ରକ୍ତ ଭଣ୍ଡାରରେ ହେରଫେର, କର୍ମଚାରୀ ବହିଷ୍କୃତ
Published: Mar 18, 2023, 8:20 PM

ରକ୍ତ ଭଣ୍ଡାରରେ ହେରଫେର, କର୍ମଚାରୀ ବହିଷ୍କୃତ
Published: Mar 18, 2023, 8:20 PM
ବରଗଡ଼ ଜିଲ୍ଲା ସ୍ଥିତ ଓଡ଼ିଶା ରକ୍ତ ଭଣ୍ଡାରରୁ ଅସହାୟ ଲୋକଙ୍କ ଠାରୁ ଚଢ଼ା ଦରରେ ରକ୍ତ ବିକ୍ରି ନେଇ ଅଭିଯୋଗ । କାର୍ଯ୍ୟରୁ ବହିସ୍କୃତ ହେଲେ କାର୍ଯ୍ୟରତ କର୍ମଚାରୀ ଅବନୀ ରଞ୍ଜନ ସାହୁ । ଅଧିକ ପଢ଼ନ୍ତୁ
ବରଗଡ଼: ଜିଲ୍ଲା ରକ୍ତ ଭଣ୍ଡାରରୁ ଚଢ଼ା ଦରରେ ବିକ୍ରି ହେଉଛି ରକ୍ତ । ବରଗଡ଼ ରକ୍ତ ଭଣ୍ଡାରରେ ଅବନୀ ରଞ୍ଜନ ସାହୁ ନାମକ ଜଣେ କର୍ମଚାରୀଙ୍କ ନାମରେ ରକ୍ତ ବିକ୍ରି କରୁଥିବା ଭଳି ଗୁରୁତର ଅଭିଯୋଗ ଆସିଛି । ଜୀବନ ବଞ୍ଚାଇବାକୁ ରୋଗୀଙ୍କ ପରିଜନମାନେ ରକ୍ତ ନେବାକୁ ସରକାରୀ ଡାକ୍ତରଖାନା ପରିଷରରେ ଥିବା ରକ୍ତ ଭଣ୍ଡାରକୁ ଆସୁଥିବା ବେଳେ ସେଠାରେ କାର୍ଯ୍ୟରତ କର୍ମଚାରୀ ଅବନୀ ରଞ୍ଜନ ସାହୁ ଗରିବ ଅସହାୟଙ୍କ ଠାରୁ ମାତ୍ରାଧିକ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ ହୋଇ ଉକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ କାର୍ଯ୍ୟକୁ ବହିସ୍କୃତ କରାଯାଇଛି ।
ଅଭିଯୋଗ ଅନୁଯାୟୀ, ଜଣେ ବ୍ୟକ୍ତି ତାଙ୍କ ମାଆଙ୍କ ପାଇଁ ରକ୍ତ ଯୋଗାଡ଼ କରିବାକୁ ବରଗଡ଼ ସ୍ଥିତ ଓଡ଼ିଶା ରକ୍ତ କେନ୍ଦ୍ରକୁ ଯାଇଥିଲେ । ମୂଲ୍ୟ ଧାର୍ଯ୍ଯ ଅନୁସାରେ ରକ୍ତ ପାଇଁ ୪୫୦ ଟଙ୍କା ବିଲ କଟାଯାଇ ୫୦୦ ଟଙ୍କା ମାଗିଥିଲେ କର୍ମଚାରୀ ଅବନୀ ରଞ୍ଜନ ସାହୁ । ସେହିପରି ଅନ୍ୟ ଲୋକଙ୍କ ଠାରୁ ମଧ୍ୟ ଏପରି ଚଢ଼ା ଦରରେ ରକ୍ତ ବିକ୍ରି କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ସମାଜସେବୀ ସଂଗଠନ ସଂକଳ୍ପ ପରିବାର ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା ଏବଂ ବ୍ଲଡ ବ୍ୟାଙ୍କ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ମାତ୍ର ଧାର୍ଯ୍ୟ ଦରରୁ ଅଧିକ ଅର୍ଥ ଦାବି କରୁଥିବା ଉକ୍ତ କର୍ମଚାରୀ ଜଣକ ଧରା ପଡିବା ପରେ ମଧ୍ୟ ସେ ନିଜର ଭୁଲ ମାନୁ ନଥିବା ବେଳେ ବିଭାଗୀୟ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ପ୍ରମାଣ ଦେବା ପରେ ସେ ଉକ୍ତ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଅନ୍ୟପଟେ ଉକ୍ତ କର୍ମଚାରୀଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାରୁ କର୍ମଚାରୀ ଜଣକ ନିଶାସକ୍ତ ଅବସ୍ଥାରେ ସମାଜସେବୀ ସଙ୍ଗଠନର କର୍ମକର୍ତ୍ତାମାନଙ୍କୁ ଫୋନରେ ଧମକ ଦେଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ସହରରେ ରକ୍ତର ଅଭାବ ରହୁଥିବାବେଳେ ଅନେକ ସାମାଜିକ ଅନୁଷ୍ଠାନ ଗୁଡିକ ରକ୍ତଦାନ ଶିବିର ଆୟୋଜନ କରି ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୂର କରିବାକୁ ଚେଷ୍ଟା କରନ୍ତି । ଏହାରି ମଧ୍ୟରେ ଗରିବଙ୍କ ଠାରୁ ଧାର୍ଯ୍ୟ ଦରରୁ ଅଧିକ ଅର୍ଥ ନେଇ ରକ୍ତ ବିକ୍ରି କରୁଥିବା ଘଟଣା ଏକ ଚର୍ଚ୍ଚାର କାରଣ ପାଲଟିଛି । କର୍ମଚାରୀଙ୍କ ଏପରି କାର୍ଯ୍ୟକଳାପକୁ ବରଗଡ଼ ବୁଦ୍ଧିଜୀବୀ ମହଲ ନିନ୍ଦା ପ୍ରକାଶ କରିଛି ।
ଅନ୍ୟ ସଙ୍ଗଠନମାନେ ମଧ୍ୟ ଉକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟାଉନ ଥାନାରେ ଦାବି ଜଣାଇଛନ୍ତି । ତେବେ ସାମାଜସେବୀଙ୍କୁ ଫୋନରେ ଧମକ ଦେବା ଅଭିଯୋଗରେ ଟାଉନ ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ଉକ୍ତ କର୍ମଚାରୀଙ୍କୁ ଗିରଫ କରିବାକୁ ହସ୍ପିଟାଲକୁ ଯାଇଥିବା ବେଳେ ହସ୍ପିଟାଲରୁ ତାଙ୍କୁ ବହିସ୍କାର କରି ଦିଆଯାଇଥିବା କୁହାଯାଇଥିଲା । ତେବେ ପୋଲିସ ଉକ୍ତ କର୍ମଚାରୀଙ୍କ ଭଡା ଘରକୁ ଯାଇଥିବା ବେଳେ କର୍ମଚାରୀ ଜଣକ ଭଡାଘର ଛାଡି ସପରିବାର ଅନ୍ୟତ୍ର ଚାଲିଯାଇଥିବା ଜଣାପଡିଛି ।
ଇଟିଭି ଭାରତ, ବରଗଡ଼
