ETV Bharat / sports

ଉତ୍ସାହ ଯୋଗୁଁ ନିଜ କୌଶଳ ଉପରେ କାବୁ ପାଇ ପାରୁନାହାନ୍ତି କୋହଲି: ସଚିନ

author img

By

Published : Aug 17, 2021, 10:09 PM IST

ଐତିହାସିକ ଲର୍ଡ୍ସ ପଡ଼ିଆରେ ବିଜୟ ହାସଲ କରି ସିରିଜରେ ଆଗୁଆ ରହିଛି ଭାରତ । ହେଲେ ଲର୍ଡସ ଟେଷ୍ଟ ମ୍ୟାଚରେ ମଧ୍ୟ ଅଧିନାୟକ ବିରାଟ କୋହଲିଙ୍କ ଫ୍ଲପ ଶୋ' ଜାରି ରହିଛି । ଏହାକୁ ନେଇ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ବିରାଟ କୋହଲିଙ୍କ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ...

ଉତ୍ସାହ ଯୋଗୁଁ ନିଜ କୌଶଳ ଉପରେ କାବୁ ପାଇ ପାରୁନାହାନ୍ତି କୋହଲି: ସଚିନ
ଉତ୍ସାହ ଯୋଗୁଁ ନିଜ କୌଶଳ ଉପରେ କାବୁ ପାଇ ପାରୁନାହାନ୍ତି କୋହଲି: ସଚିନ

ନୂଆଦିଲ୍ଲୀ: ଭାରତ ଓ ଇଲଂଣ୍ଡ ମଧ୍ୟରେ ଜାରି ରହିଛି ୫ଟିକିଆ ଟେଷ୍ଟ ସିରିଜ । ଏହି ସିରିଜରେ ଐତିହାସିକ ଲର୍ଡ୍ସ ପଡ଼ିଆରେ ବିଜୟ ହାସଲ କରି ସିରିଜରେ ଆଗୁଆ ରହିଛି ଭାରତ । ହେଲେ ଲର୍ଡସ ଟେଷ୍ଟ ମ୍ୟାଚରେ ମଧ୍ୟ ଅଧିନାୟକ ବିରାଟ କୋହଲିଙ୍କ ଫ୍ଲପ ଶୋ' ଜାରି ରହିଛି । ଏହାକୁ ନେଇ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ବିରାଟ କୋହଲିଙ୍କ ସମସ୍ୟା ଉପରେ ଆଲୋଚନା କରିଛନ୍ତି ।

ଗତ ଦେଢ଼ ବର୍ଷ ଅଧିକ ସମୟ ହେଲା ରନ ମେସିନ ବୋଲାଉଥିବା କୋହଲିଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିନାହିଁ । ସେ ଟେଷ୍ଟ ହେଉ କି ଦିନିକିଆ ମ୍ୟାଚ, କୋହଲିଙ୍କୁ ଭଲ ଆରମ୍ଭ ମିଳିବା ସତ୍ତ୍ବେ ଏହାକୁ ସେ ବଡ଼ ସ୍କୋରରେ ପରିଣତ କରିବାରେ ବାରମ୍ବାର ଫେଲ ମାରୁଛନ୍ତି । ଯେଉଁଥିପାଇଁ ବର୍ତ୍ତମାନ କ୍ରିକେଟ ପ୍ରେମୀଙ୍କ ତାଙ୍କ ଉପରୁ ଭରସା ଉଠିବାରେ ଲାଗିଛି । ଚଳିତ ଇଂଲଣ୍ଡ ବିପକ୍ଷରେ ମଧ୍ୟ ସେ ତିନୋଟି ଇନିଂସରେ ୦, ୪୨ ଓ ୨୦ ରନ କରି ପାରିଛନ୍ତି ।

୨୦୧୪ ମସିହାରେ ମଧ୍ୟ ଇଂଲଣ୍ଡ ବିପକ୍ଷରେ କୋହଲିଙ୍କ ପ୍ରଦର୍ଶନ ନିରାଶାଜନକ ରହିଥିଲା । ସେହି ସମୟରେ ସେ ୪ଟି ଟେଷ୍ଟ ମ୍ୟାଚ ଖେଳି ୧୩.୪୦ ହାରରେ ମାତ୍ର ୧୩୪ ରନ କରି ପାରିଥିଲେ । ତେବେ ଏହାର ଚାରି ବର୍ଷ ପରେ ଅର୍ଥାତ ୨୦୧୮ ମସିହା ଇଂଲଣ୍ଡ ଗସ୍ତରେ ବିରାଟ କୋହଲି ୫୯.୩୦ ହାରରେ ୫୯୩ ରନ କରିଥିଲେ । ଏଥିରେ ଦୁଇଟି ଶତକ ତିନୋଟି ଅର୍ଦ୍ଧ ଶତକ ସାମିଲ ରହିଛି । ସେହି ସିରିଜରେ ସର୍ବାଧିକ ରନ କରିପାରିଥିଲେ ବିରାଟ କୋହଲି ।

ଏହାକୁ ନେଇ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କହିଛନ୍ତି ଯେ, "ଏହି ସିରିଜରେ ବିରାଟ କୋହଲି ଆଶାନୁରୂପକ ପ୍ରଦର୍ଶନ କରି ପାରିନାହାନ୍ତି । ବିଗତ କିଛି ଦିନରେ ତାଙ୍କ କୌଶଳରେ କିଛିଟା ପରିବର୍ତ୍ତନ ଦେଖାଦେଇଛି । କୋହଲିଙ୍କ ଅତ୍ୟଧିକ ଉତ୍ସାହିତ ହୋଇ ନିଜ ୱିକେଟ ହରାଉଛନ୍ତି । ଅତ୍ୟଧିକ ଉତ୍ସାହ ଯୋଗୁଁ ନିଜ କୌଶଳ ଉପରେ କାବୁ ପାଇ ପାରୁନାହାନ୍ତି କୋହଲି ।"

ସଚିନଙ୍କ ମତରେ ଯେତେବେଳେ କୌଣସି ବ୍ୟାଟସମ୍ୟାନ ଫର୍ମରେ ନଥାନ୍ତି ସେତେବେଳେ ତାଙ୍କ ଫୁଟୱାର୍କ କମିଯାଏ । ଏହି ସମୟରେ ଅତ୍ୟଧିକ ଫୁଟୱାର୍କ ଦେଖାଯାଏ କିମ୍ବା ଖୁବ କମ୍ ଫୁଟ ୱାର୍କ ଦେଖାଯାଏ । କୋହଲିଙ୍କ ସହ ମଧ୍ୟ ଏହି ସମସ୍ୟା ଦେଖା ଦେଇଛି । ବ୍ୟାଟସମ୍ୟାନଙ୍କ ମନ ଓ ଦେହର ସନ୍ତୁଳନ ଅଭାବର ଏଭଳି ହୁଏ ବୋଲି କହଛନ୍ତି ସଚିନ ତେନ୍ଦୁଲକର ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ୫ ଟିକିଆ ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଲର୍ଡ୍ସ ଟେଷ୍ଟକୁ ଭାରତ ୧୫୧ ରନରେ ଜିତି ନେଇଛି । ଲର୍ଡ୍ସ ଗ୍ରାଉଣ୍ଡରେ ଶତକ ହାସଲ କରିବାରୁ ଅନର ବୋର୍ଡରେ କେ.ଏଲ ରାହୁଲ ନାମ ଲାଗିଛି । ତୃତୀୟ ଟେଷ୍ଟ ଅଗଷ୍ଟ ୨୫ ତାରିଖରୁ ଖେଳାଯିବ । ଏଥିରେ କୋହଲିଙ୍କ ପ୍ରଦର୍ଶନ ଉପରେ ରହିବ ସଭିଁଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.