ETV Bharat / state

ନାଲକୋରୁ ନିର୍ଗତ ପାଉଁଶ ରଖିବାକୁ ଜାଗା ନାହିଁ, CPP ପ୍ଲାଣ୍ଟ ବନ୍ଦ ରଖିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ

author img

By

Published : Jul 25, 2023, 9:35 PM IST

ଅନୁଗୋଳ ନାଲକୋ ପ୍ଲାଣ୍ଟରେ ୧୫ ଦିନ ଧରି ପାଉଁଶ ନିଷ୍କାସନ ବନ୍ଦ ରହିଥିବାରୁ ଦୈନିକ ନିର୍ଗତ ହେଉଥିବା ପାଉଁଶ ରଖିବାକୁ ଜାଗା ନାହିଁ । ପାଉଁଶ ରଖିବା ପାଇଁ ବିକଳ୍ପ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ସିପିପି ପ୍ଲାଣ୍ଟକୁ ବନ୍ଦ କରିଦେବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନୋଟିସ ଜାରି କରିଛି । ଅଧିକ ପଡ଼ନ୍ତୁ

pollution control board issues notice to nalco
ନାଲକୋକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନୋଟିସ

ନାଲକୋକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନୋଟିସ

ଅନୁଗୋଳ: ପାଉଁଶ ପରିଚାଳନାକୁ ନେଇ ସଙ୍କଟରେ ନାଲକୋ । ପାଉଁଶ ପରିଚାଳନା ଏବେ ନବରତ୍ନ କମ୍ପାନୀ ନାଲକୋର ମୁଣ୍ଡବିନ୍ଧାର କାରଣ ହୋଇଛି । CPP ପ୍ଲାଣ୍ଟର ପାଉଁଶ ପଡିବାକୁ ଜାଗା ନଥିବାରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ 4 ରୁ 5 ଦିନ ମଧ୍ୟରେ ପ୍ଲାଣ୍ଟ ବନ୍ଦ କରିବାକୁ ନୋଟିସ ଜାରି କରିଛି । ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ଦୈନିକ ନିର୍ଗତ ହେଉଥିବା ପାଉଁଶ ରଖିବାକୁ ଜାଗା ନାହିଁ । ତେଣୁ ପାଉଁଶ ରଖିବା ପାଇଁ ବିକଳ୍ପ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ସିପିପି ପ୍ଲାଣ୍ଟକୁ ବନ୍ଦ କରିଦେବା ପାଇଁ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ଅନୁଗୋଳ ସୁପାରିସ କରିଛି ।

ପ୍ରଦୂଷଣ ବିଭାଗର ଚିଠି ପରେ ନାଲକୋ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି । ନାଲକୋରେ ପାଉଁଶ ନିଷ୍କାସନ ବ୍ୟବସ୍ଥା ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ରମେଶ ଏକ୍କା ଦୁଇଦିନ ତଳେ ନାଲକୋର ପାଉଁଶ ପରିଚାଳନା ବ୍ୟବସ୍ଥାର ତଦାରଖ କରିଥିଲେ । ସେଥିରୁ ସେ ଜାଣିବାକୁ ପାଇଥିଲେ ଯେ, ନାଲକୋର ତାପଜ ବିଦ୍ୟୁତ କେନ୍ଦ୍ର ବା CPPରେ ଥିବା ମୋଟ ୧୦ଟି ବିଦ୍ୟୁତ ୟୁନିଟ ମଧ୍ୟରୁ ୫ଟି ୟୁନିଟ ବନ୍ଦ ଥିବା ବେଳେ ଅବଶିଷ୍ଟ ୫ଟି ୟୁନିଟରୁ ଦୈନିକ ପ୍ରାୟ ୫ ହଜାର ୫୦୦ ମେଟ୍ରିକ୍‌ ଟନର ପାଉଁଶ ନିର୍ଗତ ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ: ନାଲକୋରେ କୋଇଲା ସଙ୍କଟ ପ୍ରସଙ୍ଗ, ବିଧାୟକଙ୍କୁ ଦାୟୀ କଲା ଶ୍ରମିକ ସଂଗଠନ


ବୋର୍ଡର କହିବା ମୁତାବକ, ପୂର୍ବରୁ ଦୈନିକ ଯାହା ବି ପାଉଁଶ ବାହରୁଥିଲା, ନାଲକୋ କର୍ତ୍ତୃପକ୍ଷ ତାକୁ ଲିନ୍‌ସ୍ଲରି ପ୍ରକଳ୍ପ ଜରିଆରେ ଭରତପୁର ଓପନ୍‌-କାଷ୍ଟ କୋଇଲା ଖଣିରେ ଭର୍ତ୍ତି କରି ଦେଉଥିଲେ। କିନ୍ତୁ ଗତ ୧୩ ତାରିଖରୁ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଲିନ୍‌ସ୍ଲରି ପ୍ରକଳ୍ପ ବନ୍ଦ ହୋଇ ପଡ଼ିଛି । ନାଲକୋ ତା’ର ପାଉଁଶକୁ ଆଉ କୋଇଲା ଖଣିକୁ ନିଷ୍କାସନ କରି ପାରୁନାହିଁ । ତେଣୁ ତା’ର ବିକଳ୍ପ ସମାଧାନ ସ୍ବରୂପ ନାଲକୋ କର୍ତ୍ତୃପକ୍ଷ ପୂର୍ବରୁ ପୂର୍ଣ୍ଣାଙ୍ଗ ହୋଇଥିବା ନିଜସ୍ବ ପାଉଁଶ ପୋଖରୀ-୧ ଓ ପାଉଁଶ ପୋଖରୀ-୨ ଉପରେ ପକାଇଥିଲା । ପାଉଁଶ ପୋଖରୀ-୧ରୁ କିଛି ଶୁଖିଲା ପାଉଁଶକୁ ପୋଖରୀ ନମ୍ବର-୨କୁ ସ୍ଥାନାନ୍ତର କରି ଏକ ନମ୍ବର ପାଉଁଶ ପୋଖରୀରେ ଜାଗା ବାହାର କରିଥିଲା । ସେଥିରେ ଏବେକାର ନିର୍ଗତ ପାଉଁଶ ସବୁ ଭର୍ତ୍ତି କରି ଚାଲିଛି । କିନ୍ତୁ ଏହା ବିପଦର କାରଣ ହୋଇପାରେ ବୋଲି ବୋର୍ଡ ଆଶଙ୍କା କରି ଏଭଳି ପଦକ୍ଷେପ ପାଇଁ ସୁପାରିଶ କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.