ETV Bharat / state

Train Tragedy: କାଲି ସାମୂହିକ ଦଶାହକର୍ମ, ମୃତକଙ୍କ ପାଇଁ ଲଣ୍ଡା ହେବେ ଅଞ୍ଚଳବାସୀ, ହେବ ବିଶ୍ୱଶାନ୍ତି ମହାଯଜ୍ଞ

author img

By

Published : Jun 10, 2023, 10:44 PM IST

ରାତି ପାହିଲେ ବାହାନଗା ରେଳ ଦୁର୍ଘଟଣାକୁ ୧୦ ଦିନ ବିତିଯିବ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମା ଶାନ୍ତି ଏବଂ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ବାହାନଗାରେ ହେବ ସାମୂହିକ ମୁଣ୍ଡନ ଏବଂ ବିଶ୍ବଶାନ୍ତି ଯଜ୍ଞ । ଅଧିକ ପଢ଼ନ୍ତୁ

odisha train tragedy
ବାହାନଗା ରେଳ ଦୁର୍ଘଟଣା

ବାଲେଶ୍ଵର: ବାହାନଗା ରେଳ ଦୁର୍ଘଟଣାକୁ 9 ଦିନ ବିତିଯାଇଛି । ରାତି ପାହିଲେ କଳମଣ୍ଡଳର କଳାକାହାଣୀକୁ ୧୦ ଦିନ ହେବ । ହେଲେ ସେଦିନର ଘଟଣାକୁ ଏପର୍ଯ୍ୟନ୍ତ ଭୁଲି ପାରିନାହାନ୍ତି ସ୍ଥାନୀୟ ବାସିନ୍ଦା । ଏବେ ବି ସଭିଙ୍କ ମନରେ ତାଜା ହୋଇ ରହିଛି । ଏହି ପରିପ୍ରେକ୍ଷୀରେ ମୃତକଙ୍କ ଉଦ୍ଦେଶ୍ୟରେ ଏକ ସାମୂହିକ ମୁଣ୍ଡନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ରବିବାର ଦଶାହ କ୍ରିୟାକର୍ମ କରାଯିବା ସହ ସାମୁହିକ ଭାବେ ପ୍ରାୟ 200 ଲୋକ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଲଣ୍ଡା ହେବେ ।

odisha train tragedy
ବାହାନଗା ରେଳ ଦୁର୍ଘଟଣା

ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ଲୋକେ ପ୍ରଥା ଅନୁସାରେ ଦଶାହ କର୍ମ ପାଳନ କରିବେ । ସମସ୍ତ କ୍ରିୟା କର୍ମ ସହ ସମ୍ପର୍କୀୟଙ୍କ ମୁଣ୍ଡନ କରାଯିବ। କିନ୍ତୁ ଏବେବି ଅନେକ ପରିବାର ନିଜ ଆତ୍ମୀୟଙ୍କ ମୁହଁ ଦେଖିପାରିନାହାନ୍ତି । ଏହି ପରିପ୍ରେକ୍ଷୀରେ ମୃତକଙ୍କ ଆତ୍ମାର ଶାନ୍ତି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ବାହାନଗା ଅଞ୍ଚଳରେ ଧାର୍ମିକ ପରିବେଶ ସୃଷ୍ଟି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ରବିବାର ସାମୂହିକ ମୁଣ୍ଡନ ସହ ଦଶାହ କର୍ମ କରାଯିବ । ସେହିପରି ସୋମବାର ଦିନ ଏକାଦଶାହ କାର୍ଯ୍ୟ ସମ୍ପନ୍ନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏକାଦଶାହ କାର୍ଯ୍ୟରେ ପ୍ରାୟ 15 ହଜାର ଲୋକଙ୍କ ପାଇଁ ଭୋଜନର ଆୟୋଜନ କରାଯାଇଛି । ଏହାସହ ଅଷ୍ଟପ୍ରହର ନାମଯଜ୍ଞ, ବିଶ୍ୱଶାନ୍ତି ମହାଯଜ୍ଞ ଭଳି କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି । କିଛି ସାମାଜିକ ସଂଗଠନ ପକ୍ଷରୁ ବାହନଗା ହାଇସ୍କୁଲ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଏପଟେ ବାହାନଗା ରେଳ ଷ୍ଟେସନରେ ଟ୍ରେନ ରହିବ ନାହିଁ ବୋଲି ଦକ୍ଷିଣ ପୂର୍ବ ରେଳପଥ ସିପିଆରଓ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି । ରେଳ ଦୁର୍ଘଟଣାର କାରଣ ଖୋଜୁଛି ସିବିଆଇ । ସବୁ ଦିଗରୁ ସିବିଆଇ ଟିମ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାସ୍ଥଳରେ ପହଞ୍ଚି ସେଠାକାର ସ୍ଥିତି ଅନୁଧ୍ୟାନ କରିବା ସହ ବାହାନଗା ଷ୍ଟେସନର ରିଲେ ରୁମ ଅନୁଧ୍ୟାନ କରିଛି । ୨ ଦିନ ତଳେ ସିବିଆଇ ଟିମ୍‌ ଦ୍ବାରା ବାହାନଗା ଷ୍ଟେସନର ରିଲେ ରୁମ ତଦନ୍ତ ପାଇଁ ସିଲ୍ କରାଯାଇଥିଲା । ଏହାକୁ ନେଇ ବାହାନଗା ରେଳ ଷ୍ଟେସନରେ କୌଣସି ଟ୍ରେନ ରହିବ ନାହିଁ କିମ୍ବା କୌଣସି ଯାତ୍ରୀ ସେଠାରେ ଓହ୍ଲାଇବେ ନାହିଁ ବୋଲି କୁହାଯାଇଛି । ତେବେ ବାହାନଗା ବଜାର ଷ୍ଟେସନରୁ ପ୍ରତିଦିନ ହଜାର ହଜାର ରେଳଯାତ୍ରୀ ଯାତାୟତ କରୁଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବାହାନଗା ରେଳ ଷ୍ଟେସନରେ କୌଣସି ଟ୍ରେନ ରହିବାକୁ ନଥିବାରୁ ଟ୍ରେନରେ ଆସୁଥିବା ଯାତ୍ରୀ ସୋର କିମ୍ବା ବାଲେଶ୍ଵର ରେଳ ଷ୍ଟେସନରେ ଓହ୍ଲାଇ ପାରିବେ ବୋଲି କୁହାଯାଇଛି । ତଦନ୍ତ ପ୍ରକ୍ରିୟା ଶେଷ ନହେବା ଯାଏଁ ଏଭଳି ଟ୍ରେନ ରହଣୀକୁ ବାତିଲ କରାଯାଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.