ETV Bharat / state

ବୌଦ୍ଧରେ ବୟନ ଶିଳ୍ପର ପସରା, ସାପ୍ତାହିକ ବଜାରରେ ଗ୍ରାହକଙ୍କ ଭିଡ

author img

By

Published : May 21, 2023, 5:38 PM IST

ବାନ୍ଧକଳା ପାଇଁ ପ୍ରସିଦ୍ଧ ବୌଦ୍ଧ ଜିଲ୍ଲାକୁ ମିଳିଛି ସ୍ବତନ୍ତ୍ର ପରିଚୟ । ଏହି ଜିଲ୍ଲାରେ ରହିଛି ରାଜ୍ୟର ଦ୍ବିତୀୟ ସର୍ବବୃହତ ବୁଣାକାର ହାଟ । ମନଲୋଭା ସାମଗ୍ରୀ କିଣିବା ପାଇଁ ପ୍ରତି ରବିବାର ସାପ୍ତାହିକ ବଜାରରେ ଲାଗୁଛି ଗ୍ରାହକଙ୍କ ଭିଡ଼ । ଅଧିକ ପଢନ୍ତୁ

weekly market for handloom in boudh
ବୌଦ୍ଧର ସାପ୍ତାହିକ ବଜାରରେ ବୟନ ଶିଳ୍ପର ପସରା

ବୌଦ୍ଧର ସାପ୍ତାହିକ ବଜାରରେ ବୟନ ଶିଳ୍ପର ପସରା

ବୌଦ୍ଧ: ଓଡ଼ିଶାର ଦ୍ବିତୀୟ ସର୍ବବୃହତ ବୁଣାକାର ହାଟ ପାଇଁ ବୌଦ୍ଧ ଜିଲ୍ଲାକୁ ମିଳିଛି ସ୍ବତନ୍ତ୍ର ପରିଚୟ । ଗତ କିଛି ମାସ ତଳେ ଆରମ୍ଭ ହୋଇଥିବା ଏହି ବୁଣାକାର ବଜାର ପ୍ରତି ରବିବାର ହୋଇଉଠୁଛି ଚଳଚଞ୍ଚଳ । ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ପାରମ୍ପରିକ ତଥା ହାତବୁଣା ଲୁଗାର ବିଭିନ୍ନ ଭେରାଇଟି ଗୋଟିଏ ସ୍ଥାନରେ ଉପଲବ୍ଧ ହୋଇ ପାରୁଛି । ବିଶେଷ କରି ବାନ୍ଧକଳା କ୍ଷେତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି ବୌଦ୍ଧ ଜିଲ୍ଲା । ଏଠାରେ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ବୁଣାକାରମାନେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପାରମ୍ପରିକ ହସ୍ତକଳାର ପ୍ରଦର୍ଶନ ସହିତ ବିକ୍ରିବଟା କରିପାରୁଛନ୍ତି । ବର୍ତ୍ତମାନ ଜିଲ୍ଲାରେ ବୟନ ଶିଳ୍ପକୁ ନେଇ ଏକ ବିରାଟ ସମ୍ଭାବନା ମଧ୍ୟ ସୃଷ୍ଟି ହେବାରେ ଲାଗିଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ହସ୍ତତନ୍ତର ଏକ ପ୍ରାଚୀନ ପରମ୍ପରା ରହିଛି । ଗଡଜାତ ଶାସନ କାଳରୁ ଭୁଲିଆ ନାମକ ଏକ ବୁଣାକାର ସଂପ୍ରଦାୟ ଏହି କୌଳିକ ବୃତ୍ତି ସହିତ ଜଡିତ ଥିବା କୁହାଯାଏ । ପିଢ଼ି ପରେ ପିଢ଼ି ଏହି ଭୁଲିଆ ସଂପ୍ରଦାୟମାନେ ପାରମ୍ପରିକ କଳା ସହିତ ଓତଃପ୍ରୋତ ଭାବରେ ଜଡ଼ିତ ହୋଇ ରହିଛନ୍ତି ।

ବୌଦ୍ଧ ଜିଲ୍ଲାର ବାଉଁଶୁଣୀ, ଚମ୍ପାପୁର, ମଥୁରା, ବୁଟୁପାଲି, ବାଘପାଲି, ମର୍ଜାକୁଦ, ସାହାଜପାଲ, ଦହ୍ୟା, ନାରାୟଣନଗର, ଗୋଛାପଡା, ଗବଯୋର, ମନମୁଣ୍ଡା ଭଳି ଅଞ୍ଚଳରେ ଏହି ବାନ୍ଧକଳା ସହିତ ଜଡିତ ଶହ ଶହ ପରିବାର ବସବାସ କରୁଛନ୍ତି । ଗତ ପ୍ରାୟ ୬ ମାସ ତଳେ ବୌଦ୍ଧ ଜିଲ୍ଲା ପ୍ରଶାସନର ଉଦ୍ୟମ ବଳରେ ଜିଲ୍ଲା ସଦର ମହକୁମାର ଆଦର୍ଶ କୃଷି ବଜାର ପରିସରରେ ଆରମ୍ଭ ହୋଇଥିଲା ସାପ୍ତାହିକ ବୁଣାକାର ବଜାର । ପ୍ରତ୍ୟେକ ରବିବାର ଏଠାରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳର ବୁଣାକାରମାନେ ଆସି ସେମାନଙ୍କ ହାତ ତିଆରି ସାମଗ୍ରୀର ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି । ପୂର୍ବରୁ ବୁଣାକାରମାନଙ୍କ ପାଇଁ ବଜାର ଏକ ମୁଖ୍ୟ ସମସ୍ୟା ହୋଇ ରହି ଆସିଥିଲା । ବର୍ତ୍ତମାନ ସାପ୍ତାହିକ ବୁଣାକାର ବଜାର ଯୋଗୁଁ ଆର୍ଥିକ ସ୍ବାବଲମ୍ବୀ ହୋଇପାରୁଛନ୍ତି ବୁଣାକାର ପରିବାର । ପ୍ରତ୍ୟେକ ରବିବାର ଓଡ଼ିଶାର ଏହି ଦ୍ବିତୀୟ ସର୍ବବୃହତ ବୁଣାକାର ହାଟକୁ ଉଭୟ ବୁଣାକାର ଓ ଗ୍ରାହକଙ୍କ ଭିଡ଼ ଜମୁଛି ।

ବ୍ରିଟିଶ ଅମଳରୁ ବୌଦ୍ଧର ଟସର ଶାଢୀ ଦିଲ୍ଲୀ ଦରବାରରେ ଉଚ୍ଚ ପ୍ରଶଂସିତ ହୋଇଥିଲା ବୋଲି କୁହାଯାଏ । ଏହାଛଡା ବାପ୍ତା ଓ ସପେଟା ବା ପଶାପାଲି ସ୍ବତନ୍ତ୍ର ବାନ୍ଧଶାଢ଼ୀ ସହିତ ମନମୁଣ୍ଡିଆ ଓ ମର୍ଜାକୁଦିଆ ଗାମୁଛା ସାରା ପ୍ରସିଦ୍ଧ । ତେବେ ଏହି ସାପ୍ତାହିକ ବଜାରର ଉନ୍ନତି ପାଇଁ ସ୍ବାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛି ବୌଦ୍ଧ ଜିଲ୍ଲା ପ୍ରଶାସନ । ବର୍ତ୍ତମାନ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସତ୍ତ୍ବେ ବୁଣାକାର ବଜାରରେ ଗ୍ରାହକଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେଉଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.