ବଲାଙ୍ଗୀର ଦାୟିତ୍ବରୁ ଓହରିଗଲେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଅନ୍ୟ ଜିଲ୍ଲାର ସୁଧାରଗୃହକୁ ପଠାଇବା ପାଇଁ ଜିଲ୍ଲାପାଳ CDMOଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଜିଲ୍ଲାପାଳଙ୍କ ଚିଠିକୁ ଖାତିର ନକରି ଚୁପ ରହିଗଲେ । ରାସ୍ତାରୁ ଉଦ୍ଧାର କରାଯାଇଥିବା ଅସହାୟ ମହିଳାଙ୍କୁ ସହାୟତା ନଯୋଗାଇବା ନେଇ ବରଗଡ଼ ମହିଳା CDMOଙ୍କ ବିରୋଧରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି । ସୂଚନା ଅନୁଯାୟୀ ଗତ 17 ତାରିଖରେ ବରଗଡ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଠାରେ ରାସ୍ତାକଡରେ ବୁଲୁଥିବା ଏକ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଦେଖି କିଛି ସ୍ଥାନୀୟ ଲୋକେ ବରଗଡ଼ର ସମାଜସେବୀ ସଂଗଠନକୁ ସହାୟତା ପାଇଁ ଯୋଗାଯୋଗ କରିଥିଲେ । ସମାଜସେବୀ ସଂଗଠନ ରାସ୍ତା କଡରୁ ମହିଳାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ସେଠାରେ ଥିବା ସଖି ସେଣ୍ଟରରେ ରଖି ଚିକିତ୍ସା କରାଇଥିଲେ । ସୁନ୍ଦରଗଡ଼ ଠାରେ ଥିବା ସୁଧାର ଗୃହରେ ଉକ୍ତ ମହିଳାଙ୍କ ଥଇଥାନ ପାଇଁ ସଂଗଠନ ଯୋଗାଯୋଗ କରିଥିଲା । ମାତ୍ର ସେ ମାନସିକ ରୋଗୀ ହୋଇଥିବାରୁ ଆମ୍ବୁଲାନ୍ସ ପାଇଁ ସ୍ୱାସ୍ଥ୍ୟ ବିଭାଗର ସାହାଯ୍ୟ ଲୋଡ଼ିଥିଲା ସମାଜସେବୀ ସଂଗଠନ l ଜିଲ୍ଲା ପ୍ରଶାସନର DSSO ADM ସ୍ୱାସ୍ଥ୍ୟ ବିଭାଗର CDMO ADMO ଏପରି ଅନେକ ସରକାରୀ କର୍ମଚାରୀଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ କେହିବି ଏହି ସମସ୍ୟାର ସମାଧାନ ନିମନ୍ତେ ଆଗେଇ ଆସିନଥିଲେ ଓଲଟା ସମସ୍ତେ କହିଲେ ଯେ ଏହା ଆମର କାମ ନୁହେଁ । ଏହି ପ୍ରକ୍ରିୟା ଦୁଇ ଦିନ ଧରି ଚାଲିଥିଲା ଶେଷରେ ସମାଜସେବୀ ନିଜେ ସୁନ୍ଦରଗଡ ଜିଲ୍ଲା ସ୍ଥିତ ସୁଧାର ଗୃହ କୁ ଉକ୍ତ ମହିଳାଙ୍କୁ ନେବାକୁ ବ୍ୟବସ୍ଥା କରିଥିଲେ । ବରଗଡ CDMOଙ୍କ ନିକଟକୁ ତା 200523 ପତ୍ର ସଂଖ୍ୟା 773ରେ ଜିଲ୍ଲାପାଳ ଏକ ଚିଠି ମାଧ୍ୟମରେ ଉକ୍ତ ଅସହାୟ ମହିଳାଙ୍କ ଥଇଥାନ ପାଇଁ ଆମ୍ବୁଲାନ୍ସ ଯୋଗେଇଦେବାକୁ ଉଲ୍ଲେଖ କରିଥିଲେ । ମାତ୍ର CDMO ଜିଲ୍ଲାପାଳଙ୍କ ଏହି ଚିଠିକୁ ଖାତିର କଲେ ନାହିଁ ଏବଂ ଆମ୍ବୁଲାନ୍ସର ବ୍ୟବସ୍ଥା କଲେ ନାହିଁ । ଓଲଟା CDMO କହିଲେ ଯେ ଜିଲ୍ଲାପାଳଙ୍କ କୌଣସି ଚିଠି ଆସିନାହିଁ ଏବଂ ମୁଁ କଣ କରିବି ତାହା ADMOଙ୍କ କାମ ଜିଲ୍ଲା ପ୍ରଶାସନର ସହାୟତା ନ ଲୋଡି ବର୍ତ୍ତମାନ ସମାଜସେବୀ ସଂଗଠନ ନିଜେ ଅସହାୟ ମହିଳାଙ୍କ ଥଇଥାନ ପାଇଁ ଅଣ୍ଟା ଭିଡିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଯାହା ଜିଲ୍ଲା ପ୍ରଶାସନର କର୍ତ୍ତବ୍ୟ ଅଟେ ତାହା ଏକ ସମାଜସେବୀ ସଂଗଠନ ବିନା ସ୍ଵାର୍ଥ୍ୟରେ ବିନା ମୂଲ୍ୟରେ ନିଜର ଏକ ସାମାଜିକ ଦାୟିତ୍ଵ ବୋଲି ମନେକରି ସମସ୍ୟାର ସମାଧାନ ପାଇଁ ଆଗେଇ ଆସୁଥିବାବେଳେ ପ୍ରଶାସନିକ ଅଧିକାରୀ ଏବଂ ବିଭାଗୀୟ କର୍ମଚାରୀ ମାନେ ଏହାକୁ ଅଣଦେଖା କରୁଛନ୍ତି । ଯାହାକୁ ନେଇ ବରଗଡ଼ବାସୀଙ୍କ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି । ଇଟିଭି ଭାରତ ବରଗଡ଼