ETV Bharat / state

ବୌଦ୍ଧରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର, ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଫେରାଦ

author img

By ETV Bharat Odisha Team

Published : Sep 26, 2023, 11:40 AM IST

ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ଜିଲ୍ଲାର ପ୍ରମୁଖ ହସ୍ପିଟାଲଗୁଡ଼ିକରେ ଡାକ୍ତରଙ୍କ ଅଭାବ ସହ ଆମ୍ବୁଲାନ୍ସ ସେବା ବି ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ଅଭିଯୋଗ ଆସିଛି । ଜିଲ୍ଲାର ଅନେକ ଅଞ୍ଚଳକୁ ରାସ୍ତା ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ସେବା ସଠିକ ସମୟରେ ପହଞ୍ଚି ପାରୁନଥିବା ବେଳେ ଜିଲ୍ଲାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ନେଇ ପ୍ରାଥମିକ ଆରୋଗ୍ୟ କେନ୍ଦ୍ରଗୁଡ଼ିକ ବ୍ୟାପକ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ବୌଦ୍ଧରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର
ବୌଦ୍ଧରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର

ବୌଦ୍ଧରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ଜିଲ୍ଲାର ପ୍ରମୁଖ ହସ୍ପିଟାଲଗୁଡିକରେ ଡାକ୍ତରଙ୍କ ଅଭାବ ସହ ଆମ୍ବୁଲାନ୍ସ ସେବା ବି ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ଅଭିଯୋଗ ଆସିଛି । ଜିଲ୍ଲାର ଅନେକ ଅଞ୍ଚଳକୁ ରାସ୍ତା ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ସେବା ସଠିକ ସମୟରେ ପହଞ୍ଚି ପାରୁନଥିବା ବେଳେ ଜିଲ୍ଲାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ନେଇ ପ୍ରାଥମିକ ଆରୋଗ୍ୟ କେନ୍ଦ୍ରଗୁଡ଼ିକ ବ୍ୟାପକ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି ।

ସୋମବାର ଦିନ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ଦୀର୍ଘ ସମୟ ଧରି ତାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର ନକରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ପୋଲିସ ଓ ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ତାଳମେଳ ରହୁନଥିବା ଯୋଗୁଁ ଗୋଟିଏ ପରିବାରକୁ ଦୀର୍ଘ ସମୟ ଧରି ହଇରାଣ ହେବାକୁ ପଡ଼ିଥିବା ସୂଚନା ରହିଛି ।

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ, ପୁରୁଣା କଟକ, ଆଢ଼େଣୀଗଡ଼ଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତଥା ସେଗୁଡ଼ିକ ଅଧିନରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । କିନ୍ତୁ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ସାଙ୍ଗକୁ ଆମ୍ବୁଲାନ୍ସର ଅଭାବରୁ ଅନେକ ସମୟରେ ରୋଗୀ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଗତ କିଛି ଦିନ ତଳେ ଆଢେଣୀଗଡ଼ ଫାଣ୍ଡିର ଦୁଇ ଜଣ ପୋଲିସ କର୍ମଚାରୀ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ । ଆମ୍ବୁଲାନ୍ସ ଉପଲବ୍ଧ ନହେବାରୁ ବିଳମ୍ବିତ ଚିକିତ୍ସା ଯୋଗୁଁ ସେମାନଙ୍କ ଜୀବନ ଯାଇଥିବା ଭଳି ଘଟଣା ସାମ୍ନାକୁ ଆସିଥିଲା । ଦୁଇ ଦିନ ପୂର୍ବରୁ ଆମ୍ବୁଲାନ୍ସ ଅଭାବରୁ କଣ୍ଟାମାଳ ଡାକ୍ତରଖାନାକୁ ଜଣେ ଗର୍ଭବତୀ ଏକ ଅଟୋ ମଧ୍ୟରେ ପ୍ରସବ କରିବା ଭଳି ଘଟଣା ସାମ୍ନାକୁ ଆସିଛି ।

ଏହାମଧ୍ୟ ପଢନ୍ତୁ.. ଏମିତି ଚାଳିଛି ପାଠପଢ଼ା, ଛାତ୍ରୀଙ୍କୁ ଶ୍ରମିକ ସଜାଇଲେ ଶିକ୍ଷକ !

ବାଦୀସାହି ଅଞ୍ଚଳରେ ରାସ୍ତା ସମସ୍ୟା ଯୋଗୁଁ ଅନେକ ସମୟରେ ଆମ୍ବୁଲାନ୍ସ ରୋଗୀଙ୍କ ନିକଟରେ ପହଞ୍ଚି ପାରୁନଥିବା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ବଘିଆପଡ଼ା ପଞ୍ଚାୟତର ଜଣେ ଓ୍ବାର୍ଡ ସଭ୍ୟା । ସେହିଭଳି ସଦର ବ୍ଲକ ଅଁଳାପାଲି ପଞ୍ଚାୟତ ଅନ୍ତର୍ଗତ ବାଦୀକଟା ଗ୍ରାମରେ ଦୀର୍ଘ ଦିନ ହେଲା ନିର୍ମିତ ହୋଇଥିବା ପ୍ରାଥମିକ ଆରୋଗ୍ୟ କେନ୍ଦ୍ର ବ୍ୟାପକ ସମସ୍ୟା ଘେରରେ ରହିଥିବା ନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି । ଆରୋଗ୍ୟ କେନ୍ଦ୍ରରେ ଅତିରିକ୍ତ ଗୃହ, ବିଦ୍ୟୁତ, ପାନୀୟଜଳ ଭଳି ମୌଳିକ ସୁବିଧା ନାହିଁ । ଉକ୍ତ ଆରୋଗ୍ୟ କେନ୍ଦ୍ର ଉପରେ ଦଶରୁ ଉର୍ଦ୍ଧ୍ବ ଗ୍ରାମବାସୀ ନିର୍ଭରଶୀଳ ଥିବା ବେଳେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ବ୍ୟାପକ ସମସ୍ୟା ଘେରରେ ରହିଥିବାରୁ ଏହାର ସମାଧାନ ପାଇଁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଜି ମଧ୍ୟ ଆମ୍ବୁଲାନ୍ସ ସେବା ଅପହଞ୍ଚ ହୋଇ ରହିଛି । ବିଶେଷ ଭାବରେ ଗମନାଗମନର ଅବ୍ୟବସ୍ଥା ହେତୁ ଏଭଳି ସମସ୍ୟା ଦେଖାଯାଉଥିବା ଅଭିଯୋଗ ହୋଇଛି । ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଅପହଞ୍ଚ ହୋଇ ରହିଥିବା ବେଳେ ସାଧାରଣ ଗରିବ ଲୋକେ ଚିକିତ୍ସା ସୁବିଧା ପାଇଁ ହସ୍ପିଟାଲ ପରିବର୍ତ୍ତେ ଗୁଣିଗାରେଡ଼ି ଓ ତନ୍ତ୍ରମନ୍ତ୍ର ଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଉଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.