ETV Bharat / state

ଆର୍ଥିକ ଅନଟନରୁ ଶିଶୁ ବିକ୍ରି ! ଅଢେଇ ଲକ୍ଷରେ ନବଜାତକୁ ବିକିଲା ବାପା

author img

By

Published : Aug 5, 2023, 9:30 AM IST

Updated : Aug 5, 2023, 11:36 AM IST

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସହରରେ ଅଢେଇ ଲକ୍ଷ ଟଙ୍କାରେ ନବଜାତ ଶିଶୁକୁ ବିକ୍ରି କରିଲା ବାପା । ମଧ୍ୟସ୍ଥିଙ୍କ ସହ ୨ଜଣ ଗିରଫ । ଅଧିକ ପଢନ୍ତୁ

ଆର୍ଥିକ ଅନଟନ ପାଇଁ ଶିଶୁ ବିକ୍ରି
ଆର୍ଥିକ ଅନଟନ ପାଇଁ ଶିଶୁ ବିକ୍ରି

ଆର୍ଥିକ ଅନଟନ ପାଇଁ ଶିଶୁ ବିକ୍ରି

ବଲାଙ୍ଗୀର: ଗରିବୀର ବିକଳ ଚିତ୍ର । ଅଢେଇ ଲକ୍ଷ ଟଙ୍କାରେ ନବଜାତ ଶିଶୁକୁ ବିକ୍ରି କରିଲା ବାପା । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସହରରେ । ଏନେଇ ମଧ୍ୟସ୍ଥି ସହ ୨ଜଣ ଗିରଫ ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ, ଟିଟିଲାଗଡ଼ ସହରର ଝାଙ୍କରପଡାର ଜଣେ ଦମ୍ପତି ଦଲାଲ ଜରିଆରେ ଭବାନୀପାଟଣାର ଜଣେ ଦମ୍ପତିଙ୍କୁ 2.5ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ । ହେଲେ ଉକ୍ତ ଦମ୍ପତି ଅଧିକ ଟଙ୍କାରେ ଶିଶୁକୁ ଛତିଶଗଡ଼ର ଆଉ ଜଣେ ଦମ୍ପତିଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ୍ ସମ୍ପୃକ୍ତ ଶିଶୁର ବାପା ସମେତ ମଧ୍ୟସ୍ଥିକୁ ଗତ 1 ତାରିଖରୁ ଆଣି ଅଟକ ରଖିବା ପରେ ଗତକାଲି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି ।

ଅନ୍ୟପଟେ ମଧ୍ୟସ୍ଥିଙ୍କ ସ୍ତ୍ରୀ ଏହି ଅଭିଯୋଗକୁ ସ୍ବୀକାର କରିଥିବା ବେଳେ ସେ କହିଛନ୍ତି ଯେ, ଭବାନୀପାଟଣାର ଏକ ଦମ୍ପତି ତାଙ୍କ ସ୍ଵାମୀକୁ ଯୋଗାଯୋଗ କରିଥିଲେ । ଏଥିସହ ଏକ ନବଜାତ ଶିଶୁ ଦରକାର ବୋଲି କହିଥିଲେ । ଯାହାପରେ ତାଙ୍କ ସ୍ଵାମୀ ରମଜାନ ଶେଖ୍ ପଡୋଶୀ ଥିବା ଆଉ ଜଣେ ଦମ୍ପତି ସହ ଯୋଗାଯୋଗ କରିଥିଲେ । ତାଙ୍କର ପାଞ୍ଚ ଦିନର ଶିଶୁକୁ ସେମାନେ ଅଢେଇ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ ବୋଲି ସେ କହିଛନ୍ତି । ହେଲେ ଏନେଇ କେବଳ ତାଙ୍କ ସ୍ବାମୀକୁ ପୋଲିସ୍ ମାଡ ମାରିଥିବା ବେଳେ ଅନ୍ୟ ଦୋଷୀ ମାନଙ୍କୁ ଛାଡ଼ି ଦେଇଥିବା ସେ ଅଭିଯୋଗ କରିଛନ୍ତି ।

ଏନେଇ ବରିଷ୍ଠ ଆଇନଜୀବୀ ସୁମନ ବେହେରା କହିଛନ୍ତି ଯେ, ଏହା ଏକ ଅଭାବନୀୟ ଘଟଣା ଅଟେ । ବାପା କିପରି ତାର ଶିଶୁକୁ ବିକ୍ରି କଲା ଏବଂ ଯିଏ କିଣିଛି ଏଯାଏଁ ତାଙ୍କୁ ପୋଲିସ୍ କାହିଁକି ଧରି ପାରି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ତେଣୁ ଏନେଇ ଶୀଘ୍ର ପଦକ୍ଷେପ ଦାବି ସେ କରିଛନ୍ତି । ବଲାଙ୍ଗୀରରେ ଶିଶୁ ବିକ୍ରି ଘଟଣା ନୂଆ ନୁହେଁ । ଏଠି ଗରିବୀ ପାଇଁ 1985 ମସିହାରେ ଜଣେ ଗରିବ ମା’ ତାର ଝିଅକୁ ଜଣେ ଦୃଷ୍ଟିବାଧିତ ବୃଦ୍ଧକୁ ବିକ୍ରି କରିବା ଘଟଣା ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ- ଶିଶୁ ବିକ୍ରି ପାଇଁ ମୂଲଚାଲ କଲେ ଡାକ୍ତର, ଭିଡିଓ ଭାଇରାଲ

ସେହିପରି ପରବର୍ତ୍ତୀ ସମୟରେ ବଲାଙ୍ଗୀର ଡ଼ାକ୍ତରଖାନାରୁ ଜଣେ ଶିଶୁକୁ ତାର ମାଆ ବିକ୍ରି କରିଥିଲେ । କେବଳ ତାଙ୍କର ସ୍ୱାମୀର ଚିକିତ୍ସା ପାଇଁ ସେ ନିଜ ଶିଶୁକୁ ବିକ୍ରି କରିବା ଘଟଣା ପୁଣି ସାମନାକୁ ଆସିଥିଲା । ସେହିପରି ଟିଟିଲାଗଡରେ ପୁଣି ଏହି ଘଟଣା ପୁନରାବୃତ୍ତି ହେବା ନିହାତି ଚିନ୍ତାର ବିଷୟ ଅଟେ । ବିକାଶ ନାଁ ରେ ଡିଣ୍ଡିମ ପିଟୁଛନ୍ତି ସରକାର । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳ ମାଳ ଯୋଜନା କରୁଛନ୍ତି । ହେଲେ ମାସକ ମଧ୍ୟରେ ଦୁଇ ଦୁଇଟି ଶିଶୁ ବିକ୍ରି ହେବା ଅଭିଯୋଗ ସରକାରଙ୍କ ବାସ୍ତବ ଚିତ୍ରକୁ ପୁଣି ସାମ୍ନାକୁ ଆଣିଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Aug 5, 2023, 11:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.