ETV Bharat / sports

World cup 2023: ରେକର୍ଡ ପରେ ରେକର୍ଡ କରୁଛନ୍ତି ହିଟମ୍ୟାନ, ଇଂଲଣ୍ଡ ବିପକ୍ଷ ମ୍ୟାଚରେ ରଚିବେ ଆଉ ୨ କୀର୍ତ୍ତିମାନ

author img

By ETV Bharat Odisha Team

Published : Oct 27, 2023, 8:59 PM IST

ଏକାନା ଷ୍ଟାଡିୟମରେ ଆସନ୍ତା ୨୯ରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ୨ଟି ନୂଆ ରେକର୍ଡ କରିବାକୁ ଯାଉଛନ୍ତି ହିଟମ୍ୟାନ ରୋହିତ ଶର୍ମା । ଅଧିକ ପଢନ୍ତୁ

ROHIT SHARMA
ROHIT SHARMA

ଲକ୍ଷ୍ନୌ: ନୂଆ ରେକର୍ଡ ଅପେକ୍ଷାରେ ହିଟମ୍ୟାନ ରୋହିତ ଶର୍ମା । ବିଶ୍ବକପ ୨୦୨୩ରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ରୋହିତ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଶତକ ହାସଲ କରି ଏକାଧିକ ରେକର୍ଡ କରିଥିଲେ । ତେବେ ଆସନ୍ତା ୨୯ ତାରିଖରେ ଲକ୍ଷ୍ନୌ ଏକାନା ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଷଷ୍ଠ ମ୍ୟାଚ୍‌ ଖେଳିବ ଭାରତ । ଏହି ମ୍ୟାଚରେ ୨ଟି ରେକର୍ଡ କରିବାକୁ ଯାଉଛନ୍ତି ରୋହିତ ।

ଅଧିନାୟକ ଭାବେ ଖେଳିବେ ୧୦୦ତମ ମ୍ୟାଚ୍‌:- ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍‌ ବେଶ ରୋମାଞ୍ଚକର ହେବ । ତେବେ ଏହି ମ୍ୟାଚ୍‌ ଖେଳିଲେ ରୋହିତ ଅଧିନାୟକ ଭାବେ ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବେ । ଏହାରି ସହିତ ରୋହିତ ଭାରତୀୟ ଅଧିନାୟକ ଭାବେ ୧୦୦ତମ ମ୍ୟାଚ୍‌ ଖେଳିଥିବା ଅଧିନାୟକଙ୍କ ମଧ୍ୟରେ ସପ୍ତମ ଅଧିନାୟକ ହେବେ । ରୋହିତ ଏଯାବତ ୯୯ଟି ମ୍ୟାଚ୍‌ରେ ଭାରତକୁ ପ୍ରତିନିଧିତ୍ବ କରିଛନ୍ତି । ଯେଉଁଥିରେ ୭୩ଟି ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରିଛି । ରୋହିତଙ୍କ ପ୍ରତିନିଧିତ୍ବରେ ଭାରତର ବିଜୟ ହାର ୭୩.୭୩ ରହିଛି । ଯାହାକି ପୂର୍ବ ଅଧିନାୟକଙ୍କ ମଧ୍ୟରେ ସର୍ବାଧିକ । ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ସବୁଠୁ ଅଧିକ ୩୩୨ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତର କମାଣ୍ଡ ସମ୍ଭାଳିଛନ୍ତି ।

ଏହା ବି ପଢନ୍ତୁ- Cricket World Cup 2023: ଲିଟିଲ ମାଷ୍ଟରଙ୍କ ଭବିଷ୍ୟବାଣୀ, କହିଲେ ଏହିଦିନ ୫୦ତମ ଶତକ ମାରିବେ ବିରାଟ

୧୮ହଜାର ରନ ପୂର୍ତ୍ତିଠୁ ମାତ୍ର ୪୩ ରନ୍‌ ଦୂରରେ ରୋହିତ:- ହିଟମ୍ୟାନ୍‌ ଭାବେ ସାରା ଦେଶରେ ପରିଚିତ ରୋହିତ ଶର୍ମା ଅନ୍ତର୍ଜାତୀୟ ସ୍ତରରେ ନିଜର ୧୮ ହଜାର ରନ୍‌ ପୂରଣ କରିବାକୁ ଯାଉଛନ୍ତି । ଏହି ଲକ୍ଷ୍ୟ ହାସଲ କରିବାଠୁ ରୋହିତ ମାତ୍ର ୪୩ ରନ୍‌ ଦୂରରେ ରହିଛନ୍ତି । ଆଶା କରାଯାଉଛି ଯେ ରୋହିତ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଏହି ଟାର୍ଗେଟ ପୂରଣ କରିବେ । ୨୦୦୭ରେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଡେବ୍ୟୁ କରିଥିବା ରୋହିତଙ୍କ ନାମରେ ଏବେ ୧୭,୯୫୩ ରନ୍‌ ରହିଛି । ନିଜ କ୍ୟାରିଅର ମଧ୍ୟରେ ରୋହିତ ଏଯାବତ ୪୫ଟି ଶତକ ଓ ୯୮ଟି ଅର୍ଦ୍ଧଶତକ ମାରିଛନ୍ତି । ହିଟମ୍ୟାନଙ୍କ ସର୍ବାଧିକ ସ୍କୋର ୨୬୪ ରହିଛି ।

ସୂଚନା ଥାଉ କି ଭାରତ ଚଳିତ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା । ଏଥିରେ ରୋହିତଙ୍କ ପ୍ରଦର୍ଶନ ନିରାଶଜନକ ଥିଲା । ରୋହିତ ଶୂନରେ ଆଉଟ୍‌ ହୋଇଥିଲେ । ଏହାପରେ ଦ୍ବିତୀୟ ମ୍ୟାଚ୍‌ ଆଫଗାନିସ୍ତାନ ବିପକ୍ଷରେ ଖେଳିଥିଲା ଭାରତ । ଏଥିରେ ରୋହିତଙ୍କ ବ୍ୟାଟ୍‌ରୁ ଦମଦାର ଶତକ ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍‌ ପରଠୁ ହିଟମ୍ୟାନ୍‌ ଭଲ ପ୍ରଦର୍ଶନ କରିଛନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ରୋହିତ ୬୩ଟି ବଲ୍‌ରେ ୮୬ ରନ୍‌ କରିଥିବା ବେଳେ ବାଂଲାଦେଶ ବିପକ୍ଷରେ ୪୦ ବଲ୍‌ରେ ୪୮ ରନ୍‌ କରିଥିଲେ । ଭାରତ ଟୁର୍ଣ୍ଣାମେଣ୍ଟର ୫ମ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲା । ଏଥିରେ ମଧ୍ୟ ରୋହିତ ଅର୍ଦ୍ଧଶତକ ହାସଲ କରିପାରିନଥିଲେ । ରୋହିତ ୪୦ ବଲ୍‌ ଖେଳି ୪୬ ରନ୍‌ରେ ଆଉଟ୍‌ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.