ETV Bharat / state

ପୁଣି ଜଣେ ଡାକ୍ତରୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଆଉ ମାସକ ପରେ ହୋଇଥାନ୍ତି ସର୍ଜନ

author img

By ETV Bharat Odisha Team

Published : Dec 4, 2023, 5:04 PM IST

Updated : Dec 4, 2023, 5:27 PM IST

ବଲାଙ୍ଗୀର ଭୀମ ଭୋଇ କଲେଜରେ ପୁଣି ଜଣେ ଛାତ୍ରଙ୍କ ମୃତ୍ୟୁ । ଭୋଜି ପରେ ଅସୁସ୍ଥ ହୋଇପଡ଼ିବା ପରେ ଘଟିଛି ମୃତ୍ୟୁ । ଅଧିକ ପଢନ୍ତୁ

Balangir Bhima Bhoi Medical College
Balangir Bhima Bhoi Medical College

ପୁଣି ଜଣେ ଡାକ୍ତରୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଭୋଜି ଖାଇ ହୋଇପଡ଼ିଥିଲେ ଅସୁସ୍ଥ

ବଲାଙ୍ଗୀର: ଜିଲ୍ଲାରେ ପୁଣି ଜଣେ ଡାକ୍ତରୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଭୀମଭୋଇ ମେଡ଼ିକାଲ କଲେଜ ଶେଷ ବର୍ଷର ଥିଲେ ଛାତ୍ର । ରାତିରେ ସାଙ୍ଗମାନଙ୍କ ସହ ଭୋଜି ପରେ ଅସୁସ୍ଥ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ପରେ ହୋଇଥିଲା ମୃତ୍ୟୁ । ପୋଲିସ ତଦନ୍ତ ଜାରି ରଖିଛି । ୨୦୨୪ ଡିସେମ୍ବରେ ତାଙ୍କର ପାଠକ୍ରମ ସରିଥାନ୍ତା ଓ ଡାକ୍ତର ହୋଇଥାନ୍ତେ । ହେଲେ ଅଧାରେ ରହିଗଲା ଡାକ୍ତର ହେବା ସ୍ବପ୍ନ ।

ମୃତ ଛାତ୍ର ଜଣକ ଏଠିକାର ଶେଷ ବର୍ଷର ଏମବିବିଏସ ଛାତ୍ର ଥିଲେ । ତେବେ ତାଙ୍କ ପରିଚୟ ଶ୍ରୀକାନ୍ତ ମହାନନ୍ଦିଆ ବୋଲି ଜଣାପଡ଼ିଛି । ସେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ମାଧପୁର ଗ୍ରାମର ନିବାସୀ ଅଟନ୍ତି । ତେବେ ସୂଚନା ଅନୁସାରେ ସେ ଗତକାଲି ଅନ୍ୟ ଛାତ୍ରମାନଙ୍କ ସହ ମେଡିକାଲ କଲେଜରେ ଭୋଜି କରିଥିଲେ । ଯାହାପରେ ବିଳମ୍ବିତ ରାତିରେ ସେ ନିଜ ହଷ୍ଟେଲ କ୍ବାଟରକୁ ଯାଇଥିଲେ ଏବଂ ସେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା । ତେବେ ଏଠି ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଆଜି ତାଙ୍କ ପରିବାର ବର୍ଗ ମୃତ୍ୟୁ ଖବର ପାଇ ବଲାଙ୍ଗୀର ପହଞ୍ଚିବା ପରେ ତାଙ୍କର ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ ହୋଇଛି ।

ଏହା ବି ପଢନ୍ତୁ- ସନ୍ଦେହ ଘେରରେ ଡାକ୍ତରୀ ଛାତ୍ରୀ ନିରୁପମାଙ୍କ ମୃତ୍ୟୁ ? ଗଡୁଛି ସମୟ ହଟୁନି ସସପେନ୍ସ

ସେହିପରି ବଲାଙ୍ଗୀର ଟାଉନ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ଯେଉଁଥିରେ ପୋଲିସ କଲେଜ କର୍ତ୍ତୃପକ୍ଷ ସହପାଠୀ ସମସ୍ତଙ୍କ ବୟାନ ରେକର୍ଡ କରିଛି । ସେହିପରି କଲେଜର ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ ଆରମ୍ଭ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି । ସେପଟେ କଲେଜ ଡିନ ଡାକ୍ତର ସ୍ଵୟମ ପ୍ରଭା କହିଛନ୍ତି ଯେ ଏହି ଘଟଣା ତାଙ୍କ କଲେଜ ଓ ସମସ୍ତଙ୍କୁ ସ୍ତବ୍ଧ କରିଛି। ସେ ରାତିରେ ଅସୁସ୍ଥ ହେବା ପରେ ଡାକ୍ତରଖାନା ଅଣା ଯାଇଥିଲା । ଏଠାରେ ତାଙ୍କର ଦୁଃଖଦ ମୃତ୍ୟୁ ହୋଇଥିବାର ସେ କହିଛନ୍ତି ।

ରାତିରେ କଲେଜରେ ହାଉସ ସର୍ଜନଙ୍କ ପାର୍ଟି ହୋଇଥିଲା । ସେ ଏଥିରେ ଯୋଗ ଦେଇଥିଲେ ନା ନାହିଁ ତାର ବିସ୍ତୃତ ତଦନ୍ତ ସେ କରିବେ । ସେହିପରି ଏହି ଘଟଣାର ସବିଶେଷ ତଦନ୍ତ କରିବେ ବୋଲି କହିଛନ୍ତି । ଏହି ମୃତ ଛାତ୍ର ଶ୍ରୀକାନ୍ତ ମହାନନ୍ଦିଆ ୨୦୧୭ ଏମବିବିଏସ ଛାତ୍ର ଥିଲେ। ୨୦୨୪ ଡିସେମ୍ବରେ ତାଙ୍କର ପାଠକ୍ରମ ସରିଥାନ୍ତା ଓ ଡାକ୍ତର ହୋଇଥାନ୍ତେ । ସୂଚନା ଥାଉ କି ଭୀମ ଭୋଇ ମେଡ଼ିକାଲ କଲେଜରେ ପୂର୍ବରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିଲେ । ପରବର୍ତ୍ତୀ ସମୟରେ ଏଠି ପାଠ ପଢ଼ୁଥିବା ରାଜସ୍ଥାନର ଜଣେ ମେଡ଼ିକାଲ ଛାତ୍ର ଆତ୍ମହତ୍ୟା କରିଥିଲେ । ସମାନ ଭାବରେ ଆଉ ଜଣେ ଛାତ୍ରଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏବେ ପୁଣି ଜଣେ ଛାତ୍ରଙ୍କ ଡାକ୍ତର ହେବାର ସ୍ବପ୍ନ ଅଧାରେ ରହିଗଲା । ଚତୁର୍ଥ ମାମଲାରେ ଏହି ଛାତ୍ର ଶ୍ରୀକାନ୍ତ ମହାନନ୍ଦିଆଙ୍କ ମୃତ୍ୟୁ ହୋଇଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଇଟିଭି ଭାରତ, ବଲାଙ୍ଗୀର

Last Updated : Dec 4, 2023, 5:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.