ETV Bharat / state

ପୋଲିସର ଥାର୍ଡ ଡିଗ୍ରୀରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, NHRC ନିକଟରେ ନ୍ୟାୟ ପାଇଁ ଆବେଦନ

author img

By

Published : Nov 23, 2022, 9:02 AM IST

ପୋଲିସର ଥାର୍ଡ ଡିଗ୍ରୀରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ନ୍ୟାୟ ପାଇଁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲେ ମାନବାଧିକାର କର୍ମୀ । ଅଧିକ ପଢନ୍ତୁ

ପୋଲିସର ଥାର୍ଡ ଡିଗ୍ରୀରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ,  NHRC ନିକଟରେ ନ୍ଯାୟ ପାଇଁ ଆବେଦନ
ପୋଲିସର ଥାର୍ଡ ଡିଗ୍ରୀରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, NHRC ନିକଟରେ ନ୍ଯାୟ ପାଇଁ ଆବେଦନ

ଭଦ୍ରକ: ପୋଲିସର ଥାର୍ଡ ଡିଗ୍ରୀ ପରେ ନିରଞ୍ଜନଙ୍କ ମୃତ୍ୟୁ ଘଟଣା । ଜାତୀୟ ମାନବାଧିକାର କମିଶନ (NHRC)ରେ ମୃତକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆବେଦନ କଲେ ଜାତୀୟ ମାନବାଧିକାର କର୍ମୀ ଭଜମନ ବିଶ୍ୱାଳ । ମୃତକ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଲବଗା ଗାଁର ଭାଗବତ ପାଣି ଓ ଶାନ୍ତିଲତା ପାଣିଙ୍କ ବଡ ପୁଅ ନିରଞ୍ଜନ ବୋଲି ଜଣାଯାଇଛି । ନିରଞ୍ଜନ କୌଣସି ଅପରାଧରେ ସାମିଲ ହୋଇନଥିବା ଏବଂ ତାଙ୍କର ଗିରଫ ପରେ ପରିବାର ଲୋକଙ୍କୁ ସୂଚନା ନଦେବା ଆଦି ପ୍ରସଙ୍ଗକୁ ନେଇ ଆଇନରେ ଆଶ୍ରୟ ନେବାକୁ ଚେତାବନୀ ଦିଆଯାଇଛି ।

ପୋଲିସର ଥାର୍ଡ ଡିଗ୍ରୀରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, NHRC ନିକଟରେ ନ୍ଯାୟ ପାଇଁ ଆବେଦନ

ଅଭିଯୋଗ ମୁତାବକ, ଗତ ଅକ୍ଟୋବର ୧୪ ତାରିଖରେ ଢେଙ୍କାନାଳ ଜିଲ୍ଲାର ଗଁଦିଆ ପୋଲିସ ଏବଂ ଭଦ୍ରକ ଜିଲ୍ଲା ବାସୁଦେବପୁର ପୋଲିର ମିଳିତ ଉଦ୍ୟମରେ ବଳପୂର୍ବକ ନିରଞ୍ଜନକୁ ଘରୁ ଉଠେଇ ନେଇଥିଲେ । ଏଥିସହ ନିରଞ୍ଜନ ମାଆଙ୍କ ବ୍ୟାଗରୁ ନଗଦ୍ ୨୦ ହଜାର ଟଙ୍କା ଓ ବ୍ୟବହୃତ ସୁନା ଅଳଙ୍କାର ମଧ୍ୟ ନେଇ ଯାଇଥିଲେ । କୌଣସି ଏକ ଘଟଣାରେ ନିରଞ୍ଜନକୁ ଗଁଦିଆ ପୋଲିସ ପଚରାଉଚରା କରି ଘରକୁ ପଠେଇ ଦେବ ବୋଲି ମାଆ ଶାନ୍ତିଲତାଙ୍କୁ ବାସୁଦେବପୁର ପୋଲିସ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ପୁଅ ୫ ଦିନ କାଳ ଘରକୁ ନଫେରିବାରୁ ଶାନ୍ତିଲତା ଗତ ଅକ୍ଟୋବର ୧୯ରେ ଗଁଦିଆ ଥାନାର ଆଇଆଇସିଙ୍କୁ ଭେଟିଥିଲେ । ମାତ୍ର ସେଠାରେ ପୋଲିସ ତାଙ୍କ ପୁଅ ସହିତ ଭେଟ ନକରାଇ ଗାଳିଗୁଲଜ କରି ଫେରେଇ ଦେଇଥିଲେ ।

ପରେ ଗତ ଅକ୍ଟୋବର ୨୭ ତାରିଖରେ ଢେଙ୍କାନାଳ ଏସପି ସାମ୍ବାଦିକ ସମ୍ମିଳନୀରେ ଜଣାଇଥିଲେ ଯେ, ଏକ ATM ଚୋରି ମାମଲାରେ ନିରଞ୍ଜନଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏହାର ପରଦିନ ମାଆ ଶାନ୍ତିଲତା ଢେଙ୍କାନାଳ ଜେଲରେ ପୁଅକୁ ଭେଟିଥିଲେ । ସେଠାରେ ପୁଅ ନିରଞ୍ଜନକୁ ଉଭୟ ବାସୁଦେବପୁର ଓ ଗଁଦିଆ ପୋଲିସ ଥାର୍ଡ ଡିଗ୍ରୀ ଦେବା ସହିତ ବିଭିନ୍ନ ସ୍ଥାନରେ ଅଟକ ରଖି ୨୭ ତାରିଖରେ କୋର୍ଟ ଚାଲାଣ କରିଥିବା ତାଙ୍କ ଠାରୁ ଜାଣିବାକୁ ପାଇଥିଲେ । ଏପରିକି ନିରଞ୍ଜନର ଗୁପ୍ତାଙ୍ଗରେ ଗଭୀର କ୍ଷତ ସହ ଶରୀରର ବିଭିନ୍ନ ସ୍ଥାନରେ ଖଣ୍ଡିଆ ଖାବରା ହୋଇଥିବା ମାଆ ଦେଖିବାକୁ ପାଇଥିଲେ । ସେ ପୁଅକୁ ଜାମିନରେ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ହଠାତ୍ ନିରଞ୍ଜନ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ପାଇଥିଲେ । ନିରଞ୍ଜନଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ଥିଲା ଓ ସେ କଥା ହେବା ଅବସ୍ଥାରେ ନଥିଲେ ।

ସେଦିନ ନିରଞ୍ଜନକୁ ଚିକିତ୍ସା ଲାଗି କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଚଳିତ ମାସ ୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ନିରଞ୍ଜନଙ୍କ ମୃତ୍ୟୁ ପାଇଁ ଉଭୟ ଥାନାର ପୋଲିସ ଓ ଢେଙ୍କାନାଳ ଏସପିଙ୍କୁ ଦାୟୀ କରିଛନ୍ତି ମାଆ ଶାନ୍ତିଲତା । ଏଥିସହ ୧୩ ଦିନ କାଳ ତାଙ୍କ ପୁଅକୁ ପୋଲିସ କେଉଁ ଆଇନ୍ ବଳରେ ଓ କେଉଁଠି ରଖିଲା ତାହାର ହିସାବ ମାଗିଛନ୍ତି । ନିରଞ୍ଜନଙ୍କୁ ଘରୁ ଉଠେଇ ନେବାପରେ ବାସୁଦେବପୁର ପୋଲିସକୁ ଷ୍ଟେସନ୍ ଡାଏରୀର କପି ମାଗିଥିଲେ ମାତ୍ର ଆଇଆଇସି ନଦେବାରୁ ସେ ସୂଚନା ଆଇନ୍ ବଳରେ ଆବେଦନ କରିବେ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ମୃତକ ପରିବାରକୁ ନ୍ୟାୟ ପ୍ରଦାନ କରିବା ଲାଗି ଢେଙ୍କାନାଳର ଜାତୀୟ ମାନବାଧିକାର କର୍ମୀ ଭଜମନ ବିଶ୍ୱାଳ ନୂଆଦିଲ୍ଲୀ କାର୍ଯ୍ୟାଳରେ ଅଭିଯୋଗ କରିଛନ୍ତି । ପ୍ରାଥମିକ ସ୍ତରରେ ତାଙ୍କର ଆବେଦନ ପତ୍ର ଜାତୀୟ ମାନବାଧିକାର କମିଶନ କାର୍ଯ୍ୟାଳୟରେ ଡାଏରୀ ନମ୍ବର 18567/IN/2022 ହୋଇଥିବା ଜଣାଯାଇଛି । ପୋଲିସ ନିଜକୁ ଜଣେ ବିଚାରପତି ଓ ଥାନାକୁ ବିଚାରଳୟ ଭାବୁଛନ୍ତି । ତେବେ କୋର୍ଟ ଓ ବିଚାରପତି କଣ ପାଇଁ ରହିଛନ୍ତି ବୋଲି ମାନବଧିକାର ପ୍ରତିନିଧି ପ୍ରଶ୍ନ କରିଛନ୍ତି ।

ଯେଉଁମାନେ ନିରଞ୍ଜନଙ୍କୁ ମାରିଛନ୍ତି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବା ପୂର୍ବକ ଧାରା 302, 323, 201 ଏବଂ 34 ଆଇପିସିରେ କେସ କରାଯାଇ ଅବିଳମ୍ବେ ଚାକିରିରୁ ବରଖାସ୍ତ କରାଯିବାକୁ ସେ ଆବେଦନ ପତ୍ରରେ ଦର୍ଶାଇଛନ୍ତି । ଏଥିସହ ମୃତକ ପରିବାରକୁ 15 ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବାକୁ ଭଜମନ ବିଶ୍ୱାଳ ଦାବି କରିଛନ୍ତି । ସେପଟେ ନ୍ୟାୟ ପାଇଁ ମୃତକଙ୍କ ମାଆ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ, ଜାତୀୟ ମାନବାଧିକାର କମିଶନ, ଓଡିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟର ମୁଖ୍ୟ ବିଚାରପତି, ଡିଜିପି, ରାଜ୍ୟ ମାନବଧିକାର କମିଶନ ଓ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅନୁରୋଧ କରିଥିବା ସୂଚନା ମିଳିଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.