ETV Bharat / state

ବୌଦ୍ଧକୁ ମିଳିଲା ଦୁଇଟି ସମ୍ମାନ, ଜିଲ୍ଲାରେ ଖୁସିର ଲହରୀ

author img

By ETV Bharat Odisha Team

Published : Aug 30, 2023, 9:31 AM IST

ବୌଦ୍ଧ ଜିଲ୍ଲାକୁ ଏକକାଳୀନ ମିଳିଲା ଦୁଇ ଦୁଇଟି ସମ୍ମାନ । ବାନ୍ଧକଳା ଓ ବୁଣାକାର ବଜାରର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନକୁ ସ୍କଚ ଆଓ୍ବାର୍ଡରେ ସମ୍ମାନିତ । ଅଧିକ ପଢନ୍ତୁ

boudh district received scotch
boudh district received scotch

boudh district received scotch

ବୌଦ୍ଧ: ଜିଲ୍ଲା ପାଇଁ ଖୁସି ଖବର । ଏକକାଳୀନ ମିଳିଲା ଦୁଇ ଦୁଇଟି ସମ୍ମାନ । ହସ୍ତତନ୍ତ କ୍ଷେତ୍ରରେ ଜିଲ୍ଲାରେ ରହିଥିବା କୃତି ଓ ବୁଣାକାରମାନଙ୍କୁ ଅଧିକ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଥିବା ବୁଣାକାର ବଜାରକୁ ମିଳିଛି ସ୍ଵୀକୃତି । ସେହିପରି ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ପୌର ପରିଷଦକୁ ରାଜ୍ୟ ସରକାର ସମ୍ମାନିତ କରିଛନ୍ତି ।

ତେବେ ବାନ୍ଧକଳାକୁ ନେଇ ଜିଲ୍ଲାର ରହିଛି ସ୍ବତନ୍ତ୍ର ପରିଚୟ । ସପେଟା ଶାଢ଼ୀ ଠାରୁ ନେଇ ବାପ୍ତା ଶାଢ଼ୀ ପର୍ଯ୍ୟନ୍ତ ଭଳକି ଭଳି ଡିଜାଇନ୍ ତଥା ବାନ୍ଧ ସାମଗ୍ରୀ ବର୍ଷ ବର୍ଷ ଧରି ଗ୍ରାହକଙ୍କ ପ୍ରଥମ ପସନ୍ଦ ରହିଆସିଛି । ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ବାନ୍ଧକଳା ସାରା ଦେଶରେ ବେଶ ପରିଚିତ । ଜିଲ୍ଲାର ମନମୁଣ୍ଡିଆ ଗାମୁଛା, ମର୍ଜାକୁଦିଆ ବାପ୍ତା କ୍ରୟ କରିବାକୁ କାହିଁ କେତେ ଦୂରରୁ ଗ୍ରାହକ ବୌଦ୍ଧ ଆସିଥାନ୍ତି । ତେବେ ଜିଲ୍ଲାର ବାନ୍ଧକଳାର ଚାହିଦାକୁ ଦୃଷ୍ଟିରେ ରଖି ଗତ ପ୍ରାୟ ୧୦ ମାସ ତଳେ ବୌଦ୍ଧ ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ବୌଦ୍ଧର ଆଦର୍ଶ କୃଷି ବଜାର ପରିସରରେ ବୁଣାକାର ବଜାରର ପରିକଳ୍ପନା କରିଥିଲେ । ଯାହା ବର୍ତ୍ତମାନ ସମୟରେ ଓଡ଼ିଶାର ଦ୍ବିତୀୟ ବୃହତ୍ତମ ବୁଣାକାର ହାଟ ଭାବରେ ବେଶ ଲୋକପ୍ରିୟ ହୋଇପାରିଛି । ଜିଲ୍ଲାର ବାନ୍ଧକଳା ଓ ବୁଣାକାର ବଜାରର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନକୁ ସ୍କଚ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି । ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ନୂଆଦିଲ୍ଲୀ ଠାରେ ଏହି ସମ୍ମାନଜନକ ସ୍କଚ ଆଓ୍ବାର୍ଡକୁ ଗ୍ରହଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- Bhoomi Samman 2023: ଆଧୁନୀକିରଣରେ ସଫଳତା, ଅନୁଗୋଳ ଜିଲ୍ଲାକୁ ଭୂମି ସମ୍ମାନ

ସେହିପରି ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ବୌଦ୍ଧ ଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ରାଜ୍ୟର ଅନ୍ୟତମ ଶ୍ରେଷ୍ଠ ଜାଗା ମିଶନ ମାଧ୍ୟମରେ ହିତାଧିକାରୀଙ୍କୁ ସହାୟତା ଯୋଗାଇ ଥିବାରୁ ସମ୍ମାନିତ ହୋଇଛନ୍ତି । ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ଭଙ୍ଗା ଦଦରା ଘରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ଗରିବ ହିତାଧିକାରୀଙ୍କୁ ବିଜୁ ପଟ୍ଟନାୟକ ଆଦର୍ଶ କଲୋନୀରେ ଜାଗା ମିଶନ ମାଧ୍ୟମରେ ଥଇଥାନ କରାଯାଇଛି । କେବଳ ଜାଗା ମିଶନ ମାଧ୍ୟମରେ ଜାଗା କିମ୍ବା ଘର ଦିଆଯାଇଛି ତାହା ନୁହେଁ ବରଂ ବସ୍ତିବାସିନ୍ଦାଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ପୌର ପରିଷଦ ପକ୍ଷରୁ ଯୋଗାଇ ଦିଆଯାଇଛି । ବର୍ତ୍ତମାନ ଉଭୟ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ପୃଥକ ଭାବରେ ସମ୍ମାନିତ ହୋଇଥିବାରୁ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଏନେଇ ବୌଦ୍ଧ ଜିଲ୍ଲାପାଳ ଓ ବୌଦ୍ଧ ନଗରପାଳ ନିଜ ପ୍ରତିକ୍ରିୟା ଇଟିଭି ଭାରତକୁ ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.