ETV Bharat / state

ଭଦ୍ରକ ପୌରପାଳିକାରେ ବିକାଶ କାର୍ଯ୍ୟ ଠପ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ କାଉନସିଲର

author img

By

Published : Apr 18, 2023, 2:05 PM IST

ଭଦ୍ରକ ପୌରପାଳିକାରେ ହୋଇପାରୁନି ବିକାଶ କାର୍ଯ୍ୟ। ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କଲେ କାଉସିଲର । ଅଧିକ ପଢନ୍ତୁ

development work disrupted in Bhadrak municipality
development work disrupted in Bhadrak municipality

ଭଦ୍ରକ ପୌରପାଳିକାରେ ବିକାଶ କାର୍ଯ୍ୟ ଠପ

ଭଦ୍ରକ: ଭଦ୍ରକ ପୌରପାଳିକାରେ ପିଛା ଛାଡୁନି ବିବାଦ। କାଉନସିଲର ଏବଂ ଅଧ୍ୟକ୍ଷାଙ୍କ ମଧ୍ୟରେ ତୀବ୍ର ବିବାଦ ଯୋଗୁଁ ପୌରାଞ୍ଚଳରେ ବିକାଶ କାର୍ଯ୍ୟ ଠପ । ନିୟମିତ କାଉନସିଲ ବୈଠକ ହେଉନଥିବାରୁ ଜିଲ୍ଲାପାଳଙ୍କୁ ଭେଟି କାଉନସିଲରମାନେ ଅଭିଯୋଗ ଜଣାଇଛନ୍ତି । ଏଥର କାଉନସିଲ ବୈଠକକୁ ଭଦ୍ରକ ପୌରାଧ୍ୟକ୍ଷା ଗୁଲମୁକୀ ହବିବି କାଉନସିଲରମାନଙ୍କୁ ବୈଠକକୁ ଡାକିଥିଲେ। ମାତ୍ର ଏହି ବୈଠକକୁ ସଂଖ୍ୟାଧିକ କାଉନସିଲର ବର୍ଜନ କରିବା ଘଟଣା ପୌର ବିବାଦକୁ ଅଧିକ ଜଟିଳ କରିଛି । ବିଜେଡି କାଉନସିଲରମାନେ ବୈଠକକୁ ବର୍ଜନ କରି ପୌର ପାଳିକାର ଅଚଳାବସ୍ଥାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।

ବିଜେଡି କାଉନସିଲରମାନେ ଅଭିଯୋଗ କରିଛନ୍ତି ଯେ, ଭଦ୍ରକ ପୌରପାଳିକାରେ କୌଣସି ବିକାଶ କାର୍ଯ୍ୟ ହେଉନାହିଁ । ଏଠାରେ ସଫେଇ ଠିକ୍‌ ଭାବେ ହେଉ ନାହିଁ । ପୌର ସଫେଇ ପାଇଁ ଆସିଥିବା ଟଙ୍କା ସବୁ ଅବାଟରେ ଖର୍ଚ୍ଚ ହେଉଛି । ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁ ନଥିବା ବେଳେ ଅଧିକାଂଶ ୱାର୍ଡର ଲୋକେ ଅନ୍ଧାର ଭିତରେ ରହୁଛନ୍ତି । ପୌରପାଳିକାର 30 ଗୋଟି ୱାର୍ଡରେ ରାସ୍ତା ଘାଟ ନିର୍ମାଣ ଠିକ ଭାବେ ହେଉ ନଥିବା ବେଳେ ଲୋକ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସହରରେ ଡ୍ରେନେଜ୍‌ ସମସ୍ୟା ଏବେ ଉତ୍କଟ । ଡ୍ରେନ୍‌ଗୁଡିକ ସଫେଇ ହେଉ ନାହିଁ ବୋଲି 5 ନମ୍ବର ୱାର୍ଡର କାଉନସିଲର ଦିଲ୍ଲୀପ ନାୟକଙ୍କ ସମେତ ଅନ୍ୟ କେତେକ କାଉନସିଲର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେଣୁ ପ୍ରତି ମାସରେ ବୈଠକ କରାଯାଉନଥିବାରୁ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରାଯାଇ ପାରୁନାହିଁ । ପୌର ଅଧିବେଶନରେ ନିଆଯାଉଥିବା ନିଷ୍ପତ୍ତିଗୁଡିକ ଆଦୌ କାର୍ଯ୍ୟକାରୀ କରାଯାଉ ନଥିବା ବେଳେ ଗତ ଅଧିବେଶନରେ 22 କୋଟି ଟଙ୍କାର ପ୍ରକଳ୍ପ ପାରିତ ହୋଇଥିଲେ ମଧ୍ୟ ପୌରାଧ୍ୟକ୍ଷା ମନଇଚ୍ଛା କାଣ୍ଟଛାଣ୍ଟ କରି ଟେଣ୍ଡର କରାଇଥିବା ଥିବା ଅଭିଯୋଗ ଆଣିଛନ୍ତି କାଉନସିଲର ।

ଫଳରେ ପୌରାଧ୍ୟକ୍ଷାଙ୍କ କାର୍ଯ୍ୟ ଶୈଳୀରେ ଅତିଷ୍ଠ ହୋଇ ସଂଖ୍ୟାଧିକ କାଉନସିଲରମାନେ ବୈଠକକୁ ବର୍ଜନ କରିଛନ୍ତି । ପୌରପାଳିକା ପକ୍ଷରୁ ଗତ 4 ମାସ ପରେ ବୈଠକ ଡକାଯାଉଛି । ଯାହାକି ପୌରପାଳିକାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଧାରା ସମ୍ପର୍କରେ ପ୍ରତି ମାସ କାଉନସିଲର ଏବଂ ପୌରଧ୍ୟକ୍ଷାଙ୍କୁ ନେଇ ବୈଠକ ବସିବା କଥା । ମାତ୍ର ପୌରାଧ୍ୟକ୍ଷା 4 ମାସ ପରେ ବୈଠକ ଡାକିବା ଘଟଣାକୁ ସଂଖ୍ୟାଧିକ କାଉନସିଲର ବିରୋଧ କରି ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ପୌର ନିର୍ବାଚନକୁ ବର୍ଷେ ବିତିଯାଇଛି । ବର୍ଷେ ଭିତରେ ପୌରପାଳିକାରେ ଯାହା ବିକାଶ ହେବା କଥା ତାହା ହେଲା ନାହିଁ । ପରିଷଦ ବୈଠକରେ ଯେଉଁ ସବୁ ପ୍ରସ୍ତାବ ଗୃହୀତ ହୋଇଥିଲା । ସେହି ସବୁ ପ୍ରସ୍ତାବ ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟ ହୋଇନାହିଁ ସେନେଇ ଅଭିଯୋଗ ହେଇଛି । ଏହିପରି ସ୍ଥଳେ ଏବେ ସମଗ୍ର ଭଦ୍ରକ ପୌରାଞ୍ଚଳର ବିକାଶ କାର୍ଯ୍ୟ ଏକ ପ୍ରକାର କୋମା ଅବସ୍ଥାରେ । ଏନେଇ ପୌରାଧ୍ୟକ୍ଷାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.