ETV Bharat / state

ପ୍ରତିଶୃତି ଦେଇ ଭୁଲିଗଲେ ସରକାର, ଆନ୍ଦୋଳନ ପାଇଁ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ସଂଘର ସଜବାଜ

author img

By

Published : Apr 26, 2023, 8:07 AM IST

ବିଭିନ୍ନ ଦାବି ପୂରଣ ନେଇ ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ସଂଘ । ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ । ଅଧିକ ପଢ଼ନ୍ତୁ

kendu leaf workers union protest in balangir
କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ସଂଘର ଆନ୍ଦୋଳନ ଚେତାବନୀ

କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ସଂଘର ଆନ୍ଦୋଳନ ଚେତାବନୀ

ବଲାଙ୍ଗୀର: ବିଭିନ୍ନ ଦାବି ନେଇ ଗର୍ଜିଲା ଓଡ଼ିଶା କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ସଂଘ । ପ୍ରତିଶୃତି ଦେଇ ରାଜ୍ୟ ସରକାର ଭୁଲିଯାଇଥିବା ଅଭିଯୋଗ କରି ଓଡ଼ିଶା କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ସଂଘ ରାଜରାସ୍ତାକୁ ଆହ୍ଲାଇଛି । ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କର୍ମଚାରୀଙ୍କ ଦାବି ପୂରଣ ପାଇଁ ଘୋଷଣା କରିଥିଲେ ମଧ୍ୟ ବିଭିନ୍ନ ବିଭାଗ ମଧ୍ୟରେ ତାଲମେଳର ଅଭାବ ଯୋଗୁଁ ଘୋଷଣା କାର୍ଯ୍ୟରେ ରୂପାନ୍ତରିତ ହୋଇ ପାରିନାହିଁ ବୋଲି ସଂଘ ଅଭିଯୋଗ କରିଛି ।

ବଲାଙ୍ଗୀର ସ୍ଥାନୀୟ ଟାଉନ ହଲ ଠାରେ ଓଡ଼ିଶାର ୧୯ଟି ଡିଭିଜନର ହଜାର ହଜାର କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ମାନେ ଏକାଠି ହୋଇଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ବଲାଙ୍ଗୀର କେନ୍ଦୁପତ୍ର ସଂରକ୍ଷକ କାର୍ଯ୍ୟାଳୟ ଘେରାଉ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏନେଇ ଓଡ଼ିଶା କେନ୍ଦୁ ପତ୍ର ତୋଳାଳି ଓ କର୍ମଚାରୀ ମହାସଂଘ ସଭାପତି ପ୍ରଭାତ ମହାନ୍ତି କହିଛନ୍ତି, " ରାଜ୍ୟ ସରକାର ୧୯୭୩ ମସିହାରୁ କେନ୍ଦୁପତ୍ରରୁ ନିଜର ରାଜକୋଷ ବୃଦ୍ଧି କରିଛନ୍ତି । ହେଲେ କେନ୍ଦୁପତ୍ର ତୋଳାଳି କିମ୍ବା କର୍ମଚାରୀଙ୍କ ପାଇଁ ଏଯାଏଁ କୌଣସି ସଠିକ ବ୍ୟବସ୍ଥା କରିନାହାନ୍ତି । ସରକାର ଅନ୍ୟ ବିଭାଗ ଗୁଡିକରେ ନୂଆ ପଦବୀ ସହ କର୍ମଚାରୀଙ୍କ ଦରମା ବୃଦ୍ଧି କରି ଆସୁଛନ୍ତି । ହେଲେ କେନ୍ଦୁପତ୍ର ତୋଳାଳି କିମ୍ବା କର୍ମଚାରୀଙ୍କ ପାଇଁ ବ୍ୟବସ୍ଥା ଆଜି ଯାଏଁ ହାତକୁ ନେଇ ନାହାନ୍ତି । ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବଡ଼ ବଡ଼ ଘୋଷଣା କରିଥିଲେ । ହେଲେ ଏଯାଏଁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ: ବିଭିନ୍ନ ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘର ଆନ୍ଦୋଳନ ଚେତାବନୀ

ଏହି ପରିପ୍ରେକ୍ଷୀରେ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ଦରମା ବୃଦ୍ଧି, ଅବସର ନେଇଥିବା କର୍ମଚାରୀଙ୍କ ଗ୍ରାଚ୍ୟୁଟି ବୃଦ୍ଧି, ନୂଆ ପଦବୀ ଗଠନ ନେଇ ସଂଘ ପକ୍ଷରୁ ଦାବି ହୋଇଛି । ସେହିପରି କେନ୍ଦୁପତ୍ର ତୋଳାଳିଙ୍କୁ ବର୍ଷକୁ ମାତ୍ର ୩ ମାସର କାମ ଦିଆଯାଉଛି । ବାକି ୯ ମାସ ଏମାନେ ଦାଦନ ଖଟିବାକୁ ବାଧ୍ୟ ହେଉଥିବାର ସେମାନେ କହିଛନ୍ତି । ତେଣୁ ବର୍ଷକୁ ୬ ମାସ କାମ ଯୋଗାଇ ଦେବାକୁ ଦାବି କରିଛନ୍ତି । ତେବେ ଏହି ଦାବି ପୂରଣ ନେଇ କେନ୍ଦୁପତ୍ର ସଂରକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଦାବି ପୂରଣ ନହେଲେ ସାରା ରାଜ୍ୟରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.