ETV Bharat / state

ଆକାଶରୁ ଅଗ୍ନି ବର୍ଷା , ବୌଦ୍ଧରେ ଅସ୍ତବ୍ୟସ୍ତ ଜନଜୀବନ

author img

By

Published : May 10, 2023, 5:57 PM IST

ତତଲା କଡେଇରେ ଭାଜି ହେଲା ଭଳି ବୌଦ୍ଧର ଅବସ୍ଥା । ଉତ୍କଟ ପାନୀୟଜଳର ଅଭାବ ପରିଲକ୍ଷିତ । ଅଧିକ ପଢନ୍ତୁ

ଉତ୍କଟ ପାନୀୟଜଳର ଅଭାବ ପରିଲକ୍ଷିତ
ଉତ୍କଟ ପାନୀୟଜଳର ଅଭାବ ପରିଲକ୍ଷିତ

ତତଲା କଡେଇରେ ଭାଜି ସିଝୁଛି ବୌଦ୍ଧ

ବୌଦ୍ଧ: ଆକାଶରୁ ହେଉଛି ଅଗ୍ନି ବର୍ଷା । ତତଲା କଡେଇରେ ଭାଜି ହେଲା ଭଳି ବୌଦ୍ଧର ଅବସ୍ଥା । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ପାନୀୟଜଳର ମଧ୍ୟ ଉତ୍କଟ ଅଭାବ ପରିଲକ୍ଷିତ ହୋଇଛି । ପ୍ରଚଣ୍ଡ ଖରା ଯୋଗୁଁ ଦିନ ଦଶଟା ବେଳକୁ ରାସ୍ତାଘାଟ ଖାଲି ହୋଇ ଯାଉଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ମଧ୍ୟ ଗ୍ରହଣ କରୁଛି ।

ମହାନଦୀ ଓ ତେଲନଦୀର କୂଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଲଗାତାର ତିନି ଦିନ ହେଲା ପାରଦ 42 ଡିଗ୍ରୀ ଉପରେ ରହିବା ସହିତ ବୌଦ୍ଧ ଜିଲ୍ଲା ସାରା ଓଡ଼ିଶାର ଉତ୍ତପ୍ତ ଜିଲ୍ଲା ଭାବରେ ପରିଗଣିତ ହୋଇଛି । ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଜଳ ଉତ୍ସ ଶୁଖିଯିବାକୁ ବସିଥିବା ବେଳେ ପୋଖରୀଗୁଡିକ ମଧ୍ୟ ଶୁଷ୍କ ହୋଇ ପଡିଛି । ଜଳ ଅଭାବରୁ ମଣିଷଙ୍କ ସହିତ ପଶୁପକ୍ଷୀ ଓ ବନ୍ୟଜନ୍ତୁମାନେ ଗଭୀର ପ୍ରଭାବିତ ହେଉଛନ୍ତି । ବିଶେଷ ଭାବରେ ବ୍ୟାପକ ଗଛକଟା ଯୋଗୁଁ ପରିବେଶ ଅଧିକ ଉତ୍ତପ୍ତ ହୋଇ ପଡୁଥିବା ସହରବାସୀ ଅଭିଯୋଗ କରିଛନ୍ତି ।

ସହରବାସୀ ଅଭିଯୋଗ କରିଛନ୍ତି ରାସ୍ତାକୁ ପ୍ରଶସ୍ତ କରିବା ନାଁରେ ବ୍ୟାପକ ଗଛ କଟାଯାଉଛି । ଗ୍ରୀଷ୍ମ ପ୍ରଭାବରୁ ରକ୍ଷା ପାଇବା ପାଇଁ ଗଛ ଛାଇର ଘୋର ଅଭାବ ଦେଖିବାକୁ ମିଳୁଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ କରଡି ଧଳପୁର ଦେଇ ହରଭଙ୍ଗା ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ପାଇଁ ହଜାରହଜାର ଗଛ କାଟି ଦିଆଯିଇଛି । ଏହିପରି ଅନେକ ସ୍ଥାନରେ ଗଛ କଟାଯିବା ଫଳରେ ଗରମ ବଢ଼ିବାରେ ଲାଗିଛି । ଏହାସହ ବିଭିନ୍ନ ସ୍ଥାନରେ ପାନୀୟଜଳର ସମସ୍ୟା ରହିଛି । ଗ୍ରୀଷ୍ମପ୍ରବାହ କାରଣରୁ ନଦୀ ପୋଖରୀ ଶୁଖିବାରେ ଲାଗିଛି ।

ଏହାଛଡା ଏଭଳି ଗ୍ରୀଷ୍ମ ପ୍ରବାହ ସମୟରେ ବିଭିନ୍ନ ଉପାନ୍ତ ଅଞ୍ଚଳରେ ପାନୀୟଜଳର ଉତ୍କଟ ସମସ୍ୟା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣ ଲୋକେ ଲେମ୍ବୁ ପାଣି, ଲସି, ସରବତ, ମୃଦୁପାନୀୟ ଦୋକାନରେ ଭିଡ଼ ଜମାଉଥିବା ଦେଖାଯାଉଛି । ତାଳସଜ ଓ ତରଭୁଜର ଚାହିଦା ମଧ୍ୟ ବେଶ ବୃଦ୍ଧି ପାଇଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାର ସମସ୍ତ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଜଳଛତ୍ରମାନ ଖୋଲାଯାଇ ଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହୋଇ ପାରୁନାହିଁ । ଜିଲ୍ଲାର ଅନେକ ସ୍ଥାନରେ ଜଳସ୍ତର ହ୍ରାସ ଓ ନଳକୂପ ଅଚଳ ଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.