ETV Bharat / state

ମେ 24ରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ଶିବ ବିବାହ, ଉଠିଲା ଲଗ୍ନ ଚିଟାଉ ଥାଳି

author img

By

Published : May 6, 2023, 9:52 AM IST

Updated : May 6, 2023, 10:22 AM IST

ଶିବ ବିବାହ ଉତ୍ସବ ପାଇଁ ଚଳଚଞ୍ଚଳ ବାବା ଆଖଣ୍ଡଳମଣିଙ୍କ ପୀଠ । ଶିବ ବିବାହ ପାଇଁ ଉଠିଲା ଲଗ୍ନ ଚିଟାଉ ଥାଳି । ମେ 24ରେ ଅନୁଷ୍ଠିତ ହେବ ଶିବ ବିବାହ ଉତ୍ସବ । ଅଧିକ ପଢନ୍ତୁ

ବାବା ଆଖଣ୍ଡଳମଣିଙ୍କ ପୀଠରେ ଶିବ ବିବାହ
ବାବା ଆଖଣ୍ଡଳମଣିଙ୍କ ପୀଠରେ ଶିବ ବିବାହ

Akhandalamani Mahadev Temple

ଭଦ୍ରକ: ଆସନ୍ତା ମେ 24 ତାରିଖରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଶୁକ୍ରବାର ବାବା ଆଖଣ୍ଡଳମଣିଙ୍କ ପୀଠରେ ଶିବ ବିବାହ ପାଇଁ ଉଠିଲା ଲଗ୍ନ ଚିଟାଉ ଥାଳି । ପାରମ୍ପରିକ ଶୋଭାଯାତ୍ରାରେ କମ୍ପିଲା ବାବା ଆଖଣ୍ଡଳମଣି ପୀଠ । ପବିତ୍ର ଚନ୍ଦନ ପୂର୍ଣ୍ଣିମା ଅବସରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରସିଦ୍ଧ ଶିବ ବିବାହ ପାଇଁ ଶୁକ୍ରବାର ଉଠିଛି ଲଗ୍ନ ଚିଟାଉ ଥାଳି । ଏହି ଲଗ୍ନ କାର୍ଯ୍ୟ ବୈଦିକ ରୀତିନୀତି ସହିତ ଲୋକାଚାର ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ସମସ୍ତ ନୀତିକାନ୍ତି ।

ଚଳିତ ବର୍ଷ ବର ପିତା ରୂପେ ସୌଭାଗ୍ୟ ପ୍ରାପ୍ତ ହୋଇଥିବା ସେବାୟତ ପ୍ରମୋଦ ପାଢୀଙ୍କ ଯଜମାନ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିବାସୀ ରଞ୍ଜନ ବେହେରା ବର ପିତାଙ୍କ ଘରୁ ଏକ ଶୋଭାଯାତ୍ରା ବାହାରି କନ୍ୟା ପିତାଙ୍କ ବାସ ଗୃହ ଅଭିମୁଖେ ବାହାରିଥିଲା । ଏହି ଶୋଭାଯାତ୍ରା ସମୟରେ ପାରମ୍ପରିକ ବାଦ୍ୟ ଯନ୍ତ୍ରରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ଆରଡି ପୀଠ । କନ୍ୟା ପିତା ଭାବେ ସୌଭାଗ୍ୟ ପ୍ରାପ୍ତି ହୋଇଥିବା ସେବାୟତ ଗଦାଧର ପାଢୀଙ୍କ ଯଜମାନ ଭୁବନେଶ୍ବର ନିବାସୀ ଚିତରଞ୍ଜନ ମିଶ୍ର ଲଗ୍ନ ଚିଟାଉ ଥାଳି ଉଠାଇଥିଲେ । ପରେ ଏହି ଲଗ୍ନ ଥାଳି ବର ପିତାଙ୍କୁ ସର୍ମପଣ କରିଥିଲେ ।

ଶିବ ବିବାହ ପାଇଁ ରୀତିନୀତି ଅନୁଯାୟୀ ଲଗ୍ନ ଥାଳି ଉଠା ନୀତି ସମାପନ ପରେ ଆଖଣ୍ଡଳମଣି ବାବାଙ୍କ ମନ୍ଦିର ଖୋଲା ଯାଇ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହୋଇଥିଲା । ଶିବ ବିବାହ ଜୈଷ୍ଠ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଅନୁଷ୍ଠିତ ହେବ ବୋଲି ବ୍ରାହ୍ମଣ ଓ ଜ୍ୟୋତିଶଙ୍କ ଦ୍ବାରା ତାଳପତ୍ର ଲିଖନୀରେ ଧାର୍ଯ୍ୟ କରାଯାଇଥିଲା । ଚଳିତ ମେ’ ମାସ 24 ତାରିଖ ଦିନ ବୈଦିକ ରୀତି ନୀତି ଏବଂ ଲୋକାଚାରରେ ହେବ ଦେବ ଦମ୍ପତିଙ୍କ ବିବାହ ।

ଲଗ୍ନ ଥାଳି ଉଠା ନୀତି ଅନୁଷ୍ଠିତ ହେବା ସହ ମଙ୍ଗୁଳା ଗୁଆ ଏବଂ ନିମନ୍ତ୍ରଣ ପତ୍ର ବର ପିତା ତଥା କନ୍ୟା ପିତାଙ୍କ ପକ୍ଷରୁ ବଣ୍ଟନ କରାଯିବ । ମେ ମାସ 23 ତାରିଖ ଦିନ ଦିଅ ମଙ୍ଗୁଳା ନୀତି ସରିବା ପରେ 24 ତାରିଖ ଦିନ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ପବିତ୍ର ଅକ୍ଷୟ ତୃତୀୟା ଦିନ ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ବର ପିତା ଏବଂ କନ୍ୟା ପିତା ଚୂଡାନ୍ତ ହୋଇଥିଲା । ଶୁକ୍ରବାର ଲଗ୍ନ ଚିଟାଉ ଥାଳି ଉଠା ନୀତି ନିମନ୍ତେ ବର ପିତାଙ୍କ ଘରୁ ଏକ ବର୍ଣ୍ଣାଢ ଶୋଭାଯାତ୍ରା ବାହାରିବା ପରେ ମନ୍ଦିର ବେଢା ପରିକ୍ରମା କରିବା ସହ କନ୍ୟା ପିତାଙ୍କ ଘରେ ପହଞ୍ଚି ଥିଲା ।

ସେଠାରେ ଲଗ୍ନ ଚିଟାଉ ବ୍ରାହ୍ମଣ ଓ ଜ୍ୟୋତିଶଙ୍କ ଦ୍ବାରା ତାଳପତ୍ରରେ ଲେଖନି ହେବା ପରେ ସର୍ବସମ୍ମତି କ୍ରମେ ବିବାହ ତାରିଖ ଧାର୍ଯ୍ୟ କରାଯାଇଥିଲା । ତେବେ ଏହି ବିବାହ ଉତ୍ସବର ମୁଖ୍ୟ ଆର୍କଷଣ ହେଉଛି ବରାନୁଗମନ ଶୋଭାଯାତ୍ରା । ଏହି ଶୋଭାଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଜିଲ୍ଲାରୁ ସାଂସ୍କୃତିକ ବାଦ୍ୟ ଦଳଙ୍କ ସହ ନୃତ୍ୟ ପରିବେଷଣ ଦଳ ଯୋଗ ଦେବେ ବୋଲି ଜଣାପଡିଛି ।

ଇଟିଭି ଭାରତ, ଭଦ୍ରକ

Last Updated : May 6, 2023, 10:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.