ETV Bharat / state

ବଲାଙ୍ଗୀରରେ ଔଷଧ ପାଉନାହାନ୍ତି କିଡନୀ ରୋଗୀ; ଜିଲ୍ଲାପାଳଙ୍କ ଦ୍ବାରସ୍ଥ

author img

By ETV Bharat Odisha Team

Published : Sep 28, 2023, 10:35 AM IST

Updated : Sep 28, 2023, 2:17 PM IST

ବଲାଙ୍ଗୀରରେ କିଡନୀ ରୋଗୀଙ୍କ ଜୀବନ ସହ ଖେଳ । ୮ ମାସ ହେବ ମିଳୁନି ଜରୁରୀ ଔଷଧ । ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ରୋଗୀ । ଅଧିକ ପଢନ୍ତୁ

ବଲାଙ୍ଗୀରରେ କିଡନୀ ରୋଗୀ ସମସ୍ୟା
ବଲାଙ୍ଗୀରରେ କିଡନୀ ରୋଗୀ ସମସ୍ୟା

ବଲାଙ୍ଗୀରରେ ଔଷଧ ପାଉନାହାନ୍ତି କିଡନୀ ରୋଗୀ

ବଲାଙ୍ଗୀର: କିଡନୀ ରୋଗୀଙ୍କ ଜୀବନ ସହ ଖେଳ । ବଲାଙ୍ଗୀର ଜିଲ୍ଲାରେ କିଡନୀ ରୋଗୀଙ୍କୁ ମିଳୁନି ସରକାରୀ ଔଷଧ । ଦୀର୍ଘ ୮ ମାସ ହେବ କୌଣସି ହସ୍ପିଟାଲରୁ ଏଠିକାର ରୋଗୀମାନେ ସରକାରୀ ଔଷଧ ପାଉନାହାନ୍ତି । ଫଳରେ ସେମାନଙ୍କୁ ମାସକୁ ୧୫ରୁ ୨୦ ହଜାର ଟଙ୍କା ଏହି ଜରୁରୀ ଔଷଧ ପାଇଁ ଖର୍ଚ୍ଚ କରିବାକୁ ପଡ଼ୁଛି । ଯାହା କ୍ରୟ କରିବା ସମସ୍ତଙ୍କ ପାଖରେ ସମ୍ଭବ ହେଉନି । ଯେଉଁ କାରଣରୁ ମୃତ୍ୟୁ ସହ ସଂଗ୍ରାମ କରୁଥିବା ରୋଗୀମାନେ ଏବେ ନାହିଁ ନଥିବା ଅସୁବିଧା ଭୋଗୁଥିବାର ଅଭିଯୋଗ ହୋଇଛି ।

ଏ ସମ୍ପର୍କରେ ସେମାନେ ଜିଲ୍ଲା ଚିକିତ୍ସା ବିଭାଗକୁ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ନମିଳିବାରୁ କିଡନୀ ରୋଗୀମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । କିଡନୀର ଚିକିତ୍ସାର ସୁବିଧା ଥିବା ଜିଲ୍ଲାର ଏକମାତ୍ର ଡାକ୍ତରଖାନା ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜରେ ଔଷଧ ନଥିବା ଜଣାଇଥିଲେ । ସେହିପରି ଏଠି ଡାଇଲିସିସ୍‌ ସୁବିଧା ଥିଲେ ମଧ୍ୟ ତାହା ସଠିକ ଭାବରେ କାମ କରୁନଥିବା ଅଭିଯୋଗ ଆଣିଥିଲେ । ସେପଟେ ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ବଲାଙ୍ଗୀର ସାଂସଦ କୁମାରୀ ସଙ୍ଗୀତା ସିଂହଦେଓ ରୋଗୀ ଓ ତାଙ୍କ ସମ୍ପର୍କୀୟ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳ ଓ ଜିଲ୍ଲା ଚିକିତ୍ସା ବିଭାଗ ସହିତ ମଧ୍ୟ ଆଲୋଚନା କରି ଏହି ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ସଠିକ ପଦକ୍ଷେପ ନେବାକୁ କହିଥିଲେ ।

ଜଣେ ରୋଗୀ କହିଛନ୍ତି, "ସେ ଦୀର୍ଘ 8 ବର୍ଷରୁ କିଡନୀ ରୋଗରେ ପୀଡ଼ିତ ଓ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହୋଇ ଆସୁଛନ୍ତି । ହେଲେ 8 ମାସ ହେବ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଜରୁରୀ ଔଷଧ ଦେବା ବନ୍ଦ କରିଛନ୍ତି ଏବଂ ଔଷଧ ପାଇଁ ଦାବି କଲେ ଓଲଟା ଧମକ ଦେଉଛନ୍ତି ।" ଏନେଇ ଜିଲ୍ଲାପାଳ ଓ ବଲାଙ୍ଗୀର ସାଂସଦଙ୍କୁ ଜଣାଇବା ପରେ ସେମାନେ ସମସ୍ୟାର ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ସ୍ବାସ୍ଥ୍ୟସେବାର ନଗ୍ନଚିତ୍ର: ଆସିଲାନି ଆମ୍ବୁଲାନ୍ସ, ରାସ୍ତା କଡରେ ଯାଆଁଳା ଶିଶୁ ଜନ୍ମ ଦେଲେ ମହିଳା

ବଲାଙ୍ଗୀର ସାଂସଦ କହିଛନ୍ତି ଯେ, କିଡନୀ ରୋଗୀମାନେ ତାଙ୍କର ସମସ୍ୟା ଜଣାଇଥିଲେ ଏବଂ ଏହାକୁ ନେଇ ସେ ଜିଲ୍ଲାପାଳ ତଥା ଚିକିତ୍ସା ବିଭାଗ ସହିତ ଆଲୋଚନା କରିଛନ୍ତି । ଯେଉଁଥିରେ ନିୟମିତ ଭାବରେ ଔଷଧ ଯୋଗାଇ ଦେବା, ଡାଇଲିସିସ ବ୍ୟବସ୍ଥା ସୁଦୃଢ଼ କରିବା ଓ ଜେନେରେଟର ବ୍ୟବସ୍ଥା କରିବା ପାଇଁ ସେ ଆଲୋଚନା କରିଛନ୍ତି । ଏବଂ ଖୁବଶୀଘ୍ର ସବୁ ଠିକ କେମିତି ହେବ ସେନେଇ ନିଜେ ଚେଷ୍ଟା କରିବେ ବୋଲି କହିଛନ୍ତି ।

ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି ଯେ, ଜିଲ୍ଲାରେ ଗୋଟିଏ ଡାକ୍ତରଖାନାରେ ଏବେ ଏହିସବୁ ଚିକିତ୍ସା ଉପଲବ୍ଧ ଅଛି । ରୋଗୀ ସଂଖ୍ୟା ଅଧିକ ଥିବାରୁ ଏହି ସମସ୍ୟା ଆସିଛି । ତେଣୁ ଆଗକୁ ଏଠିକାର ବ୍ୟବସ୍ଥା ଆହୁରି ସୁଦୃଢ଼ କରାଯିବ । ସେହିପରି ଜିଲ୍ଲାର ଟିଟିଲାଗଡ଼ ଓ କଣ୍ଟାବାଞ୍ଜିରେ ମଧ୍ୟ ଖୁବଶୀଘ୍ର ଏହିସବୁ ଚିକିତ୍ସା ଯୋଗାଇ ଦିଆଯିବ ଯଦ୍ବାରା ରୋଗୀ ଉପଯୁକ୍ତ ଚିକିତ୍ସା ପାଇପାରିବେ । ଏହାଛଡ଼ା ଜରୁରୀ ଔଷଧ ମଧ୍ୟ ସବୁବେଳେ ମହଜୁଦ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।

ବଲାଙ୍ଗୀର ଜିଲ୍ଲାରେ ଶତାଧିକ ଗ୍ରାମରେ କିଡ୍‌ନୀ ରୋଗ ସାଧାରଣ ହୋଇଛି । ହଜାରହଜାର ଲୋକ ଏଥିରେ ପୀଡ଼ିତ ଥିବାବେଳେ ଅନେକ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଏହାର ଚିକିତ୍ସା ଖର୍ଚ୍ଚ ଅଧିକ ଥିବାରୁ ରୋଗୀ ଚିକିତ୍ସା କରାଇ ନପାରୁଥିବାର ଅଭିଯୋଗ ଆସୁଛି । ତେଣୁ ସରକାର ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Sep 28, 2023, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.