ETV Bharat / state

ଦୁର୍ଦ୍ଦିନରେ ସରକାରୀ ବିଭାଗରେ କାର୍ଯ୍ୟରତ ଡ୍ରାଇଭର, ସହାୟତା ପାଇଁ ସରକାରଙ୍କୁ ନିବେଦନ

author img

By

Published : Jul 21, 2023, 2:12 PM IST

ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ଡ୍ରାଇଭର । ଦରମା ବୃଦ୍ଧି ଓ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଦାବି । ଅଧିକ ପଢନ୍ତୁ

Odisha Sarkari Motor Karmachari Sangh
Odisha Sarkari Motor Karmachari Sangh

Odisha Sarkari Motor Karmachari Sangh

ବୌଦ୍ଧ/ ସୋନପୁର: ସମସ୍ୟା ଘେରରେ ସୋନପୁର ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ଡ୍ରାଇଭର । ଦୀର୍ଘ ବର୍ଷ ଧରି ବିଭିନ୍ନ ବିଭାଗର ଗାଡ଼ି ଚଲାଇ ଆସୁଥିବା ବେଳେ ବର୍ତ୍ତମାନ ଏହି ଡ୍ରାଇଭର ମାନେ ଅବହେଳିତ ହୋଇଥିବା ଅଭିଯୋଗ ହୋଇଛି । ବଉଦ ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ଅନେକ ଡ୍ରାଇଭରଙ୍କୁ ସରକାର ଆଜି ପର୍ଯ୍ୟନ୍ତ ଚିହ୍ନଟ କରି ପାରି ନାହାଁନ୍ତି । ଫଳରେ ଗାଡ଼ି ଚଲାଇ ଆସୁଥିବା ଡ୍ରାଇଭର ସ୍ବଳ୍ପ ବେତନ ପାଉଥିବାରୁ ପରିବାର ପ୍ରତିପୋଷଣ କରିବା କଷ୍ଟର ହୋଇପଡିଛି । ଦରମା ବୃଦ୍ଧି ଓ ସରକାରୀ ମାନ୍ୟତା ପ୍ରଦାନ ପାଇଁ ବୌଦ୍ଧ ଜିଲ୍ଲାର ଡ୍ରାଇଭର ସଂଘ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

Odisha Sarkari Motor Karmachari Sangh

ସରକାରଙ୍କ ବିଭିନ୍ନ ଯୋଜନାର ବିଶେଷ ଭାବରେ ସ୍ବାସ୍ଥ୍ୟ ସେବା,କୋଭିଡ, ଜନଗଣନା, ନିର୍ବାଚନ ସମୟରେ ଡ୍ରାଇଭର ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି । କିନ୍ତୁ ବର୍ତ୍ତମାନ ସମୟରେ ଏଭଳି ସରକାରୀ ବିଭାଗରେ କାର୍ଯ୍ୟରତ ଡ୍ରାଇଭରଙ୍କ ଦୁଃଖ କହିଲେ ନସରେ । ଅନେକ ବରିଷ୍ଠ ଡ୍ରାଇଭର ସରକାରୀ ମାନ୍ୟତା ପାଇନପାରି ତାଙ୍କ ସ୍ଵର୍ଗବାସ ଘଟିସାରିଲାଣି । ବର୍ତ୍ତମାନ ମଧ୍ୟ ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗରେ ୨୫ରୁ ୩୦ ବର୍ଷ ହେଲା କାର୍ଯ୍ୟ କରୁଥିବା ଡ୍ରାଇଭର ମାନେ ଅତ୍ୟନ୍ତ ସ୍ବଳ୍ପ ବେତନରେ ପରିବାର ପ୍ରତିପୋଷଣ କରୁଛନ୍ତି ।

ଅନ୍ୟପଟେ ଗତକାଲି ସୋନପୁର ଜିଲ୍ଲା ସରକାରୀ ମୋଟର ଚାଳକ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ସଂଘର ସଭାପତି ସଞ୍ଜିବ ନାଏକଙ୍କ ନେତୃତ୍ବରେ ସରକାରୀ କାର୍ଯ୍ୟାଳୟରେ ନିଯୁକ୍ତ ଡ୍ରାଇଭରମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକରେ ସରକାରୀ ଗାଡି ଗୁଡିକ ଚଲାଉଥିବା ଡ୍ରାଇଭରମାନେ ସ୍ଥାୟୀ ନିଯୁକ୍ତି ଦାବିରେ ଏହି ଆନ୍ଦୋଳନ କରିଥିଲେ । ଏହି କର୍ମଚାରୀମାନେ ଦୀର୍ଘ ଦିନରୁ ଏନଏମଆର, ଡି ଏଲ ଆର ଓ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରିଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଆମ୍ବୁଲାନ୍ସ ଡ୍ରାଇଭରଙ୍କ 6 ଦଫା ଦାବି, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଡ୍ରାଇଭର ମାନେ ଅସ୍ଥାୟୀ କର୍ମଚାରୀ ହୋଇଥିବାରୁ ସେମାନେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସରକାରୀ ଭାବେ ନିଯୁକ୍ତି ପାଇଥିବା ଡ୍ରାଇଭର ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ନିୟମିତ ଦରମା ପ୍ରଦାନ, ସ୍ବାସ୍ଥ୍ୟ ବୀମା ପ୍ରଦାନ, ଡ୍ରାଇଭରମାନଙ୍କ ପୁଅ ଝିଅଙ୍କୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସୁବିଧା ସୁଯୋଗ ପ୍ରଦାନ କରିବା, ଅବସରକାଳୀନ ଆର୍ଥିକ ସହାୟତା ପ୍ରଦାନ କରିବା ତଥା ଅକାଳ ବିୟୋଗରେ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ଆଦି ଦାବି କରିଛନ୍ତି । ମୁଖ୍ୟତଃ ଏହି ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ସହିତ ସମସ୍ତ ସରକାରୀ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏଯାଏଁ କୌଣସି ସହାୟତା ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି ।

ତେବେ ରାଜ୍ୟ ସରକାର ସରକାରୀ ଗାଡି ଚାଳକଙ୍କ ଆର୍ଥିକ ସମସ୍ୟାକୁ ସମ୍ବେଦନଶୀଳତାର ସହିତ ବିଚାର କରି ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଦାବି ପୂରଣ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗାଡି ଚାଳକ ।

ଇଟିଭି ଭାରତ, ସୋନପୁର ଓ ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.