ETV Bharat / state

ରାମନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ, ହିନ୍ଦୁ ନବବର୍ଷରେ ହେଲା ଗୋ-ପୂଜନ ସହ ସାଧୁସନ୍ଥ ପୂଜନ

author img

By

Published : Mar 23, 2023, 9:55 AM IST

ଐତିହାସିକ ଶ୍ରୀରାମ ନବମୀ ପାଇଁ ଶ୍ରୀରାମ ନବମୀ ମହାଯଜ୍ଞ ସମିତି ତରଫରୁ ଏକ ବିଶାଳ ମଟର ସାଇକେଲ ଶୋଭଯାତ୍ରା ଆୟୋଜିତ । ଅଧିକ ପଢନ୍ତୁ

cattle worship starts in bhadrak
cattle worship starts in bhadrak

cattle worship starts in bhadrak

ଭଦ୍ରକ: ଜିଲ୍ଲାରେ ଗଣପର୍ବ ଭାବରେ ଜଣାଶୁଣା ଶ୍ରୀରାମ ନବମୀ । ଏହା ଚଳିତ ମାର୍ଚ୍ଚ 24 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ 7 ଦିନ ବ୍ୟାପୀ ଚାଲିବ । ଏନେଇ ଐତିହାସିକ ଗାନ୍ଧି ପଡ଼ିଆ ଠାରେ ମୀନାବଜାର ଏବଂ ସନ୍ଧ୍ୟାରେ ବିଭିନ୍ନ ଆଧ୍ୟାତ୍ମିକ ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର କାର୍ଯ୍ୟସୂଚୀ ଥିବା ଜଣାପଡ଼ିଛି । ସେପଟେ ଐତିହାସିକ ଶ୍ରୀରାମ ନବମୀ ପାଇଁ ଶ୍ରୀରାମ ନବମୀ ମହାଯଜ୍ଞ ସମିତି ତରଫରୁ ଏକ ବିଶାଳ ମଟର ସାଇକେଲ ଶୋଭଯାତ୍ରା ଆୟୋଜିତ ହୋଇଯାଇଛି ।

ତେବେ ଭଦ୍ରକ ସହରର ଗାନ୍ଧୀ ପଡିଆ ଠାରୁ ବହୁ ସଂଖ୍ୟକ ଶ୍ରୀରାମଙ୍କ ଶ୍ରଦ୍ଧାଳୁ ଭକ୍ତ ମାନେ ବାଇକ ଶୋଭଯାତ୍ରାରେ ବାହାରି ଟାଉନହଲ ଛକ, କଲେଜ ରୋଡ଼, ରାନ୍ଦୀଆ, ବରପଦା ଦେଇ କାଉପୁର ସାଳନ୍ଦୀ ନଦୀ ଠାରେ ଥିବା ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ପହଞ୍ଚି ଶ୍ରୀରାମଙ୍କ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି । ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥଙ୍କୁ ସ୍ୱାଗତ କରାଯାଇଥିଲା । ତେବେ ଭାରତୀୟ ସଂସ୍କୃତିର ମୂଳ ଆଧାର, ଆସ୍ଥା ବିଶ୍ୱାସର ପ୍ରତୀକ ରୂପେ ବିବେଚନା କରାଯାଉଥିବା ଗୋ ମାତାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ତେବେ ଏହି ପବିତ୍ର ଦିବସ ଅବସରରେ ସକାଳୁ ଗୋ ମାତାଙ୍କୁ ନୂତନ ବସ୍ତ୍ର ପରିଧାନ କରାଇ ସେଠାକୁ ଅଣାଯାଇଥିଲା । ପରେ ରୀତି ନୀତି ମୁତାବକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଗୋ ମାତାଙ୍କୁ ପୂଜାର୍ଚ୍ଚନା ସହ ବନ୍ଦାପନା କରାଯାଇଥିଲା ।

ସେହିପରି ଏହି ଦିବସ ଭିତ୍ତିକ କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ମଠ ମନ୍ଦିରରୁ ଆସିଥିବା ସାଧୁ ସନ୍ଥ ମାନଙ୍କୁ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଶ୍ରୀରାମ ମହାଯଜ୍ଞ କମିଟି ପକ୍ଷରୁ କାଉପୁର ଶ୍ରୀ ରାମ ମନ୍ଦିର ନିକଟରେ ଏକ ସ୍ଵତନ୍ତ୍ର ଆଧ୍ୟାତ୍ମିକ ଭିତ୍ତିକ ସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସନ୍ଥମାନେ ଧର୍ମ ଭିତ୍ତିକ ବକ୍ତବ୍ୟ ପ୍ରଦାନ କରିବା ସହ ଗୌରବମୟ ଭାରତୀୟ ସଂସ୍କୃତି, ପରମ୍ପରା ଓ ଗୋ ସୁରକ୍ଷା ସମ୍ପର୍କରେ ସେମାନଙ୍କ ବିଚାରଧାରା ପ୍ରକାଶ କରିଥିଲେ। ଏହି ପର୍ବର ବିଶେଷ ଆକର୍ଷଣ ମହିଳା ମାନଙ୍କ ଦ୍ୱାରା ଆୟୋଜିତ କଳସ ଶୋଭାଯାତ୍ରା ଏବଂ ସୁସଜ୍ଜିତ ମେଢ ମାନଙ୍କର ନଗର ସଂକୀର୍ତ୍ତନ ଯାତ୍ରା ବୋଲି କହିଛନ୍ତି ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ନବ ନିର୍ବାଚିତ ଯୁବ ବିଧାୟକ ସୂର୍ଯ୍ୟ ବଂଶୀ ସୂରଜ ।

ହଜାର ହଜାର ମହିଳା ଶ୍ରଦ୍ଧାଳୁ ମାନେ କଳସ ଧରି ଗାନ୍ଧି ପଡିଆରୁ ଶୋଭାଯାତ୍ରାରେ ବାହରି ସହର ପରିକ୍ରମା କରିଥିଲେ । ଏଥିସହ ସାଳନ୍ଦୀ ଘାଟରୁ ଜଳ ଆଣି ଯଜ୍ଞ ମଣ୍ଡପରେ ପହଞ୍ଚିଥାନ୍ତି । ସେହିପରି ରାମ ନବମୀ ଦିନ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ପ୍ରାନ୍ତରୁ 100ରୁ ଅଧିକ ସୁସଜ୍ଜିତ ମେଢ ମାନଙ୍କର ନଗର ସଂକୀର୍ତ୍ତନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଯାହାକି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅତ୍ୟନ୍ତ ମନୋରମ ବାତାବରଣ ସୃଷ୍ଟି କରିଥାଏ । ତେବେ ଏହି ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା, ଗୋ ପୂଜନ ସହ ସାଧୁସନ୍ଥ ପୂଜନ ଉତ୍ସବ ପାଳନକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ତଥା ରାପିଡ ଆକ୍ସନ ଫୋର୍ସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.