ETV Bharat / state

ପୌର ଫାଇଟ: କିଏ ପିନ୍ଧିବ ବଲାଙ୍ଗୀର ବିଜୟ ମୁକୁଟ ? ୩ଥର ବିଜୟୀ ବିଜେଡିକୁ ମାତ ଦେବାକୁ ପ୍ରସ୍ତୁତ ବିରୋଧୀ

author img

By

Published : Mar 17, 2022, 5:31 PM IST

କ୍ଷମତା ହାତେଇବାକୁ ଲାଗିପଡିଛନ୍ତି ପ୍ରମୁଖ ରାଜନୈତିକ ଦଳ । ପୌର ପରିଷଦ ନିର୍ବାଚନ ପାଇଁ ଉଠୁଛି ପଡୁଛି ପ୍ରଚାର ମଇଦାନ । ବିଭିନ୍ନ ରାଜନୈତିକ ଦଳ ତାଙ୍କର ଏଜେଣ୍ଡା ନେଇ ଲୋକଙ୍କ ପାଖକୁ ଯାଉଛନ୍ତି । ତେବେ ତିନି ତିନି ଥର ବଲାଙ୍ଗୀର ପୌର ପରିଷଦ ବିଜେଡି ହାତରେ ରହି ଆସିଥିଲା । ଏବଂ ଏଥର ମଧ୍ୟ ପୌରପରିଷଦ ହାତେଇବା ପାଇଁ ବିଜେଡିର ନେତା ମନ୍ତ୍ରୀ ମୈଦାନକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ

୩ ଥର ବିଜୟୀ ବିଜେଡିକୁ ମାତ ଦେବାକୁ ପ୍ରସ୍ତୁତ ବିରୋଧୀ
୩ ଥର ବିଜୟୀ ବିଜେଡିକୁ ମାତ ଦେବାକୁ ପ୍ରସ୍ତୁତ ବିରୋଧୀ

ବଲାଙ୍ଗୀର: ପୌର ନିର୍ବାଚନକୁ ନେଇ ସରଗରମ୍ ରାଜ୍ୟ ରାଜନୀତି । କ୍ଷମତା ହାତେଇବାକୁ ଲାଗିପଡିଛନ୍ତି ପ୍ରମୁଖ ରାଜନୈତିକ ଦଳ । ପୌର ପରିଷଦ ନିର୍ବାଚନ ପାଇଁ ଉଠୁଛି ପଡୁଛି ପ୍ରଚାର ମଇଦାନ । ବିଭିନ୍ନ ରାଜନୈତିକ ଦଳ ତାଙ୍କର ଏଜେଣ୍ଡା ନେଇ ଲୋକଙ୍କ ପାଖକୁ ଯାଉଛନ୍ତି । ତେବେ ତିନି ତିନି ଥର ବଲାଙ୍ଗୀର ପୌର ପରିଷଦ ବିଜେଡି ହାତରେ ରହି ଆସିଥିଲା ଏବଂ ଏଥର ମଧ୍ୟ ପୌରପରିଷଦ ହାତେଇବା ପାଇଁ ବିଜେଡିର ନେତା ମନ୍ତ୍ରୀ ମଇଦାନକୁ ଓହ୍ଲାଇଛନ୍ତି । ସେପଟେ ବିଜେଡିର ମୁଖ୍ୟ ପ୍ରତିଦ୍ବନ୍ଦୀ କଂଗ୍ରେସ ହୋଇଥିବା ବେଳେ ବିଜେପି ଟିକେ ପଛରେ ପଡିଛି ହେଲେ ଜିତିବା ନେଇ ଆଶାବାଦୀ ଅଛି ।

୩ଥର ବିଜୟୀ ବିଜେଡିକୁ ମାତ ଦେବାକୁ ପ୍ରସ୍ତୁତ ବିରୋଧୀ

ବଲାଙ୍ଗୀର ମୁନସିପାଲରେ ୨୧ଟି ୱାର୍ଡ ରହିଛି । ମୋଟ ୭୫ ହଜାର ଭୋଟର ରହିଛନ୍ତି । ତିନି ତିନି ଥର ପୌର ପରିଷଦରେ ବାଜିମାତ କରିଥିବା ବିଜେଡି ଏଥର ବି ଜିତ୍ ଜିଦରେ ରହିଛି । ନିଜର ଦବଦବା ରଖିଥିବା ରାଜା ପରିବାର ତଥା ବିଜେଡ଼ିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ ଓ ତାଙ୍କ ପରିବାର ଏଥର ମୈଦାନକୁ ଓହ୍ଲାଇଛନ୍ତି । ଘରକୁ ଘର ବୁଲି ଭୋଟ ମାଗୁଛନ୍ତି । ସେହିପରି ଜଣେ ଉଚ୍ଚ ଶିକ୍ଷିତ ମହିଳାଙ୍କୁ ଚେୟାରମ୍ୟାନ ପ୍ରାର୍ଥୀ ଭାବରେ ଛିଡା କରାଇଛି ଦଳ । ସମାନ ଭାବରେ ସବୁ ୱାର୍ଡରେ ଲୋକପ୍ରିୟତା ଥିବାରୁ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକଟ ଦେଇଛନ୍ତି । ପ୍ରଚାର ପାଇଁ ଦିନ ରାତି ଅନଙ୍ଗ ଉଦୟ ସିଂହଦେଓ ତାଙ୍କ ଦୁଇ ପୁଅ ଆର୍କେଶ ନାରାୟଣ ସିଂହ ଦେଓ ଓ କଳିକେଶ ନାରାୟଣ ସିଂହ ଦେଓ ପ୍ରଚାର ମଇଦାନରେ ଅଛନ୍ତି । ସେହିପରି ଏମାନଙ୍କ ସହ ଓଡ଼ିଶାର ମନ୍ତ୍ରୀ ସୁଶାନ୍ତ ସିଂ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ପ୍ରମୁଖ ମଧ୍ୟ ପ୍ରଚାରରେ ଲାଗି ପଡିଛନ୍ତି। ତେବେ ନବୀନ ସରକାରଙ୍କ ସୁ ଶାସନ ତଥା ଲୋକାଭିମୁଖୀ ଯୋଜନାକୁ ନେଇ ଲୋକ ବିଜେଡିକୁ ହିଁ ଵାଛିବେ ବୋଲି ଦୃଢୋକ୍ତି ରଖିଛି ଦଳ । ସମାନ ଭାବରେ ପଞ୍ଚାୟତ ନିର୍ବାଚନ ଭଳି ଏଥର ପୌର ପରିଷଦ ମଧ୍ୟ ଏମାନେ ପୋଛି ନେବେ ବୋଲି କହିଛନ୍ତି ।

ସେହିପରି କଂଗ୍ରେସ ମଧ୍ୟ କିଛି କମରେ ନାହିଁ । ପଞ୍ଚାୟତ ନିର୍ବାଚନରେ ପରାଜୟ ପୀଡା ଭୁଲି ପୌର ପାଇଁ ଖୁବ ପ୍ରସ୍ତୁତି କରିଛି ଦଳ । ପ୍ରଚାର ପାଇଁ ମଙ୍ଗ ଧରିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ବଲାଙ୍ଗୀରରେ ବିଜେଡି ତିନି ତିନି ଥର ପୌର ପରିଷଦ ନିଜ ଅକ୍ତିଆରରେ ରଖି କୌଣସି ଆଖି ଦୃଶିଆ କାମ କରି ନାହିଁ ବୋଲି କଂଗ୍ରେସ କହିଛି । ପୌରାଞ୍ଚଳର ବିକାଶ ହିଁ ଏବେ ବଡ଼ ମୁଦ୍ଦା ଥିବା ବେଳେ ଲୋକେ କଂଗ୍ରେସକୁ ବାଛିବେ ଓ ଏଠି ରାଜାଘର ରାଜନୀତି ଚାଲିବ ନାହିଁ ବୋଲି କହିଛନ୍ତି ଦଳ ।

ସେପଟେ ବଲାଙ୍ଗୀର ପୌର ପରିଷଦ ନିର୍ବାଚନରେ ବିଜେପି ତାର ସତ୍ତା ତିଆରି କରିବାକୁ ଲାଗିଛି । ଜିଲ୍ଲାରେ ବହୁଳ ଭାବରେ ସଫଳ ହୋଇଥିବା ବିଜେପି କିନ୍ତୁ ଏଥର ପଞ୍ଚାୟତ ନିର୍ବାଚନରେ ସମ୍ପୂର୍ଣ୍ଣ ଭାବରେ ଲୋକଙ୍କ ଦ୍ଵାରା ଅଗ୍ରାହ୍ୟ ହୋଇଛି । ଏହାର ପ୍ରଭାବ ଚଳିତ ପୌର ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିବାବେଳେ ଏଠି ବିଜେପି ସଂଘର୍ଷ କରୁଛି। ପରିସ୍ଥିତି ଏଭଳି ହୋଇଛି ଯେ ଦଳରୁ ଟିକଟ ନେଇ ପ୍ରତିଦ୍ବନ୍ଦିତା କରିବା ପାଇଁ ପ୍ରାର୍ଥୀ ଅନେକ ୱାର୍ଡ ପାଇଁ ମିଳି ନାହାଁନ୍ତି । ସେହିପରି ବିଜେପି ଚେୟାରମ୍ୟାନ ପଦବୀ ପାଇଁ ଜଣେ ଅଣ ବିଜେପି ପ୍ରାର୍ଥୀକୁ ଟିକଟ ଦେବାକୁ ନେଇ ଦଳ ମଧ୍ୟରେ କନ୍ଦଳ ଲାଗି ରହିଛି। ସେହିପରି ବଲାଙ୍ଗୀର ବିଜେପିର ମଙ୍ଗ ଧରିବାକୁ କେହି ବରିଷ୍ଠ ନେତା ମଧ୍ୟ ନାହିଁ । ତଥାପି ବିଜେପି ଦଳର ମଙ୍ଗ ଧରିଥିବା ବଲାଙ୍ଗୀର ପରାଜିତ ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ ପୌର ନିର୍ବାଚନରେ ବିଜେପି ଭଲ କରିବ ବୋଲି କହିଛନ୍ତି । ବଲାଙ୍ଗୀର ପୌର ପରିଷଦ ନିର୍ବାଚନରେ ଆଗରେ ବିଜେଡି ଓ କଂଗ୍ରେସ ଥିବା ବେଳେ ବିଜେପି ସଂଘର୍ଷ କରୁଛି । ତେବେ ଏଭଳି ପରିସ୍ଥିତିରେ ଲୋକ କାହା ଉପରେ ସୁନା କଳସ ଢାଲୁଛନ୍ତି ଆଉ କିଏ ବିଜୟ ମୁକୁଟ ପିନ୍ଧୁଛି ତାହା ଦେଖିବାକୁ ବାକି ରହିଲା ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.