ETV Bharat / sports

WTC Final 2023: ହାରିବା ପରେ ୩ ମ୍ୟାଚ୍‌ ବିଶିଷ୍ଟ ଫାଇନାଲ ହେଉ କହିଲେ ରୋହିତ

author img

By

Published : Jun 11, 2023, 9:27 PM IST

ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ୨୦୨୩ ଫାଇନାଲ୍‌ ମ୍ୟାଚ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ପୁଣି ଭାଙ୍ଗିଯାଇଛି ଭାରତର ଆଇସିସି ଟ୍ରଫି ସ୍ବପ୍ନ । ତେବେ ଏହି ମ୍ୟାଚ୍‌ ହାରିବା ପରେ WTC ଫାଇନାଲ୍‌ ମ୍ୟାଚ୍‌ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ ହେଉ ବୋଲି କହିଛନ୍ତି ଅଧିନାୟକ ରୋହିତ ଶର୍ମା । ଅଧିକ ପଢ଼ନ୍ତୁ

ହାରିବା ପରେ ଏମିତି କହିଲେ ରୋହିତ୍‌
ହାରିବା ପରେ ଏମିତି କହିଲେ ରୋହିତ୍‌

ଲଣ୍ଡନ: ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ୨୦୨୩ରେ ଭାରତକୁ ୨୦୯ ରନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଏହି ଟ୍ରଫି ଜିତିବା ସହିତ ଆଇସିସିର ସମସ୍ତ ଟ୍ରଫି ହାସଲ କରିବାରେ ବିଶ୍ବରେ ପ୍ରଥମ ଦଳ ବନିଛି ଅଷ୍ଟ୍ରେଲିଆ । ତେବେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ୨୦୨୩ରେ ଭାରତର ଦ୍ବିତୀୟ ପାଳି କେବଳ ୨୩୪ ରନରେ ହିଁ ଶେଷ ହୋଇଯାଇଥିଲା । ଯାହାକୁ ନେଇ ନିରାଶ ଭାବ ଦର୍ଶାଇଛନ୍ତି ଅଧିନାୟକ ରୋହିତ ଶର୍ମା । ଏହି ପରାଜୟ ପାଇଁ ବ୍ୟାଟିଂକ୍ରମକୁ ଦାୟୀ କରିଛନ୍ତି ରୋହିତ ।

ଏହି ହାଇ ପ୍ରୋଫାଇଲ୍‌ ଫାଇନାଲ୍‌ ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ହିଁ ୪୬୯ ରନ କରିନେଇଥିଲା କଙ୍ଗାରୁ ଦଳ । ହେଲେ ଭାରତ ପ୍ରଥମ ପାଳିରେ କେବଳ ୨୯୬ ରନ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା । ଏହାପରେ ଦ୍ବିତୀୟ ପାଳିରେ ୮ ୱିକେଟ ବିନିମୟରେ ୨୭୦ ରନ ସଂଗ୍ରହ କରି ଭାରତ ଆଗରେ ୪୪୪ ରନର ବିଜୟଲକ୍ଷ୍ୟ ରଖିଥିଲା ଅଷ୍ଟ୍ରେଲିଆ । ହେଲେ ଭାରତର ଦ୍ବିତୀୟ ପାଳି ୨୩୪ ରନରେ ହିଁ ଅଟକି ଯାଇଥିଲା । ଫଳରେ ପ୍ରଥମ ଥର ପାଇଁ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ ହୋଇଛି ଅଷ୍ଟ୍ରେଲିଆ । ୫ ଦିନ ପର୍ଯ୍ୟନ୍ତ ଜାରି ରହିଥିବା ଏହି ଟେଷ୍ଟ୍‌ ମ୍ୟାଚ୍‌କୁ ଜିତିବା ସହିତ ଅଷ୍ଟ୍ରେଲିଆ ବିଶ୍ବର ପ୍ରଥମ ଟିମ୍‌ ବନିଛି, ଯାହା ପାଖରେ ଆଇସିସିର ସମସ୍ତ ଫର୍ମାଟ୍‌ର ବିଶ୍ବକପ୍‌ ରହିଛି ।

ପ୍ରଥମ ଦିନରୁ ହିଁ ଅଷ୍ଟ୍ରେଲିଆର ବ୍ୟାଟର ଦମଦାର ବ୍ୟାଟିଂ କରି ନିଜ ଦଳକୁ ଏହି ଫାଇନାଲ୍‌ ମ୍ୟାଚ୍‌ରେ ଆଗରେ ରଖିଥିଲେ । ଏହାପରେ କଙ୍ଗାରୁ ବୋଲରମାନେ ମଧ୍ୟ ବେଶ ଚମତ୍କାର ପ୍ରଦର୍ଶନ କରିଥିଲେ । ସେମାନଙ୍କୁ ଭାରତୀୟ ବ୍ୟାଟର ସହଜରେ ସାମ୍ନା କରିପାରିନଥିଲେ । ତେବେ ଦ୍ବିତୀୟ ଓ ତୃତୀୟ ଦିନରେ ଯଦିଓ ଭାରତ ବିପକ୍ଷ ଦଳକୁ କାଉଣ୍ଟର କରିବା ପାଇଁ ଚେଷ୍ଟା କରିଥିଲା, ହେଲେ ସେଥିରେ ଆଶାନୁରୂପ ସଫଳତା ମିଳିନଥିଲା । ଭାରତକୁ ଦ୍ବିତୀୟ ପାଳିରେ ଭଲ ଆରମ୍ଭ ମିଳିଥିଲା । ଶୀର୍ଷ ୪ ବ୍ୟାଟର ନିଜ ନିଜର ପାଳିକୁ ଆକ୍ରାମକ ଭାବେ ଆରମ୍ଭ କରିଥିଲେ । ହେଲେ ଅଧିନାୟକ ରୋହିତ ଶର୍ମାଙ୍କଠାରୁ ଆରମ୍ଭ କରି ବିରାଟ କୋହଲି, ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରାହାଣେ ସମସ୍ତେ ଖରାପ୍‌ ସଟ୍‌ ଖେଳି ଆଉଟ ହୋଇଗଲେ । ଯାହାର ପରିଣାମ ଦଳକୁ ଭୋଗିବାକୁ ପଡ଼ିଲା ।

ମ୍ୟାଚ୍‌ ହାରିବା ପରେ ରୋହିତ ଶର୍ମା କହିଛନ୍ତି, "ଫାଇନାଲ ପାଇଁ ଆମେ ସମସ୍ତେ ଦଳଗତ ଭାବେ କଠିନ ପରିଶ୍ରମ କରିଥିଲୁ ଏବଂ ଲଢିଥିଲୁ ମଧ୍ୟ । କିନ୍ତୁ କେବଳ ଗୋଟିଏ ମ୍ୟାଚ୍‌ ଖେଳିଲୁ । ଆଗାମୀ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ ହେବା ଉଚିତ୍‌ ।" ତେବେ ଫାଇନାଲ ହାରିବାକୁ ନେଇ ଦଳର ବ୍ୟାଟିଂ ପ୍ରଦର୍ଶନକୁ ଦାୟୀ କରିଛନ୍ତି ରୋହିତ । ଏହା ସହିତ ପ୍ରଥମ ପାଳିରେ ବୋଲରଙ୍କ ଦୟନୀୟ ପ୍ରଦର୍ଶନକୁ ମଧ୍ୟ ଦାୟୀ କରିଛନ୍ତି ଅଧିନାୟକ । ସେ କହିଛନ୍ତି, "ଗତ ୨ ବର୍ଷ ଧରି ଦଳର ପ୍ରାୟ ସମସ୍ତ ଖେଳାଳୀ ଯଦିଓ ଚମତ୍କାର ପ୍ରଦର୍ଶନ କରିଥିଲେ, ହେଲେ ପ୍ରଥମ ଇନିଂସରେ ଦୟନୀୟ ବୋଲିଂ କରିଥିଲୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.