ସରିଲା ଶୀତଳ ଷଷ୍ଠୀ ଯାତ୍ରା, ମହାଦେବଙ୍କ ହାତ ଧରିଲେ ମା' ପାର୍ବତୀ

author img

By

Published : May 25, 2023, 8:39 AM IST

divine marriage of lord shiva and parvati

ବଲାଙ୍ଗୀରରେ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଶେଷ ହୋଇଛି । ମହାଦେବ ଓ ମା' ପାର୍ବତୀଙ୍କ ଶୁଭପରିଣୟ ଶେଷ ସମ୍ପର୍ଣ୍ଣ ହୋଇଛି । ଅଧିକ ପଢନ୍ତୁ

ସରିଲା ଶୀତଳ ଷଷ୍ଠୀ ଯାତ୍ରା

ବଲାଙ୍ଗୀର: ପବିତ୍ର ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ହୋଇଛି ବଲାଙ୍ଗୀର । ଶିବ ଓ ମାତା ପାର୍ବତୀଙ୍କ ଶୁଭପରିଣୟ ସମ୍ପର୍ଣ୍ଣ ହୋଇଛି । ଦେବ ଦେବ ମହାଦେବଙ୍କ ହାତ ଧରିଛନ୍ତି ପାର୍ବତୀ । ବାଜା ମହୁରୀ ବାଣରେ ରୋଶଣୀ ନେଇ ବାହାରିଥିଲେ ବରଯାତ୍ରୀ । ବୈଦିକ ରୀତି ନୀତିରେ ଦେବ ବିବାହ ଉତ୍ସବ ସମ୍ପର୍ଣ୍ଣ ହୋଇଛି । ଆଜି ଯୁଗଳ ଦର୍ଶନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଯୁଗଳ ମୂର୍ତ୍ତୀଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏହି ସ୍ବତନ୍ତ୍ର ଦେବ ବିବାହ ନୀତି ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା ।

ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବାହାଘର ସମ୍ପର୍ଣ୍ଣ ହୋଇଛି । ପୂର୍ବରୁ ଠାଲ ଉଠା ନୀତି ଓ ପରେ ଦେବ ଦମ୍ପତିଙ୍କୁ ତାଙ୍କର ମାତା ପିତା ସାଜିଥିବା କର୍ତ୍ତାମାନେ ଆହରଣ କରିଛନ୍ତି । ଦେବାଳୟରୁ ତାଙ୍କୁ ନିଜ ଘରକୁ ଅତି ଧୁମଧାମରେ ନେଇଛନ୍ତି । ବିଭିନ୍ନ ପୂଜା କମିଟି ଦ୍ବାରା ବୈଦିକ ରୀତିନୀତିରେ ବାହାଘର ଆୟୋଜନ କରାଯାଇଥିଲା । ମାତା ପାର୍ବତୀଙ୍କୁ ଝିଅ ଭାବରେ ପାଇ ଥିବା ଦମ୍ପତି ତଥା ତାଙ୍କ ପରିବାର ଏହି ଭବ୍ୟ ବାହାଘର ପାଇଁ ସବୁ ଯୋଗାଡ଼ କରିଥିଲେ । ଯେଉଁଥିରେ ପୂଜା ସାମଗ୍ରୀ ସହ ମାତାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ସୁନା ଅଳଙ୍କାର ମଧ୍ୟ ପ୍ରସ୍ତୁତ କରି ରଖିଥିଲେ । ସେହିପରି ମହାଦେବଙ୍କ ମାତା ପିତା ସାଜି ଥିବା ଦମ୍ପତି ମଧ୍ୟ ନିଜକୁ ଭାଗ୍ୟବାନ ମନେ କରିଛନ୍ତି । ମହାଦେବଙ୍କୁ ପୁଅ ଭାବରେ ପାଇଥିବା ବେଳେ ମାତା ପାର୍ବତୀଙ୍କ ବୋହୂ ରୂପେ ପାଇ ସେମାନେ ଉତ୍ସାହିତ ଅଛନ୍ତି ।

ବଲାଙ୍ଗୀର ସହରରେ ମୋଟ 5ଟି ଶୀତଳ ଷଷ୍ଠୀ କମିଟି ଏଥର ଏହି ବିବାହର ଆୟୋଜନ କରିଛନ୍ତି । ଯେଉଁଥିରେ ବଲାଙ୍ଗୀର ସୁଦପଡା, ବ୍ରାହ୍ମଣ ପଡା, ରାଧାରାଣୀ ପଡା, ଏବିଏସ ଏସ ପଡା ଓ ସାଗର ପଡା ପ୍ରମୁଖ ଭାବରେ ଏହାର ବଡ ଆୟୋଜନ କରିଛନ୍ତି । ଏହି ଅବସରରେ ସବୁ କମିଟି ଲୋକଙ୍କୁ ନୀତି ଦିନ ଭୋଗ ପ୍ରଦାନ କରିଛନ୍ତି । ସେହିପରି ସବୁ କମିଟି ବିଭିନ୍ନ ନୀତି ଦିନ ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ବଲାଙ୍ଗୀର ଏବିଏସଏସ ଶୀତଳ ଷଷ୍ଠୀ କମିଟିରେ ଦୁଇ ମାରବାଡ଼ି ପରିବାର ମହାଦେବ ଓ ମାତା ପାର୍ବତୀଙ୍କ ମାତା ପିତା ହେବାର ସୌଭାଗ୍ୟ ପାଇଛନ୍ତି ।

ମାଲପଡ଼ାର ବିରେନ କୁମାର ଅଗ୍ରୱାଲ ଓ ତାଙ୍କ ପତ୍ନୀ ଅଳ୍ପନା ଅଗ୍ରୱାଲ ଏଥର ମାତା ପାର୍ବତୀଙ୍କ ମାତା ପିତା ସାଜିଛନ୍ତି । ମାତା ପାର୍ବତୀଙ୍କ କନ୍ୟାଦାନ କରିବାର ସୁଯୋଗକୁ ନେଇ ସେମାନେ ନିଜକୁ ଧନ୍ୟ ମନେ କରିଛନ୍ତି । ସେହିପରି ମହାଦେବଙ୍କ ମାତା ପିତା ସାଜିଛନ୍ତି ମାଲପଡ଼ାର ସନ୍ତୋଷ ଅଗ୍ରୱାଲ ଓ ଲିନା ଅଗ୍ରୱାଲ । ସେମାନେ ମଧ୍ୟ ଶିବଙ୍କୁ ପୁଅ ରୂପରେ ପାଇଁ ନିଜକୁ ଧନ୍ୟ ମନେ କରିଛନ୍ତି । ତେବେ ଏହି ବାହାଘର ପାଇଁ ସେମାନେ ପାଖ ପଡୋଶୀ ସହ ନିଜ ସମସ୍ତ ସମ୍ପର୍କୀୟଙ୍କୁ ବାହାଘରେ ସାମିଲ ହେବାକୁ ନିମନ୍ତ୍ରଣ ଦେଇଥିଲେ । ଦୂର ଦୂରନ୍ତାରୁ ତାଙ୍କର ବନ୍ଧୁ ବାନ୍ଧବ ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ ।

ଦେବ ବିବାହକୁ ବଲାଙ୍ଗୀର ସହର ଉତ୍ସବ ମୁଖର ହୋଇଛି । ସାଜସଜା ସାଙ୍ଗକୁ ଝିଲମିଲ ଆଲୋକରେ ଝଲସି ଉଠୁଛି ସାରା ସହର । ସାଂସ୍କୃତିକ କାର୍ଯ୍ୟକ୍ରମରେ ନୀତି ଦିନ ଝୁମୁଛନ୍ତି ଲୋକେ । ସହରରେ ମିନା ବଜାର ସାଙ୍ଗକୁ ସବୁଠି ବିଭନ୍ନ ସାମଗ୍ରୀର ବଜାର ମଧ୍ୟ ବେଶ ଜମିଛି । ଏହି ଦେବ ବିବାହ ପାଇଁ ପ୍ରବଳ ଭିଡ ମଧ୍ୟ ଦେଖିବାକୁ ମିଳିଛି । ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.