ETV Bharat / state

ଭଦ୍ରକ ବିଜେଡିରେ ଫାଟ ! ବିଧାୟକଙ୍କ ନାଁରେ ଜମି ଜବରଦଖଲ ଅଭିଯୋଗର ସ୍ପଷ୍ଟୀକରଣ

author img

By ETV Bharat Odisha Team

Published : Dec 11, 2023, 7:46 AM IST

ଭଦ୍ରକ ବିଜେଡିରେ ଫାଟ !
ଭଦ୍ରକ ବିଜେଡିରେ ଫାଟ !

Inter Group Conflict in Bhadrak BJD: ଭଦ୍ରକ ବିଜେଡିର ଅନ୍ତଃକନ୍ଦଳ ଏବେ ଉଗ୍ର ରୂପ ନେବାକୁ ବସିଲାଣି । ଜମି ଜବରଦଖଲ ମାମଲାରେ ସ୍ଥାନୀୟ ବିଧାୟକଙ୍କ ଅନ୍ୟ ଏକ ବିଜେଡି ଗୋଷ୍ଠୀ ଟାର୍ଗେଟ କରିଥିବା ବେଳେ ଏହାର ଉତ୍ତର ରଖିଛନ୍ତି ବିଧାୟକଙ୍କ ଓକିଲ । ଅଧିକ ପଢ଼ନ୍ତୁ

ଭଦ୍ରକ ବିଜେଡିରେ ଫାଟ !

ଭଦ୍ରକ: ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ସରକାରୀ ଜମି ଜବର ଦଖଲ କରିଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ବିଧାୟକଙ୍କ ଓକିଲ ଜତିକାନ୍ତ ନାୟକ । ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଉତ୍ତର ରଖିଛନ୍ତି । ତେବେ ଭଦ୍ରକ ତହସିଲ ଅଧୀନରେ ଏକ ଜମିକୁ ଜବରଦଖଲ କରିଥିବା ନେଇ ଭଦ୍ରକ ବିଧାୟକଙ୍କୁ ଟାର୍ଗେଟ କରିଥିଲେ ବିଜେଡିର ତାଙ୍କ ବିଦ୍ରୋହୀ ଗୋଷ୍ଠୀ । ଏହି ଘଟଣା ପରେ ଭଦ୍ରକ ରାଜନୀତି ସରଗରମ ହେବା ସହ ଦଳୀୟ ଅନ୍ତଃକନ୍ଦଳ ସାମ୍ନାକୁ ଆସିଥିଲା ।

ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ବାସଭବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ତାଙ୍କ ଓକିଲ କହିଛନ୍ତି ଯେ, ଧାମନଗର ଜମିଦାର ହାପିଜୁର ରେହେମାନଙ୍କର ଏହି ଜମି ଥିଲା । ସେ ଏହାକୁ ଅବଦୁଲ କୁଦୁସ ନାମକ ଜଣେ ବ୍ୟକ୍ତିଙ୍କୁ ଚାଷ ପାଇଁ ପଟ୍ଟା ଦେଇ କର ଅସୁଲ କରୁଥିବା ବେଳେ, ଏହାମଧ୍ୟରେ ସରକାରଙ୍କ ପକ୍ଷରୁ ଜମିଦାରୀ ଉଚ୍ଛେଦ ହେବା ପରେ ଏହି ଜମିଟି ଅବଦୁଲ କୁଦୁସଙ୍କ ନାମକୁ ହସ୍ତାନ୍ତର ହୋଇଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଗତ 60 ବର୍ଷ ତଳେ ଅର୍ଥାତ 1963 ମସିହାରେ ବିଧାୟକଙ୍କ ବାପା ପ୍ରାକ୍ତନ ବିଧାୟକ ହୃଦାନନ୍ଦ ମଲ୍ଲିକ ଭଦ୍ରକ ତହସିଲ ଅନ୍ତର୍ଗତ ନଳାଙ୍ଗ ମୌଜାରେ ଥିବା ଏହି 5 ଏକର 81 ଡିସିମିଲ ପରିମିତ ଚାଷ ଉପଯୋଗୀ ଜମିକୁ ଅବଦୁଲ କୁଦୁସଙ୍କ ନିକଟରୁ କ୍ରୟ କରି ଭୋଗଦଖଲ କରିଆସୁଥିଲେ । ତେବେ ରାଜନୈତିକ କାର୍ଯ୍ୟ ବ୍ୟସ୍ତତା ଯୋଗୁ ସେ ଏହାର ନାମଜାରୀ କରି ପାରିନଥିଲେ । ପରେ ତାଙ୍କର ଦେହାନ୍ତ ହୋଇ ଯାଇଥିଲା।

ତେଣେ କ୍ରୟ ଜମିର ନାମଜାରୀ ହୋଇ ପାରିନଥ୍‌ରୁ ମେଜର ବନ୍ଦୋବସ୍ତରେ ତାହା କୌଣସି କାରଣରୁ ସରକାରଙ୍କ ରକ୍ଷିତ ଖାତାକୁ ସ୍ଥାନାନ୍ତରିତ ହୋଇ ଉନ୍ନତ ଯୋଜନା ଯୋଗ୍ୟ ଜମି ଭାବେ ରେକର୍ଡ ହୋଇଥିଲା । ଯାହାକୁ ନେଇ ବିଧାୟକ ପରିବାର ପକ୍ଷରୁ ଭଦ୍ରକ ସବ୍‌ଜଜଙ୍କ କୋର୍ଟରେ ସରକାରଙ୍କ ବିରୁଦ୍ଧରେ ଏକ ସିଭିଲ ମକଦ୍ଦମା ଦାୟର କରାଯାଇଥିଲା । ଏହାର ଶୁଣାଣି କରି ଗତ 2010 ଅକ୍ଟୋବର 30 ତାରିଖରେ ଅଦାଲତ ଏହି ମାମଲାର ବିଚାର ପରେ ମଲ୍ଲିକ ପରିବାର ସପକ୍ଷରେ କୋର୍ଟ ଡିଗ୍ରୀ ପ୍ରଦାନ କରିଥିଲେ ବୋଲି କହିଛନ୍ତି ଭଦ୍ରକ ବିଧାୟକଙ୍କ ଓକିଲ ।

ଏହାମଧ୍ୟ ପଢନ୍ତୁ.. ଭଦ୍ରକ ବିଜେଡିରେ ଗୋଷ୍ଠୀ କନ୍ଦଳ, ଜମି ଜବରଦଖଲ ଅଭିଯୋଗରେ ବିଧାୟକଙ୍କୁ ବିରୋଧ

ତେବେ ଏହି ଜମିରୁ ଜାତୀୟ ରାଜପଥ କିଛି ଅଂଶ ଅଧିଗ୍ରହଣ କରିନେବା ପରେ ରହିଥିବା ଅବଶିଷ୍ଟ 4 ଏକର 21 ଡେସିମିଲ ଜମି ସରକାରୀ ଖାତାକୁ ଚାଲିଯାଇଥିଲେ ମଧ୍ୟ ଜମିର ଦଖଲରେ ଥିବା ମଲ୍ଲିକ ପରିବାରଙ୍କୁ ସରକାର ବେଦଖଲ କରିପାରିବେ ନାହିଁ ବୋଲି ନିଷେଧାଜ୍ଞ ଜାରି କରିଥିଲେ କୋର୍ଟ । ଏହା ଅଦ୍ୟାବଧି ସରକାରୀ ଖାତାରେ ଉନ୍ନତ ଯୋଜନା ଯୋଗ୍ୟ ଜମି ଭାବେ ଅଛି । ଯାହାକୁ ବର୍ତ୍ତମାନ ସୁଦ୍ଧା ମଲ୍ଲିକ ପରିବାର ନିଜ ଦଖଲରେ ରଖି ଭୋଗ ଦଖଲ କରି ଆସୁଛନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି ।

ତେବେ ଏହାର ମାଲିକାନା ସତ୍ତ୍ୱ ପାଇବାକୁ ପରିବାର ପକ୍ଷରୁ ଆଇନଗତ ପ୍ରୟାସ ଚାଲିଥିବା ବେଳେ ଏହାକୁ ସରକାରୀ ଜମି ହଡ଼ପ କହି ବିଧାୟକଙ୍କୁ ଟାର୍ଗେଟ କରିବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ବିଧାୟକଙ୍କ ଓକିଲା । ଅନ୍ୟପଟେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକରେ ବିଜେଡି ଦଳ ମଧ୍ୟରେ ଅନ୍ତଃକନ୍ଦଳ ଉଗ୍ର ରୂପ ନେଉଛି । ଦିନକୁ ଦିନ ବିଜେଡିର 2 ଗୋଷ୍ଠୀ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଭଦ୍ରକ ବିଧାୟକ ଏବଂ ବିଜେଡିର ତାଙ୍କ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ସଂପ୍ରତି ଉଗ୍ରରୂପ ନେବାରେ ଲାଗିଛି । ତେବେ ଏହି ଗୋଷ୍ଠୀ କନ୍ଦଳ ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି । ଅନ୍ୟପଟେ ଏହାଦ୍ବାରା ବିରୋଧି ଲାଭ ଉଠାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.