ETV Bharat / sports

IPL 2023: ଚେତାବନୀ ପରେ ଚମକିଲେ ଚେନ୍ନାଇ ବୋଲର, ପ୍ରଶଂସାରେ ଶତମୁଖ ଅଧିନାୟକ ଧୋନି

author img

By

Published : Apr 9, 2023, 4:56 PM IST

ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚଳିତ ସଂସ୍କରଣର ଦ୍ବିତୀୟ ବିଜୟ ହାସଲ କରିଛି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ । ତେବେ ପୂର୍ବ ମ୍ୟାଚ୍‌ ଗୁଡ଼ିକରେ ଦଳର ବୋଲରଙ୍କ ପ୍ରଦର୍ଶନରେ ଅସନ୍ତୁଷ୍ଟ ଥିବା ଅଧିନାୟକ ଧୋନି ଏହି ମ୍ୟାଚ୍‌ ପରେ ବୋଲରଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି । ଅଧିକ ପଢ଼ନ୍ତୁ

ବୋଲରଙ୍କ ପ୍ରଦର୍ଶନକୁ ପ୍ରଶଂସା କଲେ ଧୋନି
ବୋଲରଙ୍କ ପ୍ରଦର୍ଶନକୁ ପ୍ରଶଂସା କଲେ ଧୋନି

ହାଇଦ୍ରାବାଦ: ଆଇପିଏଲ ୨୦୨୩ର ଦ୍ବାଦଶ ମ୍ୟାଚ୍‌ ଜିତି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ ଚଳିତ ସଂସ୍କରଣର ଦ୍ବିତୀୟ ବିଜୟ ହାସଲ କରିଛି । ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସକୁ ୭ ୱିକେଟରେ ହରାଇ ଏହି ଦ୍ବିତୀୟ ବିଜୟ ହାସଲ କରିଛି ଦଳ । ତେବେ ଏନେଇ ଦଳର ବୋଲରଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଏହା ପୂର୍ବରୁ ବୋଲରଙ୍କ କ୍ରମାଗତ ଭାବେ ଖରାପ ପ୍ରଦର୍ଶନକୁ ନେଇ ଧୋନି ଚିନ୍ତା ପ୍ରକଟ କରିଥିଲେ । ଏହା ସହିତ ନିଜ ଭୁଲ ଶୀଘ୍ର ନସୁଧାରିଲେ, ଅନ୍ୟ ଅଧିନାୟକ ଅଧିନରେ ଖେଳିବାକୁ ପ୍ରସ୍ତୁତ ରୁହ ବୋଲି ଚେତାବନୀ ଦେଇଥିଲେ କ୍ୟାପ୍ଟେନ କୁଲ ।

ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚଳିତ ସଂସ୍କରଣର ତୃତୀୟ ମ୍ୟାଚ୍‌ ଖେଳିଥିଲା ଚେନ୍ନାଇ ସୁପରକିଙ୍ଗସ । ଏଥିରୁ ଦଳ ଦ୍ବିତୀୟ ବିଜୟ ହାସଲ କରିଛି । ତେବେ ଏହା ପୂର୍ବରୁ ଖଳାଯାଇଥିବା ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ଦୁଇଟି ମ୍ୟାଚ୍‌ରେ ସିଏସ୍‌କେ ବୋଲରଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ଯଦିଓ ଲକ୍ଷ୍ନୌ ବିପକ୍ଷରେ ଦଳ ବିଜୟ ହାସଲ କରିଥିଲା, କିନ୍ତୁ ୨୧୮ ରନର ବିଜୟ ଲକ୍ଷ୍ୟ ପାଇଥିବା ଲକ୍ଷ୍ନୌ ଏହି ମ୍ୟାଚ୍‌ରେ ୨୦୫ ରନ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଦଳର ବୋଲର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଅତ୍ୟଧିକ ଅତିରିକ୍ତ ରନ ଦେଇଥିଲେ । ଯାହାକୁ ନେଇ ଅଧିନାୟକ ବୋଲରଙ୍କ ଉପରେ ଖପ୍ପା ହୋଇଥିଲେ । ଏପରିକି ଭୁଲକୁ ନସୁଧାରିଲେ ଅନ୍ୟ ଅଧିନାୟକ ଅଧିନରେ ଖେଳିବାକୁ ଚେତାବନୀ ମଧ୍ୟ ଦେଇଥିଲେ ।

ତେବେ ତୃତୀୟ ମୁକାବିଲାରେ ଦଳର ବୋଲରଙ୍କ ପ୍ରଦର୍ଶନରେ ପୂର୍ବ ଅପେକ୍ଷା ଅନେକ ସୁଧାର ପରିଲକ୍ଷିତ ହୋଇଥିଲା । ଯାହାକୁ ନେଇ ଅଧିନାୟକ ବହୁତ ଖୁସି ମଧ୍ୟ ବ୍ୟକ୍ତ କରିଛନ୍ତି । ମ୍ୟାଚ୍‌ର ପ୍ରଥମ ଓଭରରୁ ଦୀପକ ଚହର ଆଘାତ ପାଇବା ପରେ ଅନ୍ୟ ବୋଲର ମାନେ ପରିସ୍ଥିତିକୁ ବହୁତ ଭଲ ଭାବେ ବୁଝି ବୋଲିଂ କରିଥିଲେ । ଦଳର ଅନ୍ୟତମ ଦ୍ରୁତ ବୋଲର ତୁଷାର ଦେଶପାଣ୍ଡେ ୩ ଓଭରରୁ ୩୧ ରନ ଖର୍ଚ୍ଚ କରି ୨ଟି ବହୁମୂଲ୍ୟ ୱିକେଟ ହାସଲ କରିଥିଲେ । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୪ ଓଭରରୁ ୨୦ ରନ ବ୍ୟୟରେ ୩ ୱିକେଟ ନେଇଥିଲେ । ସେହିଭଳି ମିଚେଲ ସାଣ୍ଟନର ୪ ଓଭର ବୋଲିଂ କରି ୨୮ ରନ ବ୍ୟୟରେ ୨ଟି ୱିକେଟ ପାଇଥିଲେ । ଫଳରେ ମୁମ୍ବାଇର ହୋମ୍‌ ଗ୍ରାଉଣ୍ଡରେ ଦଳକୁ କେବଳ ୧୫୭ ରନରେ ଅଟକାଇ ଦେଇଥିଲା ସିଏସ୍‌କେ । ଏହି ଟାର୍ଗେଟ୍‌କୁ ୭ ୱିକେଟରେ ହାସଲ କରିନେଇଥିଲା ଚେନ୍ନାଇ ।

ତେବେ ତୃତୀୟ ମ୍ୟାଚ୍‌ରେ ଦଳର ବୋଲରଙ୍କ ପ୍ରଦର୍ଶନରେ ଖୁସି ହୋଇ ଅଧିନାୟକ ଧୋନି କହିଛନ୍ତି, "ପ୍ରଥମ ଓଭରରୁ ଦୀପକ ଚହର ଆହତ ହେବା ପରେ ଅନ୍ୟ ବୋଲରମାନେ ବହୁତ ଭଲ ଭାବେ ମୋର୍ଚ୍ଚା ସମ୍ଭାଳିଥିଲେ ।" ତେବେ ଦକ୍ଷିଣ ଆଫ୍ରିକୀୟ ଖେଳାଳି ଡ୍ବେନ ପ୍ରିଟୋରିୟସ, ତୁଷାର ଦେଶପାଣ୍ଡେ, ରବୀନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଥିଲେ ଧୋନି । ଏହି ମ୍ୟାଚ୍‌ରେ ଆଜିଙ୍କ୍ୟା ରାହାଣେ ଚଳିତ ଆଇପିଏଲ ସଂସ୍କରଣରେ ସବୁଠାରୁ ଦୃତ ୧୯ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ମ୍ୟାଚ୍‌ରେ ସେ ସମୁଦାୟ ୨୭ ବଲ ଖେଳି ୭ ଚୌକା ଓ ୩ ଛକା ବଳରେ ୬୧ ରନ ସଂଗ୍ରହ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.