ETV Bharat / state

ବଢୁଛି ୫T ବିଦ୍ୟାଳୟ ବିରୋଧରେ ଅଭିଯୋଗ ଫର୍ଦ୍ଦ, ଚୁକ୍ତିନାମା ପରେ ବି ମହିଳା ଗୋଷ୍ଠୀକୁ ଦେଲେନି କାମ

author img

By

Published : Jul 23, 2023, 9:14 AM IST

୫T ବିଦ୍ୟାଳୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ଵ ପ୍ରଦାନ ପରେ ପ୍ରଧାନ ଶିକ୍ଷକ କାମ ଦେଉନଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଆଢେଣୀଗଡ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ମହିଳା ଗୋଷ୍ଠୀ । ଅଧିକ ପଢ଼ନ୍ତୁ

ସମସ୍ୟା ଘେରରେ ୫T ବିଦ୍ୟାଳୟ
ସମସ୍ୟା ଘେରରେ ୫T ବିଦ୍ୟାଳୟ

ସମସ୍ୟା ଘେରରେ ୫T ବିଦ୍ୟାଳୟ

ବୌଦ୍ଧ: ଶିକ୍ଷା ବ୍ୟବସ୍ଥାରେ ଅଧିକ ସୁଧାର ଆଣିବାକୁ ରାଜ୍ୟ ସରକାର ଜିଲ୍ଲାର ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ ୫T ଅନ୍ତର୍ଭୁକ୍ତ କରିଛନ୍ତି । ତହିଁରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ଵ ପ୍ରଦାନ ମଧ୍ୟ କରିଛନ୍ତି । ୫T ବିଦ୍ୟାଳୟରେ ସଫେଇ ଓ ସୁରକ୍ଷା ଭଳି କେତେକ କାର୍ଯ୍ୟରେ ସ୍ଥାନୀୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ଵ ଗ୍ରହଣର ବ୍ୟବସ୍ଥା କରାଯାଇଛି । କିନ୍ତୁ ମହିଳା ଗୋଷ୍ଠୀଙ୍କୁ ଚୟନ ପରେ ମଧ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେମାନଙ୍କୁ ନିଯୁକ୍ତି ନଦେବା ଅଭିଯୋଗ ହୋଇଛି । ଯାହାକୁ ନେଇ ମହିଳା ଗୋଷ୍ଠୀ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ୫Tରେ ଅନ୍ତର୍ଭୁକ୍ତ ହେବା ନିଶ୍ଚିତ ହୋଇଛି । ଶେଷ ପର୍ଯ୍ୟାୟରେ ଜିଲ୍ଲାର ଅବଶିଷ୍ଟ ୧୯ ଗୋଟି ଉଚ୍ଚ ବିଦ୍ୟାଳୟ ୫T ଅନ୍ତର୍ଭୁକ୍ତ ହେବ । ହରଭଙ୍ଗା ବ୍ଲକର ଆଢେଣୀଗଡ ଉଚ୍ଚ ବିଦ୍ୟାଳୟଟି ୫T ସ୍କୁଲରେ ରୂପାନ୍ତରିତ ହେବା ପରେ ଏଠାରେ ସଫେଇ ଓ ସୁରକ୍ଷା ଭଳି ଦାୟିତ୍ଵ ନିର୍ବାହ ପାଇଁ ସରକାରଙ୍କ ନିର୍ଦ୍ଦେଶ ମତେ ସ୍ଥାନୀୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ଚୟନ ସହିତ ଦାୟିତ୍ଵ ଗ୍ରହଣ ପାଇଁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଚୁକ୍ତି ନାମା କରିଥିଲେ । କିନ୍ତୁ ବର୍ତ୍ତମାନ ଆଢେଣୀଗଡ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହିଳା ଗୋଷ୍ଠୀଙ୍କୁ ଦାୟିତ୍ଵ ପ୍ରଦାନ ପାଇଁ ମନା କରୁଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ମହିଳା ଗୋଷ୍ଠୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: କାହା ସ୍ବାର୍ଥରେ ୫T ସ୍କୁଲ ? ଖର୍ଚ୍ଚ ହେଲାଣି କୋଟିଏ, ପିଲା ନାହାନ୍ତି ଗୋଟିଏ

ସେପଟେ ଆଢେଣୀଗଡ ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅନିୟମିତତା ତଥା ପରିଚାଳନାଗତ ତୃଟି ରହିଥିବା ଅବିଭାବକ ଅଭିଯୋଗ କରିଛନ୍ତି । ଅଭିଭାବକ କହିଛନ୍ତି," ପାସ୍ ହେଉଥିବା ଛାତ୍ରଛାତ୍ରୀଙ୍କ ଠାରୁ ବେଆଇନ ଭାବେ ଦୁଇଶହ ଟଙ୍କା ସଂଗ୍ରହ କରାଯାଉଛି । ଏହାଛଡା ବିଦ୍ୟାଳୟରେ ପାଠପଢ଼ା ମଧ୍ୟ ଠିକରେ ହେଉନାହିଁ । ଜିଲ୍ଲା ଶିକ୍ଷା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।" ସେପଟେ ବର୍ତ୍ତମାନ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଶିକ୍ଷକଙ୍କ ବଦଳି ଓ ବିଦ୍ୟାଳୟରେ ତାଲାପକା ପାଲା । ଏଥିରେ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରି ଆନ୍ଦୋଳନ ପାଇଁ ସ୍ଥାନୀୟ ସୁବିଧାବାଦୀ ଗୋଷ୍ଠୀ ଓ ଶିକ୍ଷକ ମାନେ ଉସୁକାଉଥିବା ଅଭିଯୋଗ ହୋଇଛି ।

ହରଭଙ୍ଗା ବ୍ଲକର ଲୁଣିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୌଣସି ବ୍ୟକ୍ତି ବିଦ୍ୟାଳୟରେ ଥିବା ସମୟରେ ଗେଟରେ ତାଲା ପକାଇ ଦେଇଥିଲେ । ଫଳରେ ଛାତ୍ରଛାତ୍ରୀମାନେ ଦୀର୍ଘ ସମୟ ଧରି ବିଦ୍ୟାଳୟ ପରିସରରେ ବନ୍ଦ ହୋଇ ରହିଯାଇଥିଲେ । ଦୀର୍ଘ ସମୟ ଧରି ଖରାରେ ଠିଆ ହେବା ଯୋଗୁଁ ୮ ଜଣ ଛାତ୍ରଛାତ୍ରୀ ଅଚେତ ହୋଇ ପଡ଼ିଥିଲେ । ସେମାନଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ପୁରୁଣା କଟକ ଡ଼ାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ଏଭଳି ଘଟଣା ପରେ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ଅବିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.