ETV Bharat / state

ତୁର୍କୀରେ ଭୂମିକମ୍ପ ପରେ ଭୟରେ ତାଳଚେରବାସୀ, ଫମ୍ପା ମାଟିରେ ବସିଛି ସହର

author img

By

Published : Feb 7, 2023, 9:43 PM IST

ତାଳଚେରବାସୀଙ୍କୁ ଘାରିଲା ତୁର୍କୀ ଭୟ । ଶକ୍ତିଶାଳୀ ଭୂକମ୍ପ ଝଟକାରେ ଛାରଖାର ହୋଇଯାଇଥିବା ତୁର୍କୀରେ ଶୁଭୁଛି ହାହାକାର । ଏହି ଭୟଙ୍କର ଦୃଶ୍ୟ ଦେଖି ଚିନ୍ତାରେ ଅନୁଗୋଳ ଜିଲ୍ଲାର ତାଳଚେରବାସୀ । କାରଣ ଭୂତଳ କୋଇଲା ଖଣି ପାଇଁ ଫମ୍ପା ହୋଇଛି ସହର । ଦେଖନ୍ତୁ ଏହି ରିପୋର୍ଟ

Talcher people in fear
Talcher people in fear

ତୁର୍କୀରେ ଭୂମିକମ୍ପ ପରେ ଭୟରେ ତାଳଚେରବାସୀ, ଫମ୍ପା ମାଟିରେ ବସିଛି ସହର

ଅନୁଗୋଳ: ସୁଦୂର ତୁର୍କୀରେ ଭୂମିକମ୍ପର ତାଣ୍ଡବ ଦେଖିବା ପରେ ଏବେ ଭୟଭୀତ ଜିଲ୍ଲାର ତାଳଚେରବାସୀ । ପୂର୍ବରୁ ଅନେକ ଥର ଏଠାରେ ଭୂମିକମ୍ପ ହୋଇଛି। ଯଦିଓ ଭୂମିକମ୍ପର ତୀବ୍ରତା ସେତେଟା ଅଧିକ ହୋଇ ନାହିଁ ସେଥିପାଇଁ ବିଶେଷ ଖୟକ୍ଷତି ହୋଇ ନାହିଁ। କିନ୍ତୁ ତାଳଚେର ବାସୀଙ୍କ ମନରେ ରହିଛି ଭୟ। କାରଣ ଏଠାରେ ୩ଟି ଭୂତଳ କୋଇଲା ଖଣି ରହିଥିବା ବେଳେ କୋଇଲା ଖନନ ପରେ ମାଟି ତଳେ ଆବଶ୍ୟକ ପରିମାଣର ବାଲି ଭର୍ତ୍ତି ହୋଇନଥିବା ଅଭିଯୋଗ ହୋଇଛି । ଯଦି ତାଳଚେରରେ ଭୂମିକମ୍ପ ହୁଏ, ତେବେ ତୁର୍କୀ ଭଳି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ଭୟଭୀତ ଅଞ୍ଚଳବାସୀ ।

ତାଳଚେରରେ ଥିବା ୩ଟି ଭୂତଳ କୋଇଲା ଖଣି ମଧ୍ୟରୁ ଏବେ ଦୁଇଟି ବନ୍ଦ ହୋଇ ଯାଇଥିଲେ ମଧ୍ୟ ଗୋଟିଏ ଚାଲିଛି। ଗତ ୧୯୯୮ ମସିହାରୁ ହାଣ୍ଡିଧୁଆ ଭୂତଳ ଖଣି ବନ୍ଦ ହୋଇଯାଇଛି । ନିୟମ ଅନୁସାରେ ସେହି ଖଣିରେ ୫ ଲକ୍ଷ ୮୫ହଜାର କ୍ୟୁବିକ ମିଟର ବାଲି ଭର୍ତ୍ତି କରାଯିବା କଥା । ହେଲେ ଦୀର୍ଘ ୨୫ବର୍ଷ ପରେ ମଧ୍ୟ ୪ଲକ୍ଷ ୩୨ ହଜାର ୧୪୫ କ୍ୟୁବିକ ମିଟର ବାଲି ଭର୍ତ୍ତି କରାଯାଇଛି । ସେହିପରି ଗତ ୨୦୦୬ରୁ ଦେଉଳବେଡା ଭୂତଳ ଖଣି ବନ୍ଦ ହୋଇଯାଇଛି। ଆକଳନ ଅନୁସାରେ ସେହି ଖଣିରେ ୩ଲକ୍ଷ ୩୦ହଜାର ୪୪୦ କ୍ୟୁବିକ ମିଟର ବାଲି ଭର୍ତ୍ତି କରାଯିବା ସ୍ଥାନରେ ମାତ୍ର ୧ ଲକ୍ଷ ୬ ହଜାର ୧୦୦ କ୍ୟୁବିକ ମିଟର ବାଲି ଭର୍ତ୍ତି କରାଯାଇଛି।

ଏହା ବି ପଢନ୍ତୁ- ମହିମା ଧାମରେ ମହିମା ମହୋତ୍ସବ, ସାମିଲ ହେଲେ ବଙ୍ଗାଳୀ ନେପାଳି କଳାକାର

ଆହୁରି ୨ଲକ୍ଷ ୨୪ହଜାର ୩୦୦କ୍ୟୁବିକ ମିଟର ଛାଡି ଦିଆଯାଇଛି । ସେହି ଅଞ୍ଚଳ ଉପରେ ଜନବସତି ରହିଥିବା ବେଳେ ତଳ ଫମ୍ପା ଅଛି । ଏଥିପାଇଁ ତାଳଚେରବାସୀ ବହୁବାର ଦାବି ଆପତ୍ତି ଉଠାଇଛନ୍ତି । ଆନ୍ଦୋଳନ ମଧ୍ୟ କରିଛନ୍ତି । କିନ୍ତୁ କୌଣସି ସୁଫଳ ମିଳି ପାରୁନାହିଁ। ନିକଟରେ ତୁର୍କୀରେ ଯେଉଁଭଳି ଭାବେ ଭୟଙ୍କର ଭୂମିକମ୍ପ ହେଲା ଏବଂ ହଜାର ହଜାର ଲୋକ ଅକାଳରେ ମୃତ୍ୟୁବରଣ କଲେ ସେହି ଘଟଣା ପରେ ତାଳଚେର ଲୋକେ ଅତ୍ୟନ୍ତ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, "ତାଳଚେର ହେଉଛି ଭୂମିକମ୍ପ ପ୍ରବଣ ଅଞ୍ଚଳ । ଏଠାରେ ଭୂମିକମ୍ପ ହୋଇଥିଲେ ମଧ୍ୟ ସେତେଟା ଭୟଙ୍କର ହୋଇନାହିଁ ।

ହେଲେ ତୁର୍କୀରେ ଭୂମିକମ୍ପକୁ ଦେଖି ସହରବାସୀଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । କାରଣ ଏହି ଅଞ୍ଚଳଟିର ମାଟି ତଳ ଫମ୍ପା । ଭଗବାନ ନ କରନ୍ତୁ ଏଠାରେ ଭବିଷ୍ୟତରେ ତୁର୍କୀ ଭଳି ପରିସ୍ଥିତି ସୃଷ୍ଟି ହେଉ । ଯଦି ସେପରି ଭୂମିକମ୍ପ ହେବ ତେବେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି । ସରକାର ଏଠାକାର ବାସୀଙ୍କ ଲାଗି ଇନ୍ସୁରାନ୍ସ କରିବା ଆବଶ୍ୟକ । ଆଉ ଏହାର ପ୍ରିମିୟମ ମହାନଦୀ କୋଇଲା କମିଟି ଲିମିଟେଡ ପ୍ରତିବର୍ଷ ଦେଉ । ଏ ନେଇ ମୁଁ କୋର୍ଟରେ ଏକ ଜନସ୍ବାସ୍ଥ୍ୟ ମାମଲା ରୁଜୁ କରିଥିଲି । ଏ ନେଇ କୋର୍ଟ ପକ୍ଷରୁ ମଧ୍ୟ କୌଣସି ନିର୍ଦ୍ଦେଶ ଆସିନାହିଁ । ଭଗବାନ ନ କରନ୍ତୁ ଏପରି କୌଣସି ଘଟଣା ଏଠାରେ ଘଟୁ ।"

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.