ETV Bharat / state

ମିଳିଲାନି ଭିନ୍ନକ୍ଷମ ପ୍ରମାଣପତ୍ର, ଦୁଃଖରେ ଫେରିଲେ ବୃଦ୍ଧ ଦିବ୍ୟାଙ୍ଗ

author img

By

Published : Feb 15, 2023, 2:35 PM IST

ଭିନ୍ନକ୍ଷମ ପ୍ରମାଣପତ୍ରରୁ ବଞ୍ଚିତ ଦିବ୍ୟାଙ୍ଗ
ଭିନ୍ନକ୍ଷମ ପ୍ରମାଣପତ୍ରରୁ ବଞ୍ଚିତ ଦିବ୍ୟାଙ୍ଗ

ଜନ୍ମରୁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମିଳୁନି ଭିନ୍ନକ୍ଷମ ପ୍ରମାଣପତ୍ର । ବୌଦ୍ଧ ଜିଲ୍ଲା ସଦର ବ୍ଲକରୁ ସାମ୍ନାକୁ ଆସିଛି ଏହି ଘଟଣା । ଅଧିକ ପଢନ୍ତୁ

ଭିନ୍ନକ୍ଷମ ପ୍ରମାଣପତ୍ରରୁ ବଞ୍ଚିତ ଦିବ୍ୟାଙ୍ଗ

ବୌଦ୍ଧ: ଭିନ୍ନକ୍ଷମଙ୍କ ପାଇଁ ଆୟୋଜିତ ଶିବିରରେ ଚିହ୍ନଟ ହୋଇପାରିଲେନି ଜନ୍ମରୁ ଭିନ୍ନକ୍ଷମ ଥିବା ବ୍ୟକ୍ତି । ଭିନ୍ନକ୍ଷମ ପ୍ରମାଣପତ୍ର ନପାଇ ମନ ଦୁଃଖରେ ଫେରିଗଲେ ଦିବ୍ୟାଙ୍ଗ । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଠାରେ ମଙ୍ଗଳବାର ଆୟୋଜିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଶିବିରରେ ବୌଦ୍ଧ ବ୍ଲକର ସମୁଦାୟ ୨୩ ଗୋଟି ପଞ୍ଚାୟତରୁ ମାତ୍ର ୭୪ ଜଣ ଭିନ୍ନକ୍ଷମଙ୍କୁ ବିଭିନ୍ନ ବର୍ଗରେ ଚିହ୍ନଟ କରି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ତେବେ ଅନେକ ଦିବ୍ୟାଙ୍ଗ ଏହି ଶିବିରରେ ଯୋଗ ଦେଇଥିଲେ ମଧ୍ୟ ବିଭିନ୍ନ କାରଣରୁ ସାର୍ଟିଫିକେଟ ନପାଇ ଫେରି ଯାଇଥିଲେ ।

ଆଶ୍ଚର୍ଯ୍ୟର କଥା ହେଉଛି ଯେ, ବାଉଁଶୁଣୀ ଟିକିରାପଡାର ପୀତାମ୍ବର ଦନ୍ତା ନାମକ ଜଣେ ଦିବ୍ୟାଙ୍ଗକୁ ମଧ୍ୟ ଚିହ୍ନଟ କରାନଯାଇ ଫେରାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ପୀତାମ୍ବର ଜନ୍ମରୁ ଦିବ୍ୟାଙ୍ଗ । ଏହାସତ୍ତ୍ବେ ତାଙ୍କୁ ପ୍ରମାଣପତ୍ରଟିଏ ନମିଳିବା ସାମାଜିକ ସୁରକ୍ଷା ବିଭାଗର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନା ମୁତାବକ, ଟିକିରାପଡାର ପୀତାମ୍ବର ଦନ୍ତା ଜନ୍ମରୁ ପୋଲିଓ ଦ୍ବାରା ଆକ୍ରାନ୍ତ ହୋଇ ତାଙ୍କର ଡାହାଣ ହାତ ସମ୍ପୂର୍ଣ୍ଣ ଅକାମୀ ରହିଛି । ବର୍ତ୍ତମାନ ବୟସାଧିକ ପରେ ଦୁର୍ଘଟଣା ଶିକାର ହୋଇ ତାଙ୍କର ଡାହାଣ ଗୋଡ ମଧ୍ୟ ଭଲ ଭାବେ କାମ କରୁନି । ଏଭଳି ସ୍ଥିତିରେ ଦିବ୍ୟାଙ୍ଗ ପୀତାମ୍ବରଙ୍କୁ ଭତ୍ତା ମିଳୁଥିଲେ ମଧ୍ୟ ତାଙ୍କ ନିକଟରେ ଦିବ୍ୟାଙ୍ଗ ପ୍ରମାଣପତ୍ର ନାହିଁ । ଏଣୁ ସେ ବିଭିନ୍ନ ସମୟରେ ଅନେକ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି ।

ଏହି ପ୍ରମାଣପତ୍ର ପାଇଁ ପୀତାମ୍ବର ଦୁଇ ଦୁଇ ଥର ଏଭଳି ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ଶିବିରକୁ ଆସିଥିଲେ । ହେଲେ କେହି ବି ତାଙ୍କର ଦୁଃଖ ଶୁଣିନଥିଲେ । ମଙ୍ଗଳବାର ବୌଦ୍ଧ ବ୍ଲକ ଠାରେ ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରକୁ ପୀତାମ୍ବର ସକାଳୁ ଆସି ଅପେକ୍ଷା କରିଥିଲେ । ହେଲେ ଏଠି ମଧ୍ୟ ତାଙ୍କୁ ଭିନ୍ନକ୍ଷମ ଭାବେ ଚିହ୍ନଟ ନେଇ କେହି ସହଯୋଗ କରିନଥିବା ସେ ଅଭିଯୋଗ କରିଛନ୍ତି । ବ୍ଲକ ଅଧିକାରୀଙ୍କ ସମେତ ଜିଲ୍ଲାର ବହୁ ଅଧିକାରୀ ସେଠାରେ ଥିଲେ ବି କେହି ଏହି ଅସହାୟ ବ୍ୟକ୍ତିଙ୍କ ଦୁଃଖ ବୁଝିନଥିବା ଅଭିଯୋଗ ହୋଇଛି । ଶେଷରେ ପ୍ରମାଣପତ୍ର ନପାଇ ସେ ଦୁଃଖରେ ଫେରିଯିବା ସହିତ ବୌଦ୍ଧ ଜିଲ୍ଲାପାଳ ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେଇ ତାଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଗୁହାରି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.