ETV Bharat / state

ପାଟଣାଗଡ଼ ବିଧାୟକଙ୍କ ବିରୋଧରେ ସାମ୍ବାଦିକଙ୍କ ଧାରଣା, ବିଜେପି-କଂଗ୍ରେସ ସାମିଲ

author img

By

Published : Jul 17, 2023, 8:24 PM IST

ବଲାଙ୍ଗୀର ପାଟଣାଗଡ଼ ବିଧାୟକଙ୍କୁ ଦୁର୍ବ୍ୟବହାରକୁ ନେଇ ସାମ୍ବାଦିକଙ୍କ ଧାରଣା ଦ୍ବିତୀୟ ଦିନରେ ପହଞ୍ଚିଛି । ଏହି ଧାରଣାରେ ଆଜି ସାମିଲ ହୋଇଛି କଂଗ୍ରେସ, ବିଜେପି ଓ କୋଶଳ ମୁକ୍ତି ମୋର୍ଚ୍ଚା । ଅଧିକ ପଢନ୍ତୁ

Etv Bharat
Etv Bharat

ବଲାଙ୍ଗୀର: ପାଟଣାଗଡ଼ ବିଧାୟକଙ୍କ ବିରୋଧରେ ସାମ୍ବାଦିକଙ୍କ ଧାରଣା ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି । ଆନ୍ଦୋଳନରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମର୍ଥନ ଜଣାଇ ଧାରଣରେ ସାମିଲ ହେଲେ କଂଗ୍ରେସ ଓ ବିଜେପି ସମେତ କୋଶଳ ମୁକ୍ତି ମୋର୍ଚ୍ଚା । ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କ ସହିତ ଦୁର୍ବ୍ୟବହାର କରିବା ସହ ତାଙ୍କୁ ବୈଠକ ସ୍ଥଳରୁ ବିଧାୟକ ତଡ଼ିଦେବା ଫଳରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଛି । ବିଜେଡି ରାଜ୍ୟରେ ଏକଛତ୍ର ଶାସନ ଚଲାଇଛି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି ।

ଗତ 15 ତାରିଖରେ ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟରେ ସମିତି ବୈଠକ ପାଟଣାଗଡ଼ ବିଧାୟକ ସରୋଜ ମେହେର ଅଧ୍ୟକ୍ଷତାରେ ଚାଲିଥିଲା । ତେବେ ଏହାର ଖବର ସଂଗ୍ରହ କରିବା ପାଇଁ ପାଟଣାଗଡ଼ର ସାମ୍ବାଦିକ ତଥା ଖପ୍ରାଖୋଲ ସାମ୍ବାଦିକ ପହଞ୍ଚିଥିଲେ । ହେଲେ ଉପସ୍ଥିତ ବିଧାୟକ ସରୋଜ ମେହେର ତାଙ୍କୁ ଦୁର୍ବ୍ୟବହାର କରି ବୈଠକ ସ୍ଥଳରୁ ତଡି ଦେଇଥିଲେ। ଯାହାକୁ ବିରୋଧ କରି ପାଟଣାଗଡ଼ ସାମ୍ବାଦିକ ସଂଘ ଗତ କାଲିଠୁ ଏଠି ଧାରଣା ଦେଇଛି । ଯେପର୍ଯ୍ୟନ୍ତ ବିଧାୟକ ନିଜେ ଆସି କ୍ଷମା ପ୍ରାର୍ଥନା କରିନାହାନ୍ତି ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି କହିଛନ୍ତି।

ଏହା ବି ପଢନ୍ତୁ- ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ! ପାଟଣାଗଡ଼ ବିଧାୟକଙ୍କ ବିରୋଧରେ ଧାରଣା

ସେପଟେ ଏହାକୁ ସମର୍ଥନ ଦେଇ କଂଗ୍ରେସ, ବିଜେପି ଓ କେଏମଏମର ନେତାମାନେ ଏଥିରେ ସାମିଲ ହୋଇଛନ୍ତି । ଏନେଇ କଂଗ୍ରେସ ନେତା ଅନିଲ ମେହେର କହିଛନ୍ତି, " ସାମ୍ବାଦିକମାନେ ଦିନରାତି କାମ କରି ଲୋକଙ୍କ ପାଖକୁ ଖବର ପହଞ୍ଚାଇଥାନ୍ତି । ବିଷମ ପରିସ୍ଥିତିରେ ଏମାନେ କାମ କରି ଲୋକଙ୍କ ତଥା ଅଞ୍ଚଳର ବିକାଶ ପାଇଁ କାମ କରିଥାନ୍ତି । ହେଲେ ବିଧାୟକଙ୍କ ଏଭଲି ମନୋଭାବ ନିହାତି ଭାବରେ ନିନ୍ଦନୀୟ ।" ଖପ୍ରାଖୋଲ ବ୍ଲକରେ ଘୋର ଦୁର୍ନୀତି ଚାଲିଥିବା ବେଳେ ତାକୁ ଢାଙ୍କିବାକୁ ସାମ୍ବାଦିକଙ୍କୁ ବାରଣ କରାଯାଉଛି ବୋଲି ସେ କହିଛନ୍ତି।

ଧାରଣାରେ ସାମିଲ ହୋଇ ବିଜେପି ନେତା ପଞ୍ଚୁଦେବ ସାହୁ କହିଛନ୍ତି, " ସାମ୍ବାଦିକମାନେ ଲୋକଙ୍କ ପାଇଁ କାମ କରୁଛନ୍ତି। ସେମାନେ ସେତୁ ଭଳି କାମ କରି ସରକାର ପ୍ରଶାସନ ସହିତ ଲୋକଙ୍କ ସମସ୍ୟାକୁ ଆଗକୁ ଆଣିଥାଆନ୍ତି । ଏଠି ବିଧାୟକଙ୍କ ଏକଛତ୍ରବାଦ ଶାସନ ଚାଲିଥିବା ବେଳେ ଦୁର୍ନୀତିକୁ ପ୍ରଶୟ ଦିଆଯାଉଛି । ତେଣୁ ସାମ୍ବାଦିକଙ୍କୁ ଏଭଳି ଆଚରଣ କରାଯାଇଛି।" ଏହାକୁ ବିଜେପି ନେତା ଦୃଢ ନିନ୍ଦା କରିଥିବା ବେଳଏ ଏବେ ଓ ଆଗକୁ ମଧ୍ୟ ସେ ସାମ୍ବାଦିକମାନଙ୍କ ସହିତ ଥିବା କହିଛନ୍ତି ।

ଦରକାର ପଡ଼ିଲେ ସେମାନେ ବଡ଼ ଆନ୍ଦୋଳନ କରିବେ ବୋଲି କହିଛନ୍ତି । ତେବେ ସାମ୍ବାଦିକଙ୍କ ଧାରଣା ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି । ସେପଟେ ବିଧାୟକ ଏଯାଏଁ ସାମ୍ନାକୁ ଆସିନାହାନ୍ତି କିମ୍ବା ଆନ୍ଦୋଳନରତ ସାମ୍ବାଦିକଙ୍କ ସହ କୌଣସି ଆଲୋଚନା କରିନାହାନ୍ତି । ରାଜନୈତିକ ଦଳ ଏବେ ଏଥିରେ ସାମିଲ ହେବାରୁ ଏହି ବିବାଦ ଆଗକୁ ଆହୁରି ତୀବ୍ର ହେବ ବୋଲି ଜଣାପଡ଼ିଛି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.