ ଚାନ୍ଦି ମେଢ ସାଙ୍ଗକୁ ସୁନାର ଆଭୂଷଣରେ ମଣ୍ଡପ ଗୁଡିକ ଝଲସି ଉଠିଥାଏ । ଏବେ ବି ଜରି ମେଢର ରହିଛି ସ୍ୱତନ୍ତ୍ରତା । ସବୁଠାରୁ ବଡ଼ କଥା ହେଉଛି, ଏହି ଜରି ମେଢ଼କୁ ତିଆରି କରିଥାନ୍ତି ସହରର କେତେକ ମୁସଲମାନ ପରିବାର । ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ବର୍ଷ ହେବ ଏହି ମୁସଲମାନ ପରିବାରର ପିଢ଼ି ପରେ ପଢି ମା'ଙ୍କ ସେବାରେ ନିୟୋଜିତ ଅଛନ୍ତି । ଯାହା ଭାଇଚାରାର ଦିଗଦର୍ଶନ ଦେଉଥିବାବେଳେ ଏହାକୁ ନେଇ ବେଶ ଗର୍ବ କରିଥାନ୍ତି କଟକବାସୀ ।
ମା’ଙ୍କ ସେବାରେ ଜାହିର ଖାନଙ୍କ ପରିବାର: ଜରି ମେଢକୁ ପୁରୁଷ ପୁରୁଷ ଧରି ଏହି କାମ କରି ଆସିଛନ୍ତି ଜାହିର ଖାନଙ୍କ ପରିବାର । ଜରି ମେଢର କାରିଗର ଭାବେ ଖାନଙ୍କ ପରିବାର ଖୁବ ପ୍ରସିଦ୍ଧ । ଦଶହରା ଆସିଲେ ଏହି ଜରିମେଢ କାରିଗରଙ୍କ ହାତକୁ ମିଳିନଥାଏ ଫୁରସତ।କଟକ ସହିତ ବ୍ରହ୍ମପୁର, ରାଉରକେଲା, ସମ୍ୱଲପୁର ଯାଏଁ ଜାହିରଙ୍କ ହାତ ତିଆରି ମେଢର ଚାହିଦା ବେଶ ଅଧିକ ରହିଥାଏ । ୩ ପିଢ଼ି ହେଲା ଜାହିରଙ୍କ ପରିବାର ଏହି ଜରି କାମ କରି ଆସୁଥିବାବେଳେ ସେ ନିଜେ ୨୦ ବର୍ଷ ଧରି ମା'ଙ୍କ ମେଢ ନିର୍ମାଣ କରୁଛନ୍ତି । ବୁଲିୟାନ ତାରକସି କାମର ସୂକ୍ଷ୍ମ କାରୁକାର୍ଯ୍ୟର ଝଲକ ତାଙ୍କ କାରିଗରୀରେ ଦେଖିବାକୁ ମିଳିଥାଏ । "ଚଳିତବର୍ଷ ୧୦ ରୁ ୧୨ଟି ଜରି ମେଢ଼ର କାମ ପାଇଁ ଅର୍ଡର ଆସିଛି । ହିନ୍ଦୁଙ୍କ ପର୍ବରେ ଆମେ ସାମିଲ ହୋଇପାରୁଥିବାରୁ ଖୁସି ଅନୁଭବ କରୁଛୁ" ବୋଲି କହିଛନ୍ତି ଜାହିର ।
ଜରି କାମର ରହିଛି ଢେର୍ ଚାହିଦା: କଟକ ଦଶହରାରେ ମୁସଲିମ ସମ୍ପ୍ରଦାୟର କାରିଗରମାନଙ୍କ ଅବଦାନ ବେଶ ଅଧିକ ଥାଏ । ଯାହା ଏଠାକାର ଭାଇଚାରା ଓ ସଂସ୍କୃତିର ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ତେବେ ଦଶହରାର ଠିକ ୪ ମାସ ପୂର୍ବରୁ ମେଢ଼ କାମ ଆରମ୍ଭ କରାଯାଇଥାଏ । ମେଢ ତିଆରି କାମରେ ବାଉଁଶ, କାଗଜ, ଜିଙ୍କଠାରୁ ଆରମ୍ଭ କରି ମହମ ଅଠା, ଜରି ଓ ଭେଲଭେଟ ଆଦିକୁ ବ୍ୟବହାର କରି ଏଠାକାର କାରିଗରମାନେ ଅତି ସୂକ୍ଷ୍ମ ନିଖୁଣ କାରୁକାର୍ଯ୍ୟ କରିଛନ୍ତି । ଜରି ମେଢରେ କଲିକା, ଗଦୀ, କଲାନ, ଛାଜ, ବକ୍ସ, ବେଲପାୟା, ମୁକୁଟ, ହାର ଓ ପଟିର ନିଖୁଣ କାରିଗରୀ ହିଁ ଅନେକଙ୍କୁ ଏଠାକୁ ଟାଣି ଆଣେ ।
ଏହା ବି ପଢନ୍ତୁ...ଆସୁଛନ୍ତି ମା': ଚଳଚଞ୍ଚଳ ଇସ୍ପାତ ନଗରୀ, ଶୋଭାପାଇବ ଜୟପୁରର ଅଲବର୍ଟ ହଲ ମ୍ୟୁଜିୟମ
ବିଭିନ୍ନ ସହରରୁ ଆସେ ଅର୍ଡର: ଗୋଟିଏ ମେଢର ଦାମ ୨୦ ହଜାରରୁ ଆରମ୍ଭ କରି ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥାଏ । ଏହି କାରିଗରମାନେ କଟକ ସହର ସହ ଭୁବନେଶ୍ୱର, ରାଉରକେଲା, ଝାରସୁଗୁଡା ଆଦି ଅନେକ ପୂଜା ମଣ୍ଡପଗୁଡିକରୁ ଜରି ମେଢ ପାଇଁ ଅର୍ଡର ନେଇ କାମ କରି ପ୍ରତିବର୍ଷ ମେଢ ଯୋଗାଇ ଆସୁଛନ୍ତି । ଆଉ ଏହି ମେଢ ତିଆରି କାମ କରି ସେମାନେ ବି ବେଶ ଆତ୍ମସନ୍ତୋଷ ଲାଭ କରୁଛନ୍ତି । ପ୍ରାୟ ୪ ମାସ ପୂର୍ବରୁ ସେମାନେ ମେଢ କାମ ବାଉଁଶ, ଜରି, କାଗଜ ଆଦିରେ ଆରମ୍ଭ କରିଥାନ୍ତି । ଆଉ ସେଥିପାଇଁ କଟକ ସହ ସୁରଟ,ଦିଲ୍ଲୀ ଏବଂ କୋଲକାତା ବଜାରରୁ ଆବଶ୍ୟକୀୟ ସରଞ୍ଜାମ ଆଣିଥାନ୍ତି ।
ଇଟିଭି ଭାରତ, କଟକ