ETV Bharat / state

ବଲାଙ୍ଗୀରରେ ବର୍ଷା ପରେ ସୁଧୁରୁଛି ସ୍ଥିତି, କ୍ଷୟକ୍ଷତିର ଆକଳନ ଆରମ୍ଭ

author img

By ETV Bharat Odisha Team

Published : Sep 16, 2023, 2:11 PM IST

ବର୍ଷା ପରେ ବଲାଙ୍ଗୀରରେ ବନ୍ୟା ପରିସ୍ଥିତି । କ୍ଷୟକ୍ଷତି ଆକଳ କରୁଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

balangir administration reviewed damage situation
balangir administration reviewed damage situation

balangir administration reviewed damage situation

ବଲାଙ୍ଗୀର: ଦୁଃଖ ଆଣିଲା ଲଘୁଚାପ ଜନିତ ବର୍ଷା । ବଲାଙ୍ଗୀର ଜିଲ୍ଲାରେ ବର୍ଷା ପରେ ବନ୍ୟା ପରିସ୍ଥିତି ଉପୁଜିବାରୁ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ବନ୍ୟାଜଳରେ ଭାସି ଯାଇ ଆଜିବି ଜଣେ ନିଖୋଜ ଅଛନ୍ତି । ବର୍ଷା କମିଯାଇଛି ଆଉ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ । ଅନ୍ୟପଟେ ଜିଲ୍ଲା ପ୍ରଶାସନ ଦ୍ୱାରା କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ରାସ୍ତା ମରାମତି କାମ ଚାଲିଛି ।

ଜିଲ୍ଲାରେ ଗୁରୁବାର ଓ ଶୁକ୍ରବାର ପ୍ରବଳ ବର୍ଷା ହୋଇଥିଲା । ଗୁରୁବାର ଜିଲ୍ଲାରେ ସର୍ବାଧିକ 212 ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଶୁକ୍ରବାର 112 ମିମି ବର୍ଷା ରେକର୍ଡ ହୋଇଥିଲା । ସେହିପରି ଦେଓଗାଁ ବ୍ଲକରେ ଦୁଇ ଦିନରେ 178 ମିମି ବର୍ଷା, ପୁଇଁତଲା ବ୍ଲକରେ 220 ମିମି ବର୍ଷା, ଗୁଡ଼ଭେଳା ବ୍ଲକରେ 217 ମିମି ବର୍ଷା ରେକର୍ଡ ହୋଇଛି । ଏହା ଛଡା ଅନ୍ୟ 10 ଟି ବ୍ଲକରେ ମଧ୍ୟ ଦୁଇ ଦିନରେ ଶହେ ମିମିରୁ ଅଧିକ ବର୍ଷା ହୋଇଥିଲା । ପ୍ରବଳ ବର୍ଷାରେ ଜଳମଗ୍ନ ହୋଇଥିଲା ଅନେକ ଗାଁ ରାସ୍ତା ଘାଟ, ଘର ମନ୍ଦିର ସବୁଠି ଆଣ୍ଠୁଏ ପାଣି ଜମି ରହିଥିଲା।

ଏହା ମଧ୍ୟ ପଢନ୍ତୁ-କଣ୍ଟାମାଳ ବୁଡ଼ାଇଲା ତେଲନଦୀର ବନ୍ୟାଜଳ, ବର୍ଷା କମିବାରୁ ଆଶ୍ବସ୍ତି

ତଳିଆ ଅଞ୍ଚଳରେ ପାଣି ପଶିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ସ୍ଥାନୀୟ ଲୋକେ । ଚାଷ ଜମି ମଧ୍ୟ ବର୍ଷା ପାଣିରେ ବୁଡି ରହିଥିଲା। ଏହାଛଡା ସଇଁତଲା, ଦେଓଗାଁ, ଗୁଡ଼ଭେଳା, ପୁଇଁତଲା ଓ ବଲାଙ୍ଗୀର ବ୍ଲକର ଅନେକ ଗାଁ ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହୋଇଥିବାରୁ ଯୋଗା ଯୋଗ ବିଚ୍ଛିନ୍ନ ହୋଇଥିଲା । ଏହାରି ମଧ୍ୟରେ ଆଗଲପୁର ବ୍ଲକରେ କୁଲହାରି ନାଳରେ ଭାସି ଯାଇ ଜଣକର ମୂତ୍ୟୁ ହୋଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ବର୍ଷା ଛାଡିଥିବା ବେଳେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଏହାଛଡା ଜିଲ୍ଲା ପ୍ରଶାସନ କ୍ଷୟକ୍ଷତି ଆକଳନ କରୁଛି ।

ବଲାଙ୍ଗୀର ସାଲେପାଳି କାମାକ୍ଷାନଗର ରାସ୍ତା ଓ ପୋଲକୁ ନେଇ ଜଣେ ସ୍ଥାନୀୟ ବାସିନ୍ଦା ଅମର ବାରିକ କହିଛନ୍ତି ଯେ, ଏହି ରାସ୍ତା ସବୁ ବେଳେ ବର୍ଷାରେ ଶୋଚନୀୟ ହୋଇଥାଏ । ଯାତାୟତ ସମୟରେ ଏଠାକାର ଲୋକେ ଅସୁବିଧା ଭୋଗିଥାନ୍ତି । ବିଜଖମାନ ନାଳ ପୋଲ ଉପରୁ ସବୁ ବେଳେ ବନ୍ୟା ପାଣି ପ୍ରବାହିତ ହୋଇଥାଏ । ଯାହାଫଳରେ ବର୍ଷା ହେଲେ ବାହ୍ୟ ଜଗତରୁ ବିଚ୍ଛିନ୍ନ ଅବସ୍ଥାରେ ରହୁଛୁ । ରାସ୍ତାର ଉନ୍ନତି କରଣ ସହ ସମ୍ପୃକ୍ତ ପୋଲ ନୂଆ ନିର୍ମାଣ କରିବାର ଦାବି କରିଛନ୍ତି ଅମର ବାରିକ । ଶୁକ୍ରବାର ବଲାଙ୍ଗୀର ବିଧାୟକ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.