ETV Bharat / state

ଲୋୟର ଶୁକତେଲ ପ୍ରକଳ୍ପ: ଶ୍ରେୟ ନେବାକୁ ତିନି ଦଳ ଭିତରେ ଟଣାଓଟରା

author img

By ETV Bharat Odisha Team

Published : Jan 4, 2024, 1:13 PM IST

ଶୁକତେଲ ଜଳସେଚନ ପଲିଟିକ୍ସ
lower suktel irrigation

Lower Suktel Project Politics: ବଲାଙ୍ଗୀରର ବହୁ ପ୍ରତୀକ୍ଷିତ ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପକୁ ନେଇ ତେଜିଲା ଶ୍ରେୟ ରାଜନୀତି । ଶ୍ରେୟ ନେବାକୁ ବିଜେପି, କଂଗ୍ରେସ ଓ ବିଜେଡି ମଧ୍ୟରେ ଟଣାଓଟରା । ଅଧିକ ପଢନ୍ତୁ

ଶୁକତେଲ ଜଳସେଚନ ପଲିଟିକ୍ସ

ବଲାଙ୍ଗୀର: ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପର ଉଦଘାଟନ ପରେ ଏହାକୁ ନେଇ ରାଜ୍ୟରେ ତେଜିଛି ଶ୍ରେୟ ରାଜନୀତି । ପ୍ରକଳ୍ପର ସଫଳତା ଶ୍ରେୟକୁ ନେବାକୁ ଚାଲିଛି ଟଣାଓଟରା । ହଜାର ଲୋକଙ୍କ ସାମ୍ନାରେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କଲେ ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ନେତା । ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଜେପି ସାଂସଦ ସଂଗୀତା କୁମାରୀ ସିଂହଦେଓ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କୁ ଏହାର ଶ୍ରେୟ ଦେଇଥିବା ବେଳେ ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏହି ପ୍ରକଳ୍ପ ସାକାର ହୋଇଥିବା କହିଥିଲା ।

ବିଜେପି ସାଂସଦ ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର 217 କୋଟି ଟଙ୍କା ମଞ୍ଜୁର କରିବା ସହ ଅନୁଦାନ ପ୍ରଦାନ କରିଥିବା କହିଥିଲେ । ହେଲେ ଯେଉଁ ଗୋଷ୍ଠୀ ମନ୍ଦିରରେ ପ୍ରକଳ୍ପ କରାଇ ନ ଦେବାର ଶପଥ ନେଇଥିଲେ ସେମାନେ ଆଜି ଏହାର ଶ୍ରେୟ ନେବାକୁ ଚେଷ୍ଟା କରୁଥିବାର ଅଭିଯୋଗ କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଅନ୍ୟପଟେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ବିକାଶ ପାଇଁ ଚେଷ୍ଟିତ ଓ ତାହା କାମରେ କରି ପ୍ରମାଣ କରିଆସିଛନ୍ତି ବୋଲି କହିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ବିଜେପି ସାଂସଦ ସଂଗୀତା କୁମାରୀ ସିଂହଦେଓ ଉଭୟ ବିଜେଡି ଓ ବିଜେପି ସରକାରଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ଲୋୟର ଶୁକତେଲ ପ୍ରକଳ୍ପ ପାଇଁ ମୁଁ 1999ରେ ସାଂସଦ ଥିବାବେଳେ କେନ୍ଦ୍ର ସମ୍ମୁଖରେ ଏହାର ନିର୍ମାଣ ଦାବି କରିଥିଲି । ପରେ କେନ୍ଦ୍ର ଯୋଜନା କମିଶନ ଏହାକୁ ମଞ୍ଜୁରୀ ଦେଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଲାଲକିଲ୍ଲାରୁ ଏହି ପ୍ରକଳ୍ପ ହେବାର ଘୋଷଣା କରିଥିଲେ । ସେ ସମୟରେ କେନ୍ଦ୍ର ସରକାର 217 କୋଟି ଟଙ୍କା ଏହି ପ୍ରକଳ୍ପ ପାଇଁ ମଞ୍ଜୁର କରିବା ସହ ଅନୁଦାନ ଟଙ୍କା ପ୍ରଦାନ କରିଥିଲେ । ହେଲେ ଏହାର କାମ ଅହେତୁକ ବିଳମ୍ବ ହୋଇଥିଲା । ପରବର୍ତ୍ତୀ ସମୟରେ ଲୋକଙ୍କ ଦାବିକୁ ସମ୍ମାନ ଦେଇ ପ୍ରଧାନମନ୍ତ୍ରୀ ମୋଦି ଏଥିରେ ହସ୍ତକ୍ଷେପ କରିଥିଲେ । ଯାହାପରେ ଏହାର କାମ 2019ରୁ ପୁଣି ଆରମ୍ଭ ହୋଇ ଏବେ ସଫଳ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଲୋୟର ଶୁକତେଲ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀରର ଜୀବନ ରେଖା ଲୋୟର ଶୁକତେଲର ଜଳସେଚନ ପ୍ରକଳ୍ପକୁ ବୁଧବାର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ । ଏଥିପାଇଁ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବଲାଙ୍ଗୀର କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବିଜେପି ସାଂସଦ ସଂଗୀତା କୁମାରୀ ସିଂହଦେଓ ଓ ବିଜେଡିର ଯୁବନେତା କଳିକେଶ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ଅବସରରେ ଆୟୋଜିତ ସଭା କାର୍ଯ୍ୟରେ ତିନି ପ୍ରମୁଖ ଦଳର ବରିଷ୍ଠ ନେତାଙ୍କ ଅଭିଭାଷଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଯେଉଁଥିରେ ସବୁ ନେତା ଏହି ପ୍ରକଳ୍ପର ସଫଳତାର ଶ୍ରେୟ ନେବାକୁ ଚେଷ୍ଟା କରିଥିଲେ ।

ସେପଟେ ବଲାଙ୍ଗୀର କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହି ସଭାରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ 2001ରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଆସି ବିରୋଧର ସମ୍ମୁଖୀନ ହୋଇଥିଲେ । ନିର୍ମାଣ ସ୍ଥଳ ଠାରୁ ଦୂରରେ ରହି ନଡ଼ିଆ ଭାଙ୍ଗି ଚାଲିଯାଇଥିଲେ । ଏହାପରେ ମୁଁ ବିସ୍ଥାପିତ ଗାଁ ଗାଁ ବୁଲି ବିସ୍ଥାପିତ ଲୋକଙ୍କ ସହ ଆଲୋଚନା କରିଥିଲି । ଯାହାଫଳରେ ଆଜି ଏହି ଡ୍ୟାମ ହୋଇଛି । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ନହୋଇ ଉଦଘାଟନ ହୋଇଛି । ପ୍ରକଳ୍ପ ସମ୍ପୂର୍ଣ୍ଣ ସେବେ ହେବ ଯେବେ ଏଠାରୁ ଲୋକେ ପାଣି ପାଇବେ । ତରବରିଆ ଭାବରେ ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଉଦଘାଟନ କରାଯାଇଛି । ଏପରିକି ଡ୍ୟାମରେ ପାଣି ମଧ୍ୟ ନାହିଁ ।

ଲୋକଙ୍କ ଦାବି ଥିଲା ଲୋୟର ଶୁକତେଲ ପ୍ରକଳ୍ପ ହେଉ ତେଣୁ ନାଇଁ ମାମୁଁ ଠାରୁ କଣା ମାମୁଁ ଭଲ ବୋଲି ତାତ୍ସଲ୍ୟ କରି ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ନରସିଂହ ମିଶ୍ର । ସେହିପରି ଦିନେ ଯେଉଁ ଗୋଷ୍ଠୀ ମନ୍ଦିରରେ ପ୍ରକଳ୍ପ କରାଇ ନ ଦେବାର ଶପଥ ନେଇଥିଲେ ସେମାନେ ଆଜି ଏହାର ଶ୍ରେୟ ନେବାକୁ ଚେଷ୍ଟା କରୁଥିବା ବିଜେପିକୁ ଟାର୍ଗେଟ କରି ଅଭିଯୋଗ କରିଥିଲେ ନରସିଂହ ।

ତେବେ ଏହି ଦୁଇ ଦଳର ଦୁଇ ପ୍ରମୁଖ ନେତାଙ୍କ ବକ୍ତବ୍ୟକୁ ଶୁଣିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ, ଡ୍ୟାମରେ ପାଣି ଭର୍ତ୍ତି ହୋଇରହିଛି । ଲୋକଙ୍କ ଦୀର୍ଘ ଦିନର ସ୍ୱପ୍ନ ଏବେ ପୂରଣ ହୋଇଛି । ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ବିକାଶ ପାଇଁ ଚେଷ୍ଟିତ ଓ ତାହା କାମରେ କରିକି ସରକାର ପ୍ରମାଣ ଦେଇଆସିଛନ୍ତି ବୋଲି କହିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

ଅନ୍ୟପଟେ ଡ୍ୟାମରେ ପାଣି ନ ଥିବା କଥାକୁ ନେଇ ବରିଷ୍ଠ ବିଜେଡି ନେତା ଅନଙ୍ଗ ଉଦୟ ସିଂହଦେଓ କହିଛନ୍ତି ଯେ, ଲୋକ ନିଜେ ଦେଖିଛନ୍ତି ଏବଂ ଯେଉଁମାନେ କହୁଛନ୍ତି ସେମାନେ ମଧ୍ୟ ନିଜେ ଦେଖିଛନ୍ତି ଡ୍ୟାମରେ ପର୍ଯ୍ୟାପ୍ତ ପାଣି ଅଛି । ନରସିଂହ ମିଶ୍ର ଯେଉଁ ଶ୍ରେୟ ନେଉଛନ୍ତି ତା' ଅନୁସାରେ ସେ ଭାରତ ସ୍ୱାଧୀନ ହେବା ପରେ ହୀରାକୁଦ ଡ୍ୟାମ, ଭାକ୍ରା ଡ୍ୟାମ ସବୁ ନିଜେ କରିଥିବେ ବୋଲି କହି ତାତ୍ସଲ୍ୟ କରିଥିଲେ ଅନଙ୍ଗ ଉଦୟ ସିଂହଦେଓ ।


ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.