ETV Bharat / state

ଥଇଥାନ ପୂର୍ବରୁ ଉଚ୍ଛେଦ ନୋଟିସ, ରାଜରାସ୍ତାକୁ ଓହ୍ଲାଇଲେ ବୁଣାକାର

author img

By

Published : May 16, 2023, 7:12 AM IST

ଥଇଥାନ ପୂର୍ବରୁ ବୁଣାକାରଙ୍କୁ ଉଚ୍ଛେଦ ନୋଟିସ । ରାଜରାସ୍ତାକୁ ଓହ୍ଲାଇଲେ ବରଗଡ଼ ଜିଲ୍ଲାର ଶତାଧିକ ବୁଣାକାର । ଅଧିକ ପଢ଼ନ୍ତୁ

weavers protest in bargarh
ଥଇଥାନ ଦାବିରେ ବୁଣାକାରଙ୍କ ବିକ୍ଷୋଭ ପ୍ରଦର୍ଶନ

ଥଇଥାନ ଦାବିରେ ବୁଣାକାରଙ୍କ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼: ଥଇଥାନ ନକରି ଉଚ୍ଛେଦ କରିବା ନେଇ ରାଜରାସ୍ତାକୁ ଓହ୍ଲାଇଲେ ବରଗଡ଼ ବୁଣାକାର । ବରଗଡ଼ ବ୍ଲକ ଅନ୍ତର୍ଗତ ବେହେରା ବଜାରରେ ଥିବା ବହୁ ପୁରାତନ ସମ୍ବଲପୁରୀ କପଡା ବଜାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଅନେକ ବୁଣାକାରମାନଙ୍କୁ ବିଭାଗୀୟ କାର୍ଯ୍ୟାଳୟ ପକ୍ଷରୁ ନୋଟିସ ପ୍ରଦାନ କରାଯାଇଛି । ହେଲେ ବ୍ୟବସ୍ଥା କରାଯାଇଥିବା ନୂତନ ବଜାରକୁ ସ୍ଥାନାନ୍ତର ହେବାକୁ ବୁଣାକାରମାନେ ଅଗ୍ରାହ୍ୟ ପ୍ରକାଶ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ବେହେରା ବଜାର ନିକଟରେ ସରକାର ବୁଣାକାରମାନଙ୍କ ପାଇଁ ଏକ ନୂତନ ବୁଣାକାର ବଜାର ନିର୍ମିତ କରିଥିବାବେଳେ ସେହି ନୂତନ ବଜାରକୁ ସ୍ଥାନାନ୍ତରିତ ହେବାକୁ ନୋଟିସ ଜାରି କରାଯାଇଛି । ତେବେ ନୂତନ ବଜାରରେ ବୁଣାକାରମାନଙ୍କ ପାଇଁ ଯଥେଷ୍ଟ ସ୍ଥାନ ନଥିବା ନେଇ ଅଭିଯୋଗ ହୋଇଛି । ତେବେ ଉକ୍ତ ବେହେରା ବଜାର ଉପରେ ନିର୍ଭର କରୁଥିବା ଛୋଟିଆ ବୁଣାକାରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ମା’ ସମଲେଶ୍ୱରୀ ସମ୍ବଲପୁରୀ କପଡ଼ା ବଜାର ବୁଣାକାର ସଂଘ ନେତୃତ୍ୱରେ ଶହଶହ ବୁଣାକାର ଏକାଠି ହୋଇ ବେହେରା ବଜାର ସମ୍ମୁଖରେ ରାସ୍ତାରୋକ କରିଥିଲେ । ବେହେରା କପଡା ବଜାର ଉଚ୍ଛେଦ ନକରିବାକୁ ଜିଲ୍ଲା ପ୍ରଶାସନକୁ ଦାବି ଜଣାଇବା ସହିତ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି ।

ଏନେଇ ବୁଣାକାର ସଂଘ ସଭାପତି କହିଛନ୍ତି, "ଜିଲ୍ଲାରେ ଯେତେ ସଂଖ୍ୟାରେ ବୁଣାକାର ବ୍ୟବସାୟୀ ରହିଛନ୍ତି ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଜାଗାରେ ସମସ୍ତେ ବ୍ୟବସାୟ କରିବା ସମ୍ଭବ ନୁହେଁ । ତେଣୁ ଅଧିକ ସ୍ଥାନ ନଦେଲେ ପୁରୁଣା ଜାଗା ଛାଡିବୁ ନାହିଁ । କିନ୍ତୁ ଆମ ପ୍ରସ୍ତାବରେ ଅଗ୍ରାହ୍ୟ ପ୍ରକାଶ କରି ପ୍ରଶାସନ ପକ୍ଷରୁ ରୋକଠୋକ ମନା କରିଦିଆଯାଇଥିଲା ଯେ, ସରକାର କୋଟିକୋଟି ଟଙ୍କା ବିନିମୟରେ ଏକ ସ୍ଵତନ୍ତ୍ର ବୁଣାକାର ବଜାର ଖୋଲିଛନ୍ତି ଏବଂ ଅନ୍ୟ ବଜାର ପାଇଁ ଅନୁମତି ଦିଆଯିବ ନାହିଁ ।

ବିକ୍ଷୋଭ ସମୟରେ ବରଗଡ଼-ବଲାଙ୍ଗୀର ୨୦୧ ନମ୍ବର ଜାତୀୟ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ହୋଇଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁସଂଖ୍ୟକ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିଥିଲା । ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ପ୍ରଶାସନ ପକ୍ଷରୁ ବୁଣାକାରଙ୍କ ସୁବିଧା ପାଇଁ ନିର୍ଭର ପ୍ରତିଶ୍ରୁତି ଦିଆଯାଇ ଉଭୟ ପକ୍ଷରୁ ଆଲୋଚନା ପରେ ବୁଣାକାରମାନେ ରାଜପଥ ଉପରୁ କରାଯାଇଥିବା ଆନ୍ଦୋଳନରୁ ଓହରିଥିଲେ । ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା । ତେବେ ମା’ ସମଲେଶ୍ୱରୀ ସମ୍ବଲପୁରୀ କପଡ଼ା ବଜାର ବୁଣାକାର ସଂଘ ପକ୍ଷରୁ ଏକ ଟିମ୍‌ ବରଗଡ଼ ଜିଲ୍ଲାପାଳଙ୍କ ନିକଟରେ ପୁଣି ତାଙ୍କର ଦାବିକୁ ଆଲୋଚନା ପାଇଁ ଆସିଥିଲେ ଏବଂ ସେଥିରେ ବିଫଳ ହୋଇଥିଲେ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.