ETV Bharat / sports

IPL 2023 SRH vs RCB: ହାଇଦ୍ରାବାଦରେ ବିରାଟ ଶୋ, 8 ୱିକେଟରେ ଜିତିଲା ବାଙ୍ଗାଲୋର

author img

By

Published : May 19, 2023, 12:12 AM IST

ହାଇଦ୍ରାବାଦରେ ଆଜି ପ୍ରଥମ ଥର ପାଇଁ ଆଇପିଏଲ ଇତିହାସରେ ଗୋଟିଏ ମ୍ୟାଚରେ ଦୁଇଟି ଶତକ ଦେଖିବାକୁ ମିଳିଥିଲା । ତେବେ ପ୍ରଥମେ ବ୍ୟାଟିଂ କରି ହେନରିଚ କ୍ଲାସିନଙ୍କ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ 186 ରନ କରିଥିଲା । ହେଲେ ଦ୍ବିତୀୟ ପାଳିରେ ବିରାଟ କୋହଲିଙ୍କ ଶତକ ବଳରେ ଏହି ମ୍ୟାଚକୁ 8 ୱିକେଟରେ ଜିତିନେଇଛି ବାଙ୍ଗାଲୋର ।

IPL 2023 SRH vs RCB
IPL 2023 SRH vs RCB

ହାଇଦ୍ରାବାଦ: କ୍ଲାସିନଙ୍କ ଶତକ ଉପରେ ଭାରି ପଡ଼ିଲା କୋହଲିଙ୍କ ଶତକ । ହାଇଦ୍ରାବାଦରେ ଆଜି ପ୍ରଥମ ଥର ପାଇଁ ଆଇପିଏଲ ଇତିହାସରେ ଗୋଟିଏ ମ୍ୟାଚରେ ଦୁଇଟି ଶତକ ଦେଖିବାକୁ ମିଳିଥିଲା । ତେବେ ପ୍ରଥମେ ବ୍ୟାଟିଂ କରି ହେନରିଚ କ୍ଲାସିନଙ୍କ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ 186 ରନର ବଡ଼ ସ୍କୋର କରିଥିଲା । ହେଲେ ଦ୍ବିତୀୟ ପାଳିରେ ବିରାଟ କୋହଲିଙ୍କ ଶତକ ଓ ଫାଫ ଡୁପ୍ଲେସିସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଏହି ମ୍ୟାଚକୁ 8 ୱିକେଟରେ ଜିତି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ହାଇଦ୍ରାବାଦକୁ ଭଲ ଆରମ୍ଭ ମିଳିପାରିନଥିଲା । ଆରମ୍ଭରୁ ଦଳର ପ୍ରାରମ୍ଭିକ ବ୍ୟାଟର ଅଭିଷେକ ଶର୍ମା ଓ ରାହୁଲ ତ୍ରିପାଠୀ ରନ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ଉଭୟ ଯଥାକ୍ରମେ 11 ଓ 15 ରନ କରି ଆଉଟ ହେବାପରେ ଅଧିନାୟକ ମାର୍କ୍ରମଙ୍କ ସାଥ ଦେଇଥିଲେ ହେନରିଚ କ୍ଲାସିନ । ମାର୍କ୍ରମ 18 ରନ କରି ଆଉଟ ହୋଇଯାଇଥିଲେ ମଧ୍ୟ କ୍ଲାସିନ ନିଜର କ୍ଲାସ ଜାରି ରଖିଥିଲେ । ଆରସିବି ବୋଲରଙ୍କୁ ଜୋରଦାର ଆକ୍ରମଣ ଜାରି ରଖିଥିଲେ । ଅନ୍ୟପଟେ ହ୍ୟାରୀ ବ୍ରୁକ 19 ବଲରୁ ଅପରାଜିତ 27 ରନ କରିଥିବା ବେଳେ କ୍ଲାସିନ କେବଳ 51 ବଲରୁ 8 ଚୌକା ଓ 6 ଛକା ବଳରେ ଦୃତ 104 ରନ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ଓଭରରେ 5 ୱିକେଟ ହରାଇ 186 ରନର ବଡ଼ ସ୍କୋର କରିଥିଲା ।

ଆରସିବି ପକ୍ଷରୁ ମହମ୍ମଦ ସିରାଜ ଓ ମିଚେଲ ବ୍ରେସୱେଲଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସିରାଜ 4 ଓଭରରେ କେବଳ 17 ରନ ବ୍ୟୟରେ ଗୋଟିଏ ୱିକେଟ ହାତେଇଥିବା ବେଳେ 2 ଓଭରରୁ 13 ରନ ଖର୍ଚ୍ଚ କରି 2ଟି ୱିକେଟ ନେଇଥିଲେ ବ୍ରେସୱେଲ । ଅନ୍ୟମାନଙ୍କ ମଧ୍ୟରେ ଶାହବାଜ ଅହମ୍ମଦ ଓ ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

ଏହାପରେ 187 ରନର ବଡ଼ ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇଥିବା ଆରସିବିର ଅଧିନାୟକ ଫାଫ ଡୁପ୍ଲେସିସ ଓ ବିରାଟ କୋହଲି ଆରମ୍ଭରୁ ହିଁ ହାଇଦ୍ରାବାଦ ବ୍ୟାଟରଙ୍କୁ ଆକ୍ରମଣ କରିଥିଲେ । ଧୂଆଁଧାର ପ୍ରଦର୍ଶନ କରି ବିରାଟ କୋହଲି 63 ବଲରୁ ନିଜ ଆଇପିଏଲ କ୍ୟାରିୟରର ଷଷ୍ଠ ଶତକ ହାସଲ କରି ପାଭିଲିୟନ ଫେରିଥିଲେ । ଏଥିରେ 4 ଛକା ଓ 12 ଚୌକା ସାମିଲ ଥିଲା । ଅନ୍ୟପଟେ 47 ବଲରୁ 7 ଚୌକା ଓ 2 ଛକା ବଳରେ 71 ରନ କରି ମ୍ୟାଚକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ ଅଧିନାୟକ ଡୁପ୍ଲେସିସ । ଏହାପରେ ମାକ୍ସୱେଲ (5) ଓ ବ୍ରେସୱେଲ (4) ଦଳକୁ ବିଜୟୀ କରାଇଥିଲେ ।

ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ 4 ଓଭରରେ 34 ରନ ଖର୍ଚ୍ଚ କରି ଗୋଟିଏ ୱିକେଟ ନେଇଥିଲେ । ଭୁବନେଶ୍ବର କୁମାର ଯଦିଓ ଗୋଟିଏ ୱିକେଟ ହାତେଇଥିଲେ, ତେବେ ସେ 4 ଓଭରରୁ 48 ରନ ଖର୍ଚ୍ଚ କରି ଦଳ ପାଇଁ ମହଙ୍ଗା ମଧ୍ୟ ସାବ୍ୟସ୍ତ ହୋଇଥିଲେ । ଅନ୍ୟ କୌଣସି ବୋଲର ଆଜି ଦଳ ପାଇଁ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.