ETV Bharat / state

ପୁଣି ଚିଟ୍ ଫଣ୍ଡ୍‌ ଠକେଇ, ଅର୍ଥ ହଡ଼ପ ପରେ ରାତାରାତି ଗାଏବ କମ୍ପାନୀ

author img

By

Published : Jun 9, 2023, 6:24 PM IST

ଡିଜିଟାଲ ସ୍ୱାଇପ ମେସିନ ଜରିଆରେ ଅନ୍‌ଲାଇନ ଟଙ୍କା କାରବାର ସହ ଗ୍ରାହକଙ୍କୁ ପ୍ରଲୋଭନ ଦେଖାଇ ଅର୍ଥ ହଡ଼ପ ହୋଇଥିବା ଅଭିଯୋଗ ଆସିଛି । କିଛି ଦିନର ବ୍ୟବଧାନ ପରେ ଅଭିଯୁକ୍ତ ପୁଣି ଥରେ କାରବାର ଆରମ୍ଭ କରିଥିବା ଜାଣିପାରି ପୋଲିସର ଜିମା ଦେଇଛନ୍ତି ଲୋକେ । ଅଧିକ ପଢନ୍ତୁ

ପୁଣି ଚିଟ୍ ଫଣ୍ଡ ଠକେଇ
ପୁଣି ଚିଟ୍ ଫଣ୍ଡ ଠକେଇ

ପୁଣି ଚିଟ୍ ଫଣ୍ଡ ଠକେଇ

ଭଦ୍ରକ: ଚିଟଫଣ୍ଡ କେଳେଙ୍କାରୀ ପରେ ଅନଲାଇନ ଜରିଆରେ ଅର୍ଥ ହଡ଼ପ । ଚତୁରତାର ସହ ଦୁଇ ଦୁଇଟି ଉପାୟରେ ଠକେଇ କରିଛି ଅଭିଯୁକ୍ତ। ଏଭଳି ଏକ ସଙ୍ଗୀନ ଘଟଣା ଦେଖିବାକୁ ମିଳିଛି ଭଦ୍ରକରେ । ସୂଚନା ଅନୁସାରେ, 2019 ମସିହାରେ ଜଣେ ଯୁବକ ଭଦ୍ରକରେ ‘ନକ୍ ଇନ ସନ୍ନ୍ୟାସନ’ ନାମରେ ଏକ କମ୍ପାନୀ ଖୋଲିଥିଲେ । ସେଥିରେ ଡିଜିଟାଲ ସ୍ୱାଇପ ମେସିନ ଜରିଆରେ ଅନ୍‌ଲାଇନ ଟଙ୍କା କାରବାର ହେଉଥିଲା । ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଗ୍ରାହକଙ୍କୁ ଆକର୍ଷିତ କରି ପରେ ସେମାନଙ୍କଠାରୁ ଅର୍ଥ ହଡପ କରି ରାତା ରାତି ଗାଏବ ହୋଇଯାଇଥିଲା ସଂସ୍ଥା।

ଅଭିଯୋଗ ଅନୁସାରେ, ଆଜକୁ 4 ବର୍ଷ ତଳେ ଭଦ୍ରକରେ ‘ନକ୍ ଇନ ସନ୍ନ୍ୟାସନ’ ନାମକ ଏକ ସଂସ୍ଥା ଖୋଲାଯାଇଥିଲା । ପ୍ରଥମେ ଠିକ ଭାବେ କାରବାର କରି ଗ୍ରାହକଙ୍କ ମନ ଜିଣିଥିଲା ସଂସ୍ଥା । ହେଲେ କାରବାର ବୃଦ୍ଧି ହେବା ପରେ ଲକ୍ଷଲକ୍ଷ ଟଙ୍କା ହଡପ କରି ରାତାରାତି ଏହି କମ୍ପାନୀ ଉଭାନ ହୋଇଯାଇଥିବା ଅଭିଯୋଗ ହୋଇଛି । ଏମିତିକି ସଂସ୍ଥାର ମୁଖ୍ୟ ବୋଲାଉଥିବା ବ୍ୟକ୍ତିଙ୍କ ମୋବାଇଲ ନମ୍ବର ବି ଆଉ କାମ କରିନଥିଲା । ଠକେଇ କରି ଯୁବକ ଜଣକ ଗାୟବ ହୋଇଯାଇଥିବାବେଳେ ଦୀର୍ଘ ଦିନ ଧରି ଏହି ଠକେଇର ଶିକାର ହୋଇଥିବା ଲୋକେମାନେ ସଂସ୍ଥାର ମୁଖ୍ୟଙ୍କ ସନ୍ଧାନରେ ଥିଲେ ।

4 ବର୍ଷର ବ୍ୟବଧାନ ପରେ ପୁଣି ଥରେ ନିଜର କଳାସାମ୍ରାଜ୍ୟ ବିସ୍ତାର କରିବାକୁ ସଂସ୍ଥାର ମୁଖ୍ୟ ‘ଟ୍ରଲି ଭେନଚ୍ୟୁର' ନାମକ ଅନ୍ୟ ଏକ ସଂସ୍ଥା ଖୋଲିଥିବା ଜଣାପଡିଥିଲା । ଯାହା ଭଦ୍ରକ, ବାଲେଶ୍ବର ଏବଂ ସୋର ଅଞ୍ଚଳରେ ଲୋକଙ୍କୁ ମାସିକ ଅଧିକ ସୁଧର ଲୋଭ ଦେଖାଇ ଟଙ୍କା ସଂଗ୍ରହ କରୁଥିବା ଖବର ମିଳିଥିଲା । ପୂର୍ବରୁ ଠକେଇର ଶିକାର ହୋଇଥିବା ଲୋକମାନେ ମିଶି ଉକ୍ତ ସଂସ୍ଥାର ଜଣେ କର୍ମଚାରୀଙ୍କୁ ପୁରୁଣା ବଜାର ଅଞ୍ଚଳରୁ କାବୁ କରିଥିବା ଜଣାପଡିଛି । ଏହାପରେ ସେମାନେ ସଂସ୍ଥାର ସେହି କର୍ମଚାରୀଙ୍କୁ ପୋଲିସର ଜିମା ଦେଇଛନ୍ତି । ଏନେଇ ଭଦ୍ରକ ଟାଉନ ଥାନାରେ ଏକ ଲିଖତ ଅଭିଯୋଗ ମଧ୍ୟ କରାଯାଇଛି । ଅଭିଯୋଗ ଆଧାରରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ତେବେ ନୂଆ ଅବତାରରେ ପୁଣି ଥରେ ବିଭିନ୍ନ ଜିଲ୍ଲାରେ ନିଜର ନେଟୱାର୍କ ସ୍ଥାପନ କରୁଥିବା ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଏହାସହ ଠକେଇ ହୋଇଥିବା ଟଙ୍କା ଯଥାଶୀଘ୍ର ଫେରସ୍ତ ପାଇଁ ଦାବି କରିଛନ୍ତି ଠକାମିର ଶିକାର ହୋଇଥିବା ଲୋକେ । ଅପରପକ୍ଷେ ଅଭିଯୁକ୍ତର ନେଟୱାର୍କ କେତେ ଦୂର ଲମ୍ବିଛି ସେନେଇ ତନାଘନା କରୁଛି ପୋଲିସ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.