ETV Bharat / state

ପାନୀୟ ଜଳ ସମସ୍ୟା ନେଇ ପିଏଚଡି ଅଫିସ ଘେରିଲେ ମହିଳା

author img

By

Published : Jul 11, 2023, 11:40 AM IST

ପାନୀୟ ଜଳ ସମସ୍ୟା ନେଇ ପିଏଚଡି ଅଫିସ ଘେରିଲେ ବରଗଡ ସହରର 4 ନମ୍ବର ୱାର୍ଡ ମହିଳା । ଅଧିକ ପଢନ୍ତୁ

ପାନୀୟ ଜଳ ସମସ୍ୟା ନେଇ ପିଏଚଡି ଅଫିସ ଘେରିଲେ ମହିଳା
ପାନୀୟ ଜଳ ସମସ୍ୟା ନେଇ ପିଏଚଡି ଅଫିସ ଘେରିଲେ ମହିଳା

ବରଗଡ: ସହରର 4 ନମ୍ବର ୱାର୍ଡରେ ଦୀର୍ଘ ଦିନ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଛି । ପାନୀୟ ଜଳ ଯୋଗାଣ ପାଇପରେ ପାଣି ଆସୁନି । ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବି ହୋଇଥିଲେ ହେଁ କେହି କର୍ଣ୍ଣାପତ କରୁନାହାନ୍ତି । ଯେଉଁଥିପାଇଁ ଶେଷରେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ୱାର୍ଡର ଏକାଧିକ ମହିଳା । ସୋମବାର ବରଗଡ଼ ୱାର୍ଡ ନମ୍ବର 4 ତଳିପଡ଼ାର ବାସିନ୍ଦା ସହକାରୀ ନିର୍ବାହୀ ଯନ୍ତ୍ରୀ ଜନସ୍ବାସ୍ଥ୍ୟ ଉପଖଣ୍ଡଙ୍କ କାର୍ଯ୍ୟଳୟରେ ଧାରଣା ପ୍ରଦର୍ଶନ କରିଛନ୍ତି । ନିର୍ବାହୀ ଯନ୍ତ୍ରୀ ଅଫିସରେ ଉପସ୍ଥିତ ନଥିବା ବେଳେ ଯେପର୍ଯ୍ୟନ୍ତ ଜଳ ସମସ୍ୟାର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମହିଳାମାନେନେ ଅଡ଼ି ବସିଥିଲେ ।

ସୂଚନା ଅନୁସାରେ, ବରଗଡ଼ ସହରର 4ନଂ ୱାର୍ଡରେ ପାଣି ସମସ୍ୟା ଯୋଗୁଁ ବେଳେ ପଡାବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ପାନୀୟ ଜଳ ଯୋଗାଣ ପାଇପରେ ପିଇବା ପାଇଁ ପାଣି ଆସୁନି । ଏ ସମ୍ପର୍କରେ ପଡ଼ାବାସୀ ମାସ ହେଲା ଅଭିଯୋଗ କରିଆସୁଥିଲେ | ହେଲେ ବିଭାଗୀୟ ଅଧିକାରୀମାନେ ବିଭିନ୍ନ ଆଳ ଦେଖାଇ ସମସ୍ୟାର ସମାଧାନ କରୁନଥିଲେ । ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ କହି ଲୋକଙ୍କୁ ଭୁଆଁ ବୁଲାଉଥିଲେ । ଏମିତି ପ୍ରତିଶ୍ରୁତିରେ ଗ୍ରୀଷ୍ମ ଶେଷ ହୋଇ ବର୍ଷା ଆସିଲା, ମାତ୍ର ବିଭାଗୀୟ କର୍ମଚାରୀଙ୍କ ଦେଖା ମିଳିଲାନି । ବିଛା ଯାଇଥିବା ପାଇପ୍‌ ଲାଇନରେ କୌଣସି ତ୍ରୁଟି ରହିଥିବା ନେଇ ବିଭାଗୀୟ କର୍ମଚାରୀମାନେ କହୁଥିବାବେଳେ ଏହାର ସମାଧାନ ପାଇଁ ଆଦୌ ଗୁରୁତ୍ଵ ଦେଇନଥିଲେ ।

ଏହାମଧ୍ୟ ପଢନ୍ତୁ: ପ୍ରଶାସନ ସହ ଆଲୋଚନା ବିଫଳ: ଜାରି ରହିବ ଆନ୍ଦୋଳନ

ଏଭଳି ଅବହେଳାରେ ଉତ୍ୟକ୍ତ ହୋଇ ଶେଷରେ ତଳିପଡ଼ା ବାସିନ୍ଦା ସ୍ଥାନୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଜନସ୍ବାସ୍ଥ୍ୟ ଉପଖଣ୍ଡଙ୍କ କାର୍ଯ୍ୟଳୟକୁ ପହଞ୍ଚି ଧାରଣାରେ ବସିଥିଲେ | ସରକାରୀ କାର୍ମଚାରୀମାନେ ଯେତେ ବୁଝାଇଲେ ମଧ୍ୟ ଆନ୍ଦୋଳନକାରୀ ମହିଳାମାନେ ମାନିବାକୁ ନାରାଜ ଥିଲେ ଏବଂ ଯେପର୍ଯ୍ୟନ୍ତ ପାନୀୟ ଜଳ ସମସ୍ୟାର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ । ଶେଷରେ ଖୁବଶୀଘ୍ର ସେମାନଙ୍କ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ମିଳିବା ପରେ ମହିଳାମାନେ ଆନ୍ଦୋଳନରୁ ଓହରିଥିଲେ ।

ରାଜ୍ୟ ସରକାର ବରଗଡ଼ ସହରରେ ପାନୀୟ ଜଳ ସମସ୍ୟା ଦୂର କରିବା ତଥା ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ୩୭ କୋଟି ଟଙ୍କା ବିନିମୟରେ ବରଗାଁରେ ବୃହତ୍ ଜଳ ପ୍ରକଳ୍ପ ନିର୍ମାଣ କରିଛନ୍ତି । ହେଲେ ସରକାରୀ କର୍ମଚାରୀଙ୍କ ଅବହେଳା କାରଣରୁ ବରଗଡ଼ବାସୀ ଏହି ପ୍ରକଳ୍ପର ଲାଭ ପାଇ ପାରୁନଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.