ETV Bharat / state

ଇନଷ୍ଟାଗ୍ରାମ ପାଇଁ ଜୀବନ ହାରିଥିଲେ କଣ୍ଟାବାଞ୍ଜିର ଲଳିତ, ଦୁଇ ଗିରଫ

author img

By

Published : Jul 20, 2023, 11:50 AM IST

Updated : Jul 20, 2023, 2:35 PM IST

କଣ୍ଟାବାଞ୍ଜି ନାବାଳକ ଲଳିତ ଜୈନ ମୃତ୍ୟୁ ମାମଲାରେ ଦୁଇ ଗିରଫ । ଇନଷ୍ଟାଗ୍ରାମରେ ଫଲୋର୍ସ ବଢାଇବା ପାଇଁ ଟଙ୍କା କାରବାରକୁ ନେଇ ଲଳିତଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

କଣ୍ଟାବାଞ୍ଜି ନାବାଳକ ମୃତ୍ୟୁ ମାମଲା
କଣ୍ଟାବାଞ୍ଜି ନାବାଳକ ମୃତ୍ୟୁ ମାମଲା

ଇନଷ୍ଟାଗ୍ରାମ ପାଇଁ ଜୀବନ ହାରିଥିଲେ କଣ୍ଟାବାଞ୍ଜିର ଲଳି

ବଲାଙ୍ଗୀର: ଲଳିତ ଜୈନ ମୃତ୍ୟୁ ଘଟଣାରେ ହଟିଲା ସସପେନ୍ସ । ଇନଷ୍ଟାଗ୍ରାମରେ ଫଲୋର୍ସ ବଢାଇବା ପାଇଁ ହୋଇଥିବା ଟଙ୍କା କାରବାରକୁ ନେଇ ଲଳିତ ଜୈନଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ପୋଲିସ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇ ଜଣ ହେଲେ କଣ୍ଟାବାଞ୍ଜିର ବିଶାଳ ଅଗ୍ରୱାଲ ଓ ବିକାଶ ଅଗ୍ରୱାଲ । ସେମାନଙ୍କ ଝିଅ ନିଜ ଇନଷ୍ଟାଗ୍ରାମରେ ଫଲୋର୍ସ ବଢାଇବା ପାଇଁ ୧୬ ବର୍ଷୀୟ ଲଳିତକୁ ଟଙ୍କା ଦେଇଥିଲେ । ଏହା ହିଁ ଥିଲା ମୃତ୍ୟୁ ପଛର ମୂଳ କାରଣ । ଏଥିପାଇଁ ଦୁଇ ଭାଇ ଲଳିତଙ୍କୁ ନିର୍ଯାତନା ଦେବା ପରେ ସେ ଟ୍ରେନ ଲାଇନକୁ ଡେଇଁ ଜୀବନ ହାରିଥିବା ପୋଲିସ କହିଛି ।

କଣ୍ଟାବାଞ୍ଜିର ପ୍ରମୋଦ ଜୈନଙ୍କ ଏକ ମାତ୍ର ନାବାଳକ ପୁଅ ପ୍ରଥମେ ନିଖୋଜ ଓ ପରେ ତାର ମୃତଦେହ ମାଟିତଳୁ ମିଳିବାକୁ ନେଇ ସସପେନ୍ସ ଲାଗି ରହିଥିଲା । ଏହି ଘଟଣାର ତଦନ୍ତରେ ପୋଲିସ୍ ଓ କଣ୍ଟାବାଞ୍ଜି ଜିଆରପିର ଭୂମିକା ସନ୍ଦେହ ଘେରରେ ରହିଥିଲା । ପରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶକ୍ରମେ ଏହାର ତଦନ୍ତ କରିଥିଲେ ବଲାଙ୍ଗୀର ଅତିରିକ୍ତ ଏସପି ଓ କଣ୍ଟାବାଞ୍ଜି ଥାନା ଅଧିକାରୀ । ଘଟଣାରେ କଣ୍ଟାବାଞ୍ଜିର ଦୁଇ ଭାଇ ବିଶାଳ ଅଗ୍ରୱାଲ ଓ ବିକାଶ ଅଗ୍ରୱାଲଙ୍କୁ ପୋଲିସ୍ ଅଟକ ରଖିଥିଲା । ଲଳିତ ଜୈନଙ୍କ ମୃତ୍ୟୁ ଘଟଣାରେ ଏହି ଦୁଇ ଜଣଙ୍କୁ ପୋଲିସ ବୁଧବାର ଦିନ ଗିରଫ କରିଛି । ଅପହରଣ, ମାନସିକ ଓ ଶାରିରୀକ ନିର୍ଯାତନା ଏବଂ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗରେ ମାମଲା ରୁଜୁ କରାଯାଇ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି । ସମ୍ପୃକ୍ତ ଦୁଇ ଭାଇ ଲଳିତ ଜୈନଙ୍କୁ ନିର୍ଯାତନା ଦେବା ଓ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ: ଲଳିତ ଜୈନ ମୃତ୍ୟୁ ଘଟଣାରେ ବଢିଲା ସସପେନ୍ସ: ଜିଆରପିର ତଦନ୍ତକୁ ନେଇ ପ୍ରଶ୍ନ

ସୂଚନା ଅନୁସାରେ, ବିଶାଳ ଅଗ୍ରୱାଲଙ୍କ ଝିଅ ତାଙ୍କ ଇନଷ୍ଟାଗ୍ରାମରେ ଫଲୋର୍ସ ସଂଖ୍ୟା ବଢାଇବା ପାଇଁ ଲଳିତ ଜୈନଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ । ଏ କଥା ଝିଅର ବାପା ବିଶାଳ ଅଗ୍ରୱାଲ ଜାଣିବା ପରେ ଲଳିତ ଜୈନକୁ ଘରକୁ ଡ଼ାକି ଧମକଚମକ ଦେବା ସହ ମାଡ ମାରିଥିଲେ ବୋଲି ମୃତ ଲଳିତଙ୍କ ବାପା ପ୍ରମୋଦ ଜୈନ କହିଛନ୍ତି । ଏହି ଘଟଣା ପରେ ତାଙ୍କ ଉପସ୍ଥିତିରେ ଲଳିତ ୪୦ ହଜାର ଟଙ୍କା ଫେରସ୍ତ କରିବା ସହ ଦୁଇ ପକ୍ଷ ମଧ୍ୟରେ ବୁଝାମଣା ହୋଇଥିଲା । ହେଲେ ପୁଣି ତାଙ୍କ ଅନୁପସ୍ଥିତିରେ ବିଶାଳ ଅଗ୍ରୱାଲ ଲଳିତ ଜୈନକୁ ଘରକୁ ଡ଼ାକି ଅଧିକ ଟଙ୍କା ନେଉଛୁ କହି ମାରପିଟ୍ କରିଥିଲେ । ଏପରିକି ତାଙ୍କର ଭାଇ ବିକାଶ ଅଗ୍ରୱାଲ ମଧ୍ୟ ମିଶି ଲଳିତ ଜୈନକୁ ପ୍ରବଳ ମାଡ଼ ମାରିଥିଲେ ।

ଏହାପରେ ଗତ ୧୩ ତାରିଖରେ ଲଳିତ ଜୈନ ନିଖୋଜ ହୋଇଥିଲେ । ତାଙ୍କ ବାପା ଗତ ୧୪ ତାରିଖରେ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ କଣ୍ଟାବାଞ୍ଜି ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । କଣ୍ଟାବାଞ୍ଜି ପୋଲିସ୍ ଜିଆରପି ଠାରୁ ଜଣେ ନାବାଳକର ମୃତଦେହ ରେଳଧାରଣାରୁ ଉଦ୍ଧାର ହୋଇଥିବା ଖବର ପାଇଥିଲା । ଜିଆରପି ମୃତଦେହ ଚିହ୍ନଟ ନକରି ଏହାକୁ ମାଟି ତଳେ ପୋତି ଦେଇଥିଲେ । ପରେ କଣ୍ଟାବାଞ୍ଜି ପୋଲିସ୍, ମାଜିଷ୍ଟ୍ରେଟ ଓ ପରିବାର ଲୋକଙ୍କ ଉପସ୍ଥିତିରେ ମାଟି ତଳୁ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀକୁ କଠୋର ଦଣ୍ଡ ଦିଆଯାଉ ବୋଲି ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jul 20, 2023, 2:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.