ETV Bharat / state

ଅଭିଯୁକ୍ତକୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ

author img

By

Published : Aug 21, 2023, 10:58 AM IST

ବାଲେଶ୍ଵର ଜିଲ୍ଲା ସୋର ଥାନା ଅନନ୍ତପୁର ଫାଣ୍ଡି ପୋଲିସ ଘାଟ ଅଞ୍ଚଳରେ ପୋଲିସକୁ ଆକ୍ରମଣ ଅଭିଯୁକ୍ତକୁ ଛଡାଇ ନେଲେ ଦୁର୍ବୃତ୍ତ । ଏହି ଘଟଣାକୁ ନେଇ ଆଜି ଅଭିଯୁକ୍ତ ପରିବାରର ଦୁଇଜଣ ମହିଳାଙ୍କୁ ଥାନାକୁ ନେଲା ପୋଲିସ । ଅଧିକ ପଢନ୍ତୁ

miscreants attacked police
miscreants attacked police

ସୋର ଅଞ୍ଚଳରେ ପୋଲିସକୁ ଆକ୍ରମଣ

ବାଲେଶ୍ବର: ସୋର ଥାନା ଅନନ୍ତପୁର ଫାଣ୍ଡି ପୋଲିସ ଘାଟ ଅଞ୍ଚଳରେ ପୋଲିସକୁ ଆକ୍ରମଣ କରି ଅଭିଯୁକ୍ତକୁ ଛଡ଼ାଇ ନେଲେ ଅଭିଯୁକ୍ତର ପରିବାରଲୋକେ । ଏହି ଘଟଣାରେ ପୋଲିସ ଆଜି ସକାଳୁ ଅଭିଯୁକ୍ତ ପରିବାରର ଦୁଇ ସଦସ୍ୟ(ଦୁଇ ମହିଳା)ଙ୍କୁ ଥାନାକୁ ଉଠାଇ ଆଣିଛି । ଗତକାଲି(ରବିବାର) ପୋଲିସ ଉପରେ ହୋଇଥିବା ଆକ୍ରମଣରେ ଜଣେ କନେଷ୍ଟବଳଙ୍କ ହାତ ଭାଙ୍ଗିଥିବା ବେଳେ ଆକ୍ରମଣକାରୀମାନେ ପୋଲିସ ଟିମରେ ଯାଇଥିବା ସବ୍-ଇନ୍ସିପେକ୍ଟରଙ୍କ ମୋବାଇଲ ଛଡାଇ ନେଇଥିଲେ ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ପୋଲିସ ବାଲିଛନ୍ଦା ଘାଟରୁ ଅଭିଯୁକ୍ତ ବଂଶୀଧର ମଲ୍ଲିକକୁ ଧରି ଅଟୋ ଯୋଗେ ଫେରୁଥିଲେ । ସେହି ସମୟରେ ଅଭିଯୁକ୍ତ ବଂଶୀର ବାପା ଏବଂ ଭାଇ ପୋଲିସକୁ ଆକ୍ରମଣ କରି ବଂଶୀକୁ ଛଡ଼ାଇ ନେଇଥିଲେ । ଏଥିସହ ବଂଶୀ ପରିବାରର ମିଳିତ ଆକ୍ରମଣରେ ଅନନ୍ତପୁର ଫାଣ୍ଡି କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ସିଂର ହାତ ଭାଙ୍ଗି ଯାଇଥିଲା । ଏଥିସହ ଜଣେ ଏସଆଇଙ୍କ ମୋବାଇଲ ଛଡାଇ ନେଇଥିଲେ ଅଭିଯୁକ୍ତ ଓ ତାଙ୍କ ପରିବାର ଲୋକେ । ଅନ୍ୟପଟେ ପୋଲିସ ଡ୍ରେସରେ ନ ଥିବାରୁ ଗାଁରେ ଉତ୍ତେଜନା ଦେଖାଦେଇଥିଲା । ଏହି ଘଟଣା ପରେ ଅଭିଯୁକ୍ତମାନେ ଫେରାର ଥିବା ବେଳେ ଆଜି ସକାଳେ ପୋଲିସ ପରିବାରର ଦୁଇ ମହିଳାଙ୍କୁ ଥାନାକୁ ନେଇଥିବାରୁ ଗାଁରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଗତ ଦୁଇ ଦିନ ପୂର୍ବେ ଭୁବନେଶ୍ବରର ଶିଶୁପାଳଗଡ଼ ରାସ୍ତାରେ ଚଢାଉ ବେଳେ ଧଉଳି ଥାନା ଏସଆଇ ରମେଶ ଭୋଳଙ୍କୁ ଆକ୍ରମଣ କରିଥିଲେ ନିଶା ମାଫିଆ । ଏହି ଆକ୍ରମଣରେ ଏସଆଇ ଆହତ ହୋଇ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା । ସେହିପରି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲି ଥାନା ଏବଂ ବାଂଶଡ଼ା ଥାନା ଅଞ୍ଚଳରେ ପୋଲିସକୁ ଆକ୍ରମଣ କରିଥିଲେ କୋଇଲା ମାଫିଆ । ବେଆଇନ ଭାବେ ଚୋରା କୋଇଲା ବୋଝେଇ ହୋଇ ଯାଉଥିବା ଟ୍ରକ ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ସ୍ଵାସ୍ଥ୍ୟ କେନ୍ଦ୍ର ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା ।

ଏହା ମଧ୍ୟ ପଢନ୍ତୁ- ନିଶା ମାଫିଆଙ୍କ ଦୌରାତ୍ମ୍ୟ, ରେଡ ବେଳେ ଧଉଳି ଥାନା ଏସଆଇଙ୍କୁ ହାତୁଡିରେ ଆକ୍ରମଣ

ଏନେଇ ଖବର ପାଇ ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତି ଏବଂ ଅନ୍ୟ ଥାନା କର୍ମଚାରୀ ଉକ୍ତ ଗାଡ଼ିକୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗାଡ଼ି ଚାଳକ ମାଣିପୁର ଗ୍ରାମର ପପୁ ନାୟକକୁ ପୋଲିସ ଧରିଥିବା ବେଳେ ଉକ୍ତ କୋଇଲା ଗାଡ଼ିକୁ ସୁରକ୍ଷା ଦେଇ ଆସୁଥିବା ମାଫିଆମାନେ ଦୂରରେ ରହି ପୋଲିସକୁ ଘୋଡାଇବା ପାଇଁ ସେମାନଙ୍କ ଉପରକୁ ଟେକା ପଥର ଫିଙ୍ଗି ଥିଲେ । ଫଳରେ ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତିଙ୍କ ମୁଣ୍ଡ ଫାଟି ଯାଇଥିଲା । ଏନେଇ ପୋଲିସ ଉପରକୁ ଆକ୍ରମଣ ହୋଇଥିବା ଖବର ପାଇ ଚାନ୍ଦବାଲି ଥାନା ପିସିଆର ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଓଲଟି ପଡିଥିବା ବେଆଇନ ଭାବେ ଚୋରା କୋଇଲା ବୋଝେଇ ଗାଡ଼ିକୁ ଜବତ କରିବା ସହ ଧରିଥିବା ଚାଳକକୁ ଥାନାକୁ ନେଇଥିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.