ETV Bharat / state

ବାବା ଆଖଣ୍ଡଳମଣି ପୀଠରେ ଜାଗର ଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି

author img

By

Published : Feb 15, 2021, 8:58 PM IST

ଆଖଣ୍ଡଳମଣି ପୀଠରେ ଜାଗର ଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି । ମହାଶିବରାତ୍ରି ଉତ୍ସବ ପାଳନ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ବୟ କମିଟି ବୈଠକ ।

bhadrak administration is preparing for jagar in Baba Akhandalmani Pitha
ବାବା ଆଖଣ୍ଡଳମଣି ପୀଠରେ ଜାଗର ଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି

ଭଦ୍ରକ : ଆଖଣ୍ଡଳମଣି ପୀଠରେ ଜାଗର ଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି । ଭଦ୍ରକ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ପରିସରରେ ଆରଡ଼ିରେ ଆଖଣ୍ଡଳମଣୀଙ୍କ ମହାଶିବରାତ୍ରୀ ଉତ୍ସବ ପାଳନ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ବୟ କମିଟି ବୈଠକ ଜିଲ୍ଲାପାଳ ଡ.ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଜାଗର ଉତ୍ସବ ଆସନ୍ତା ମାର୍ଚ୍ଚ ମାସ 11 ତାରିଖରେ ପାଳନ କରାଯିବ। ମାର୍ଚ୍ଚ ମାସରେ ସରକାରଙ୍କ କୋଭିଡ ଗାଇଡ ଲାଇନ ଆସିବା ପରେ ସେହି ନିୟମାନୁସାରେ ଜାଗର ମହୋତ୍ସବ ପାଳନ କରାଯିବ । ଏଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ଜିଲ୍ଲାପାଳ ଡ.ଜ୍ଞାନ ଦାସ କହିଥିଲେ। ଜାଗରଯାତ୍ରା ଅବସରରେ ଶ୍ରୀଶ୍ରୀ ଆଖଣ୍ଡଳମଣୀ ମହାପ୍ରଭୁଙ୍କର ନୀତିନିର୍ଘଣ୍ଟ ଅନୁଯାୟୀ ପ୍ରାତଃ 4 ଘଣ୍ଟାରେ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତି ପରେ କନିକାରାଜାଙ୍କ ତରଫରୁ ପହିଲି ଘର୍ଷଣର ଭୋଗ ଓ ପ୍ରାତଃ 5.45 ମିନିଟ୍‌ରେ ପହିଲି ଭୋଗ ପରେ ସର୍ବସାଧାରଣ ଦିଅଁ ଦର୍ଶନ ଅନୁଷ୍ଠିତ ହେବ।

ବାବା ଆଖଣ୍ଡଳମଣି ପୀଠରେ ଜାଗର ଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି

ପରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପ୍ରହର ଉପଚାର ପୂଜା ସହ ରାତ୍ର 11.30 ମିନିଟରେ ଚତୁର୍ଥ ପ୍ରହର ପୂଜା ସହିତ ସର୍ବସାଧାରଣଙ୍କ ଦିଅଁ ଦର୍ଶନ ଏବଂ ଘର୍ଷଣ ଭୋଗପରେ ବିଭିନ୍ନ ସମୟରେ ବିଭିନ୍ନ ପୂଜାା ଉପଚାର ଅନୁଷ୍ଠିତ ହେବ। ରାତ୍ରୀ 12.30 ରୁ ରାତ୍ର 1.30 ମିନିଟି ପର୍ଯ୍ୟନ୍ତ ବାବାଙ୍କ ସୁନାବେଶ ସମ୍ପୂର୍ଣ୍ଣ ହେବା ସହ ମହାଦୀପ ପ୍ରସ୍ତୁତି ଆରମ୍ଭ ହେବ। ରାତ୍ର 1.30 ମିନିଟ୍‌ରୁ 3.15 ମିନିଟ ମଧ୍ୟରେ ସର୍ବସାଧାରଣଙ୍କ ସୁନାବେଶଦର୍ଶନ ହେବ। ରାତ୍ର 3.15 ରୁ ରାତ୍ର 4.15 ମିନିଟ୍ ମଧ୍ୟରେ ମହାଦୀପ ପୂଜା ସହ ରାତ୍ର 4.15 ଘଟିକାରୁ 4.30 ମଧ୍ୟରେ ମହାଦୀପ ଗମ୍ଭୀରାରୁ ଆସି ରାତ୍ର 5 ଘଟିକା ମଧ୍ୟରେ ମହାଦୀପ କୀର୍ତ୍ତନ ସହ ବେଢା ପରିକ୍ରମା ପରେ ମନ୍ଦିର ଚୁଡାରେ ସ୍ଥାପନ ହେବ। ଜାଗରଯାତ୍ରା ଅବସରରେ ଭକ୍ତଙ୍କ ସମାଗମ ହେତୁ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ମ୍ୟାନେଜିଙ୍ଗ ଟ୍ରଷ୍ଟି ତରଫରୁ ବିହିତ ପଦକ୍ଷେପ ଗ୍ରହଣ କରାଯିବ। ଏହି ବୈଠକରେ ଟ୍ରଷ୍ଟ ବୋର୍ଡ଼ର ସଭାପତି ତଥା ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ତଥ୍ୟ ଉପସ୍ଥାପନ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତିନ ପଣ୍ଡା କହିଥିଲେ ଜାଗର ଉତ୍ସବ କିପରି ଶାନ୍ତିଶୃଙ୍ଖଳା ପାଇଁ ଅଧିକ ଆବଶ୍ୟକ ପୋଲିସ ଫୋର୍ସ ବ୍ୟବସ୍ଥା କରାଯିବ । ଏହାସହିତ ପକେଟମାର ଓ ଛିନତାଇ ଭଳି ଅସମାଜିକ ବ୍ୟକ୍ତିଙ୍କ ଉପରେ ସାଧା ପୋଷାକରେ ପୋଲିସ ମୁତୟନ କରାଯିବ । ଏହି ଉତ୍ସବ ରାତ୍ରୀ କାଳୀନ ହେତୁ ସେହି ସମୟରେ ବିଦ୍ୟୁତ୍‌କାଟ ନକରିବା , ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ରାସ୍ତାଘାଟ ମରାମତି, ଗମନାଗମର ସୁବିଧା, ପାନୀୟ ଜଳ ପାଇଁ ଟ୍ୟାଙ୍କର ବ୍ୟବସ୍ଥା ସହିତ ପରିମଳ ସଫା ସୂତୁରା ଓ ସ୍ବାସ୍ଥ୍ୟସେବ ପାଇଁ ସ୍ବାସ୍ଥ୍ୟ କେନ୍ଦ୍ର୍ର ସହ ଆମ୍ବୁଲାନ୍ସ ଓ ଡ଼ାକ୍ତର ବ୍ୟବସ୍ଥା କରାଯିବ । ଯାତ୍ରା ପୂର୍ବରୁ ମାଦକ ଦ୍ରବ୍ୟ ବନ୍ଦ କରିବା, ସୂଚନା କେନ୍ଦ୍ର ଓ କଣ୍ଟ୍ରୋଲ ରୁମ ଖୋଲିବା ଉପରେ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଥିଲେ। ଜାଗର ଯାତ୍ରା ଦିନ ସମୟରେ ଫେରିଘାଟ ଖୋଲା ରହିବ । ଭକ୍ତ ମାନଙ୍କର ସୁରକ୍ଷା ପାଇଁ ସନ୍ଧ୍ୟା 6 ଘଟିକା ପରେ ଡ଼ଙ୍ଗା ଚଳାଚଳ ବନ୍ଦ ରଖିବା ସହିତ ଯାତ୍ରୀବାହୀ ଗାଡି ଏବଂ ଡଙ୍ଗା ଗୁଡ଼ିକରେ ଅତ୍ୟଧିକ ଯାତ୍ରୀ ପରିବହନ ଉପରେ କଟକଣା ଜାରି କରାଯାଇଛି। ତେବେ ମାର୍ଚ୍ଚ ମାସରେ କୋଭିଡ ଗାଇଡ ଲାଇନ ଆସିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ସମାରୋହ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.