ETV Bharat / state

Attabira NAC election: ଚାଲିଛି ଭୋଟିଂ, ମତଦାନକୁ ନେଇ ଉତ୍ସାହିତ ନୂତନ ଭୋଟର

author img

By

Published : Apr 3, 2023, 11:07 AM IST

ଅତାବିରା ଏନଏସି ନିର୍ବାଚନ ନେଇ ଜାରି ରହିଛି ମତଦାନ ପ୍ରକ୍ରିୟା । ଭୋଟ ଦେଇ ଖୁସି ବ୍ୟକ୍ତ କଲେ ନୂତନ ଭୋଟର । ଅଧିକ ପଢନ୍ତୁ

new voters in attabira election
new voters in attabira election

new voters in attabira election

ବରଗଡ: ଆରମ୍ଭ ହୋଇଯାଇଛି ଅତାବିରା ଏନଏସି ନିର୍ବାଚନ ପାଇଁ ମତଦାନ । ସକାଳ 8 ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମତଦାନ କେନ୍ଦ୍ରେର ଭୋଟ ଦେବାରୁ ଧାଡିରେ ଛିଡା ହୋଇଛନ୍ତି ଭୋଟର । ଜଣଙ୍କ ପରେ ଜଣେ ଭୋଟର ଭୋଟ ଦେଉଛନ୍ତି । ଚଳିତ ଥର ଅନେକ ନୂତନ ମତଦାତା ପ୍ରଥମ ଥର ମତଦାନ ପାଇଁ ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି l ତେବେ ଅତାବିରା ଅଞ୍ଚଳ କୃଷିପ୍ରଧାନ ଅଞ୍ଚଳ ହୋଇଥିବାରୁ ଅନେକ ମହିଳା ଭୋଟର ସକାଳୁ ହିଁ ଭୋଟ ଦେବାକୁ ପହଁଞ୍ଚିଥିବା ବେଳେ ପୁରୁଷ ଭୋଟର ବିଲରେ ଚାଷ କାମ ସାରି ଭୋଟ ଦେବାକୁ ଆସିଥାନ୍ତି l

ସକାଳ 7ଟାରେ ପ୍ରଥମେ ମକପୋଲ କରାଯାଇଥିଲା ଏବଂ 8 ଟାରୁ ଇଭିଏମ ସାହାଯ୍ୟରେ ମତ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଜାରି ରହିବ ମତଦାନ । ମୋଟ 12 ଗୋଟି ୱାର୍ଡରେ ରହିଛନ୍ତି 13,520 ଭୋଟର । ନଗରପାଳ ପ୍ରାର୍ଥୀଙ୍କୁ ମିଶାଇ ଚଳିତ ଥର ମୋଟ 43 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି । ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ନଗରପାଳ ଆସନରେ 3 ପ୍ରମୁଖ ରାଜନୈତିକ ଦଳ ସମେତ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ 4ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ରହିଛନ୍ତି ।

ଅତାବିରା ଏନଏସି ନିର୍ବାଚନରେ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ବିଜେଡିରୁ ବନମାଳୀ ବରିହା, ବିଜେପିରୁ ଲକ୍ଷ୍ମୀ ବେହେରା, କଂଗ୍ରେସରୁ ସବିତା ଭୁଏ ଓ ଆମ ଆଦମି ପାର୍ଟି ସମର୍ଥିତ ପ୍ରାର୍ଥୀ ସାମନ୍ତ ଭୁଏ ସ୍ଵାଧୀନ ଭାବେ ନିର୍ବାଚନ ଲଢୁଛନ୍ତି । ତେବେ ଆଜିର ଏହି ନିର୍ବାଚନରେ ପ୍ରତି ବୁଥ୍‌ରେ ଜଣେ ଲେଖାଏଁ ପ୍ରିଜାଇଡିଂ ଅଫିସର, 4 ଜଣ ପୋଲିଂ ଅଫିସର ଓ ଜଣେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏନ୍‌ଏସିର 12ଟି ୱାର୍ଡରେ ମୋଟ 16ଟି ବୁଥ୍‌ କରାଯାଇଛି । ସେଥିମଧ୍ୟରୁ 7ଟି ସମ୍ବେଦନଶୀଳ, 3ଟି ଅତି ସମ୍ବେଦନଶୀଳ ଚିହ୍ନଟ ହୋଇଛି । ଅତାବିରା ବାଳିକା ହାଇସ୍କୁଲର 2 ନମ୍ବର ବୁଥ୍‌କୁ ପିଙ୍କ୍‌ (ଗୋଲାପି) ବୁଥ୍‌ କରାଯାଇଛି । ଏହି ବୁଥ୍‌ରେ ସମସ୍ତ ନିର୍ବାଚନ କର୍ମଚାରୀ ଓ ଦଳୀୟ ଏଜେଣ୍ଟ ମହିଳା ରହିଛନ୍ତି ।


ତେବେ ନିର୍ବାଚନକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବରଗଡ଼ ଏସ୍‌ପି ପି.ଏସ୍‌. ମିନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଏସପି ପି.କେ ମିଶ୍ର, ଏସ୍‌ଡିପିଓ ଅମ୍ରିତ କୁମାର ପଣ୍ଡା, ଅତାବିରା ଆଇଆଇସି ଅନିଲ କୁମାର ପ୍ରଧାନଙ୍କ ସମେତ ଭଟଲି ଓ ବିଜେପୁର ଥାନା ଆଇଆଇସି, 10 ଜଣ ଏସ୍‌ଆଇ ଓ ଏଏସ୍‌ଆଇ, 49 ଜଣ ହାବିଲଦାର ଓ କନଷ୍ଟେବଳ, 4ଟି ମୋଟର ଓ 5ଟି ବାଇକ ପାଟ୍ରୋଲିଂ ସହ ଯାଞ୍ଚ ଦାୟିତ୍ୱରେ ରହିଛନ୍ତି । ଏହାସହ 2 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ବରଗଡ଼ ଡେପୁଟି କଲେକ୍ଟର, ବିଜେପୁର, ବରଗଡ଼, ଭଟଲି, ବରପାଲି, ଅମ୍ବାଭୋନା, ଝାରବନ୍ଧ ଓ ସୋହେଲା ତହସିଲଦାର ଏବଂ ସୋହେଲା, ବରପାଲି ବିଡ଼ିଓଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱ ଦିଆଯାଇଛି । ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ତତ୍ତ୍ୱାବଧାନରେ ଏଡିଏମ୍‌ ମିର୍ଦ୍ଧା ଟପ୍ପୋ, ନିର୍ବାଚନ ଅଧିକାରୀ ତଥା ବରଗଡ଼ ଉପଜିଲ୍ଲାପାଳ ଲଲାଟ ଲୁହା, ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର, ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ ନୃସିଂହ ଚରଣ ସ୍ବାଇଁ, ଅତାବିରା ବିଡ଼ିଓ ପ୍ରମୋଦ କୁମାର ମେହେର ପ୍ରମୁଖ ନିର୍ବାଚନ ତଦାରଖ କରୁଛନ୍ତି ।

ଇଟିଭି ଭାରତ,ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.