ETV Bharat / state

ରସିକିଆ ସାର୍‌: ଛାତ୍ରୀଙ୍କୁ ଦେଇବସିଲେ ମନ, ରାଜି ନହେବାରୁ ଏବେ ଦେଉଛନ୍ତି ହତ୍ୟା ଧମକ

author img

By

Published : Aug 7, 2023, 12:14 PM IST

Updated : Aug 7, 2023, 1:58 PM IST

ଛାତ୍ରୀଙ୍କୁ ଶିକ୍ଷକଙ୍କ ପ୍ରେମ ନିବେଦନ । ରାଜି ନହେବାରୁ କଲେଜ ରାସ୍ତାରେ ନାବାଳିକା ଜଣଙ୍କୁ ଧମକ ଦେଉଛନ୍ତି ଶିକ୍ଷକ । ଅଧିକ ପଢନ୍ତୁ

student refuses Teacher love proposal
student refuses Teacher love proposal

ଭଦ୍ରକ: ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ପ୍ରେମ ନିବେଦନ । ଅଷ୍ଟମ ଶ୍ରେଣୀରେ ଟ୍ୟୁସନ କରୁଥିବା ବେଳେ କରିଥିଲେ ପ୍ରେମ ନିବେଦନ । ଏବେ ନାବାଳିକା ଜଣଙ୍କ ଯୁକ୍ତ ଦୁଇ ପଢୁଥିବା ବେଳେ ମଧ୍ୟ ଶିକ୍ଷକଙ୍କ ତାଙ୍କ ପିଛା ଛାଡିନଥିବା ଅଭିଯୋଗ ହୋଇଛି । ବିବାହ ପାଇଁ ରାଜି ନହେବାରୁ ପରିବାର ଲୋକଙ୍କୁ ହତ୍ୟା ଧମକ ସହ ଦୁଷ୍କର୍ମ କରିବାକୁ ଧମକ ଦେଉଛନ୍ତି ଶିକ୍ଷକ । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାର ଧୁସୁରି ଥାନା ଅଞ୍ଚଳରୁ । ଶିକ୍ଷକ ଜଣଙ୍କ ହେଉଛନ୍ତି ବଳରାମ ନାୟକ ।

ଖପରପଦା ଗ୍ରାମର ଜଣେ ନାବାଳିକା ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ସେହି ଗ୍ରାମର ଏକ ଘରୋଇ ସ୍କୁଲର ଶିକ୍ଷକ ବଳରାମ ନାୟକ ତାଙ୍କୁ ଟ୍ୟୁସନ୍ କରୁଥିବା ବେଳେ ପ୍ରେମ ନିବେଦନ କରିଥିଲେ । ଏପରିକି ବିବାହ କରିବାକୁ ମଧ୍ୟ ଅନେକ ସମୟରେ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ ହୋଇଛି । ନାବାଳିକା ଝିଅଟି ପ୍ରତିବାଦ କରିବା ସତ୍ତ୍ଵେ ମଧ୍ୟ ଶିକ୍ଷକ ଶୁଣିବାକୁ ନାରାଜ ଥିଲେ । ଏବେ ନାବାଳିକା ଯୁକ୍ତ ଦୁଇ ପଢୁଛନ୍ତି । ସେ କଲେଜ ଯିବା ବାଟରେ ଶିକ୍ଷକ ଜଣଙ୍କ ତାଙ୍କୁ ବାଟରେ ଅଟକାଇ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କ କଥାରେ ରାଜି ନ ହେଲେ ବାପା ଏବଂ ମାଆଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ଏଥିସହ ନାବାଳିକାକୁ ଦୁଷ୍କର୍ମ କରିବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ନାବାଳିକା ଜଣକ ।

ଏହା ମଧ୍ୟ ପଢନ୍ତୁ-ଯୁବତୀଙ୍କୁ ପ୍ରେମ ନିବେଦନ ପାଇଁ ପାଣି ଟାଙ୍କି ଉପରେ ଚଢିଗଲେ ଯୁବକ, ଅଳ୍ପକେ ବର୍ତ୍ତିଗଲା ଜୀବନ

ଅନ୍ୟ ପକ୍ଷରେ ଶିକ୍ଷକ ଜଣଙ୍କ ନାବାଳିକା ଝିଅର ଫୋଟୋକୁ ଇନଷ୍ଟାଗ୍ରାମ ଆଇଡିରେ ସେୟାର କରି ଆପତ୍ତି ଜନକ ମନ୍ତବ୍ୟ ଲେଖୁଥିବା ଜଣାପଡିଛି । ତେଣୁ ଏନେଇ ନାବାଳିକା ଏବଂ ତାଙ୍କ ପରିବାର ଲୋକେ ତାଙ୍କ ଜୀବନକୁ ବିପଦ ଥିବା ଦର୍ଶାଇ ଧୁସୁରୀ ଥାନାରେ ଏକ ଅଭିଯୋଗ କରିଥିଲେ । ତତ୍ପରେ ଗ୍ରାମରେ ମଧ୍ୟସ୍ଥି ମାନଙ୍କ ଜରିଆରେ ଏହା ସମାଧାନ ମଧ୍ୟ ହୋଇଥିଲା । ହେଲେ ପୁନର୍ବାର ଶିକ୍ଷକ ପ୍ରେମ ନିବେଦନ କରୁଥିଲେ ଏବଂ ବାଟ ଘାଟରେ ହଇରାଣ ମଧ୍ୟ କରୁଥିଲେ ବୋଲି ଜଣାପଡ଼ିଛି । ତେଣୁ ବାଧ୍ୟ ହୋଇ ପରିବାର ପକ୍ଷରୁ ଥାନା ଅଧିକାରୀଙ୍କୁ ଏନେଇ ଅବଗତ କରାଯାଇଥିବା ସୂଚନା ମିଳିଛି । କିନ୍ତୁ ଥାନା ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ବୋଲି ଅଭିଯୋଗ ହୋଇଛି ।

ଶେଷରେ ବାଧ୍ୟ ହୋଇ ନାବାଳିକାଙ୍କ ସହ ତାଙ୍କ ପରିବାର ଲୋକେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ । ଯଦି ଆଗାମୀ ଦିନରେ ନ୍ୟାୟ ନମିଳେ ତେବେ ଏସପି ଅଫିସ ସମ୍ମୁଖରେ ଜୀବନ ହାରିବେ ବୋଲି ଚେତାବନୀ ଦେଇଛନ୍ତି ନାବାଳିକା ଜଣଙ୍କ । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଉପରେ ନଜର ।

ଇଟିଭି ଭାରତ, ଭଦ୍ରକ

Last Updated : Aug 7, 2023, 1:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.