ETV Bharat / sports

ଆଉ ଟି୨୦କୁ ଫେରିବେନି ହିଟ୍‌ମ୍ୟାନ୍‌ ! BCCI ସୂତ୍ରରୁ ଅଶୁଭ ସଙ୍କେତ

author img

By ETV Bharat Odisha Team

Published : Nov 22, 2023, 10:35 PM IST

ଭାରତୀୟ ପ୍ରଶଂସକଙ୍କ ପାଇଁ ବିସିସିଆଇ ସୂତ୍ରରୁ ଆସିଛି ଏକ ଅଶୁଭ ସଙ୍କେତ । ଜାତାୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆଉ ଟି୨୦ କ୍ରିକେଟ୍‌କୁ ଫେରିବେନି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା । ଅଧିକ ପଢ଼ନ୍ତୁ

ଆଉ ଟି୨୦କୁ ଫେରିବେନି ହିଟ୍‌ମ୍ୟାନ୍‌ !
ଆଉ ଟି୨୦କୁ ଫେରିବେନି ହିଟ୍‌ମ୍ୟାନ୍‌ !

ନୂଆଦିଲ୍ଲୀ: ବିଶ୍ବକପ୍‌ ୨୦୨୩ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଏବେ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଦିନିକିଆ ବିଶ୍ବକପ୍‌ ପରାଜୟ ପରେ ୨୦୨୪ରେ ହେବାକୁ ଥିବା ଟି୨୦ ବିଶ୍ବକପ୍‌ ଉପରେ ବିସିସିଆଇ ନଜର ରଖିଛି । ତେଣୁ ରୋହିତଙ୍କ ଟି୨୦ କ୍ୟାରିୟରକୁ ନେଇ ଅନେକ ଚର୍ଚ୍ଚା ହେଉଛି । ୨୦୨୨ରେ ହୋଇଥିବା ଟି୨୦ ବିଶ୍ବକପ୍‌ ପରଠାରୁ ଟି୨୦ ଫର୍ମାଟରୁ ଲଗାତାର ଭାବେ ରୋହିତ ଓ କୋହଲିଙ୍କୁ ଦୂରେଇ ରଖିଛି ବିସିସିଆଇ । ଏହାରି ଭିତରେ ବିସିସିଆଇ ସୂତ୍ରରୁ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ଅଶୁଭ ସଙ୍କେତ ମିଳିଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିସିସିଆଇ ସୂତ୍ରରୁ ପ୍ରକାଶ ପାଇଛି, ଟି୨୦ ଫର୍ମାଟରେ ରୋହିତ ଆଉ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରି ନପାରନ୍ତି । ଟି୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଖୁବଶୀଘ୍ର ବିଦାୟ ନେଇପାରନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା । ତେବେ ଏହି ନିଷ୍ପତ୍ତି ବୋର୍ଡର ନୁହେଁ, ବରଂ ଅଧିନାୟକ ରୋହିତ ନିଜେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ରିପୋର୍ଟ ଅନୁସାରେ ଟି୨୦ରେ ନିଜ ଭବିଷ୍ୟତକୁ ନେଇ ବିସିସିଆଇ ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ଆଲୋଚନା କରିଥିଲେ ରୋହିତ । ୨୦୨୨ ନଭେମ୍ବର ମାସରେ ଭାରତ ଟି୨୦ ବିଶ୍ବକ୍‌ପ ସେମିଫାଇନାଲରେ ଇଂଲଣ୍ଡ ଠାରୁ ହାରିଥିଲା । ଏହାପରେ ଭାରତୀୟ ଦଳର ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଆଉ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିନାହାନ୍ତି । ଏହି ଗତ ବର୍ଷେ ମଧ୍ୟରେ ରୋହିତଙ୍କ ଅନୁପସ୍ଥିତିରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି୨୦ ଦଳର ନେତୃତ୍ବ ନେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଆଇସିସି ରାଙ୍କିଂ: ଟପ୍‌ରେ ଭାରତୀୟଙ୍କ ଦବଦବା, ଶୀର୍ଷ ସ୍ଥାନ ଦଖଲ ଲକ୍ଷ୍ୟରେ ରୋହିତ-କୋହଲି

ଗୋଟିଏ ପଟେ ବିଶ୍ବକପ୍‌ ଶେଷ ହେବାପରେ ଟି୨୦ରେ ହିଟ୍‌ମ୍ୟାନ୍‌ଙ୍କ କମବ୍ୟାକକୁ ନେଇ ଅପେକ୍ଷା କରି ରହିଛନ୍ତି ଭାରତୀୟ ଫ୍ୟାନ୍ସ । ସେପଟେ କିନ୍ତୁ ବିସିସିଆଇର ସୂତ୍ର ଅନୁସାରେ ୩ଟି ଫର୍ମାଟରୁ ନେତୃତ୍ବ ଚାପରୁ ମୁକ୍ତ ହେବାକୁ ଚାହୁଁଛନ୍ତି ରୋହିତ । ତେଣୁ ସେ ହୁଏତ ଟି୨୦ରୁ ଖୁବଶୀଘ୍ର ବିଦାୟ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି । ଏଭଳି ପରିସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥାୟୀ ଭାବେ ଟି୨୦ରେ ଭାରତର ନେତୃତ୍ବ ନେବେ । ୩୬ ବର୍ଷୀୟ ରୋହିତ ଶର୍ମା ଭାରତ ପାଇଁ ୧୪୮ ଟି୨୦ ମ୍ୟାଚ୍‌ ଖେଳିଥିବାବେଳେ ୩,୮୫୩ ରନ କରିଛନ୍ତି । ଏଥିରେ ତାଙ୍କର ୪ ଶତକ ମଧ୍ୟ ଶାମିଲ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.