ETV Bharat / sports

T20 World Cup: ପାକିସ୍ତାନକୁ ୧୫୯ ରନ୍‌ରେ ରୋକିଲା ଭାରତ

author img

By

Published : Oct 23, 2022, 3:29 PM IST

Updated : Oct 23, 2022, 4:00 PM IST

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ କରିଛି । ଫଳରେ ଭାରତ ସମ୍ନାରେ ୧୬୦ ରନ୍‌ର ବିଜୟ ଲକ୍ଷ୍ୟ ।

T20 World Cup : ଭାରତକୁ ୧୬୦ ରନର ଟାର୍ଗେଟ, ମାସୁଦ ଓ ଇଫତିଖରଙ୍କ ଦମଦାର ଅର୍ଦ୍ଧଶତକ
T20 World Cup : ଭାରତକୁ ୧୬୦ ରନର ଟାର୍ଗେଟ, ମାସୁଦ ଓ ଇଫତିଖରଙ୍କ ଦମଦାର ଅର୍ଦ୍ଧଶତକ

ମେଲବର୍ଣ୍ଣ: ମେଲବର୍ଣ୍ଣରେ ଚାଲିଛି ମହାମୁକାବିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ଚଳିତ ଟି୨୦ ବିଶ୍ବକପ ସୁପର ୧୨ ପର୍ଯ୍ୟାୟରେ ଖେଳାଯାଉଛି ହାଇଭୋଲଟେଜ ମ୍ୟାଚ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଭାରତକୁ ୧୬୦ ରନର ଟାର୍ଗେଟ ଦେଇଛି । ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ କରିଛି ପାକିସ୍ତାନ ଟିମ । ଶାନ ମାସୁଦ ଓ ଇଫତିଖର ଅହମ୍ମଦ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଟି୨୦ ବିଶ୍ବକପରେ ଆରମ୍ଭ ହୋଇଯାଇଛି ଅସଲ ଲଢେଇ । ସୁପର ୧୨ ପର୍ଯ୍ୟାୟରେ ଚାଲିଛି ଭାରତ ପାକିସ୍ତାନ ମଧ୍ୟରେ କଡା ଟକ୍କର । ଚଳିତ ବିଶ୍ବକପର ପ୍ରଥମ ମ୍ୟାଚରେ ଯୁବ ବୋଲର ଅର୍ଶଦୀପ ସିଂହ ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଜବରଦସ୍ତ ବୋଲିଂ ଦେଖିବାକୁ ମିଳିଛି । ଉଭୟଙ୍କ ବୋଲିଂ ପ୍ରଭାବରେ ପାକିସ୍ତାନ ବ୍ୟାଟର କ୍ରିଜରେ ବେଶୀ ସମୟ ତିଷ୍ଠିବାରେ ବିଫଳ ରହିଥିଲେ । ଶାନ ମାସୁଦ ଏବଂ ଇଫତିଖର ଅହମ୍ମଦଙ୍କ ଲଢୁଆ ଇନିଂସ ବଳରେ ପାକିସ୍ତାନ ୧୫୯ ରନ କରିବାରେ ସକ୍ଷମ ହୋଇଛି ।

ଟସ୍‌ ହାରି ପାକିସ୍ତାନ ପ୍ରଥମେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲା । ହେଲେ ଷ୍ଟାର ବୋଲର ଅର୍ଶଦୀପ ସିଂହ ପାକିସ୍ତାନକୁ ପ୍ରଥମେ ଝଟକା ଦେଇଥିଲେ । ଅଧିନାୟକ ବାବର ଆଜମ ଖାତା ଖୋଲିବା ପୂର୍ବରୁ ଶୂନରେ ଆଉଟ ହୋଇ ପାଭଲିୟନ ଲେଉଟିଥିଲେ । ସେହିପରି ୩.୬ ଓଭରରେ ଭାରତକୁ ଆଉ ଏକ ସଫଳତା ଦେଇଥିଲେ ଅର୍ଶଦୀପ ସିଂହ । ମହମ୍ମଦ ରିଜୱାନଙ୍କ ଭଳି ଗୁରୁତ୍ବପୂର୍ଣ୍ଣ ୱିକେଟ ନେଇ ତାଙ୍କୁ ପାଭଲିୟନର ରାସ୍ତା ଦେଖାଇଥିଲେ । ପରେ ଶାନ ମାସୁଦ ଏବଂ ଇଫତିଖର ଅହମ୍ମଦଙ୍କ ଇନିଂସ ବଳରେ ପାକିସ୍ତାନର ଦଳୀୟ ସ୍କୋର ଆଗକୁ ବଢିଥିଲା । ଇଫତିଖର ଅହମ୍ମଦ ୪ଟି ଛକା ଏବଂ ଦୁଇଟି ଚୌକା ସହିତ ୫୧ ରନର ଇନିଂସ ଖେଳିଥିଲେ ।

ସେହିପରି ଶାନ ମାସୁଦ ୪୨ ବଲରୁ ୫୨ ରନର ଇନିଂସ ଖେଳି ଅପରାଜିତ ରହିଛନ୍ତି । ସେହିପରି ଶାହିନ ଆଫ୍ରିଦି ୧୬ ରନ କରିଥିଲେ । ଏହି ତିନି ଜଣଙ୍କ ବ୍ୟତୀତ ପାକିସ୍ତାର ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ରହିଛନ୍ତି । ସେପଟେ ଅର୍ଶଦୀପ ସିଂହ ଓ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୩ ଟି ୱିକେଟ ଅକ୍ତିଆର କରିଛନ୍ତି । ଭୁବନେଶ୍ବର କୁମାର ଏବଂ ମହମ୍ମଦ ସାମି ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

Last Updated : Oct 23, 2022, 4:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.