ETV Bharat / sports

IPL 2023: ଡୁପ୍ଲେସିସଙ୍କ ମୁଣ୍ଡରେ ଅରେଞ୍ଜ କ୍ୟାପ, ପର୍ପଲ କ୍ୟାପ ପିନ୍ଧିଛନ୍ତି ଚହଲ, ଜାଣନ୍ତୁ ପଏଣ୍ଟ ଟେବୁଲ ରେସ୍

author img

By

Published : Apr 18, 2023, 6:32 PM IST

ଆଇପିଏଲ ୨୦୨୩ରେ ଜାରି ରହିଛି ଅରେଞ୍ଜ କ୍ୟାପ ଓ ପର୍ପଲ କ୍ୟାପ ରେସ । ଅନ୍ୟପଟେ ପ୍ରତି ମ୍ୟାଚ ପରେ ବଦଳୁଛି ପଏଣ୍ଟ ଟେବୁଲ ସ୍ଥିତି । ଏବେ ଡୁପ୍ଲେସିସଙ୍କ ମୁଣ୍ଡରେ ଅରେଞ୍ଜ କ୍ୟାପ ରହିଥିବା ବେଳେ ପର୍ପଲ କ୍ୟାପ ପିନ୍ଧିଛନ୍ତି ଚହଲ । ପଏଣ୍ଟ ଟେବୁଲରେ ରାଜସ୍ଥାନ ରୟାଲ୍ସ ୮ ପଏଣ୍ଟ ସହ ରହିଛି ଶୀର୍ଷରେ । ଅଧିକ ପଢ଼ନ୍ତୁ

IPL 2023: ଅରେଞ୍ଜ କ୍ୟାପ ଓ ପର୍ପଲ କ୍ୟାପ ରେସ
IPL 2023: ଅରେଞ୍ଜ କ୍ୟାପ ଓ ପର୍ପଲ କ୍ୟାପ ରେସ

ହାଇଦ୍ରାବାଦ: ଆଇପିଏଲ ୨୦୨୩ରେ ପ୍ରତିଦିନ ରୋମାଞ୍ଚକର ମୁକାବିଲା ସହ ଜାରି ରହିଛି ଅରେଞ୍ଜ କ୍ୟାପ ଓ ପର୍ପଲ କ୍ୟାପ ରେସ । ଏହା ସହିତ ପଏଣ୍ଟ ଟେବୁଲରେ ମଧ୍ୟ ବଦଳୁଛି ବିଭିନ୍ନ ଦଳର ସ୍ଥାନ । ଏହାରି ମଧ୍ୟରେ ଚଳିତ ଆଇପିଏଲରେ ସୋମବାର ଚେନ୍ନାଇ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ୨୪ ତମ ମୁକାବିଲା ପରେ ସର୍ବାଧିକ ରନ ସହ ଅରେଞ୍ଜ କ୍ୟାପ ହାସଲ କରିଛନ୍ତି ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ । ଅନ୍ୟପଟେ ପର୍ପଲ କ୍ୟାପ ରେସ ଦେଖିବାକୁ ଗଲେ ଏବେ ମଧ୍ୟ ୟୁଜବେନ୍ଦ୍ର ଚହଲ ଏହାକୁ ନିଜ ପାଖରେ ରଖିଛନ୍ତି । ଉଭୟ ବ୍ୟାଟର ଓ ବୋଲରଙ୍କ ରେସ ଭଳି ବିଭିନ୍ନ ଦଳର ସ୍ଥିତି ମଧ୍ୟ ପ୍ରତି ମ୍ୟାଚ୍‌ ପରେ ବଦଳିବାରେ ଲାଗିଛି ।

IPL 2023: ଡୁପ୍ଲେସିସଙ୍କ ମୁଣ୍ଡରେ ଅରେଞ୍ଜ କ୍ୟାପ
IPL 2023: ଡୁପ୍ଲେସିସଙ୍କ ମୁଣ୍ଡରେ ଅରେଞ୍ଜ କ୍ୟାପ

ଡୁପ୍ଲେସିସଙ୍କ ମୁଣ୍ଡରେ ଅରେଞ୍ଜ କ୍ୟାପ: ଆଇପିଏଲ ୨୦୨୩ର ସୋମବାର ଖେଳାଯାଇଥିବା ୨୪ ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପରକିଙ୍ଗସ । ଯଦିଓ ଆରସିବି କେବଳ ୮ ରନ ପଛରେ ରହି ଏହି ମ୍ୟାଚକୁ ହାରି ଯାଇଥିଲା, କିନ୍ତୁ ଏଥିରେ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ ୩୩ ବଲ ଖେଳି ୪ ଛକା ଓ ୫ ଚୌକା ବଳରେ ଦୃତ ୬୨ ରନ ସଂଗ୍ରହ କରିଥିଲେ । ଏହି ଧୂଆଁଧାର ପାଳି ବଳରେ ସେ ଅରେଞ୍ଜ କ୍ୟାପ ମଧ୍ୟ ହାସଲ କରିଛନ୍ତି । ଅଧିନାୟକ ଡୁପ୍ଲେସିସ ଚଳିତ ସଂସ୍କରଣରେ ଏହି ପାଳିକୁ ମିଶାଇ ମୋଟ ୫ଟି ମ୍ୟାଚ ଖେଳିଥିବା ବେଳେ ଏବେ ପର୍ଯ୍ୟନ୍ତ ୬୪.୭୫ ହାରରେ ସମୁଦାୟ ୨୫୯ ରନ ସଂଗ୍ରହ କରିସାରିଲେଣି । ଏହା ପୂର୍ବରୁ କୋଲକାତାର ଅଲରାଉଣ୍ଡର ଭେଙ୍କଟେଶ ଆୟର ୨୩୪ ରନ କରି ଅରେଞ୍ଜ କ୍ୟାପ ରଖିଥିଲେ । ତେବେ ଗତକାଲି ମ୍ୟାଚ୍‌ରେ ଆୟରଙ୍କୁ ପଛରେ ପକାଇ ୨୫୯ ରନ ସହ ଅରେଞ୍ଜ କ୍ୟାପ ହାସଲ କରିଛନ୍ତି ଡୁପ୍ଲେସିସ । ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ଆୟର ରହିଥିବା ବେଳେ ୨୩୩ ରନ ସହ ତୃତୀୟରେ ଶିଖର ଧାୱନ ରହିଛନ୍ତି ।

IPL 2023: ପର୍ପଲ କ୍ୟାପ ପିନ୍ଧିଛନ୍ତି ଚହଲ
IPL 2023: ପର୍ପଲ କ୍ୟାପ ପିନ୍ଧିଛନ୍ତି ଚହଲ

ପର୍ପଲ କ୍ୟାପ ପିନ୍ଧିଛନ୍ତି ଚହଲ: ସେହିଭଳି ଚଳିତ ସଂସ୍କରଣରେ ପର୍ପଲ କ୍ୟାପ ରେସ ଦେଖିବାକୁ ଗଲେ ଏହା ୟୁଜବେନ୍ଦ୍ର ଚହଲଙ୍କ ଅକ୍ତିଆରରେ ରହିଛି । ସର୍ବାଧିକ ୱିକେଟ ହାସଲ କରିଥିବା ବୋଲରଙ୍କ ମଧ୍ୟରେ ଚହଲ, ମାର୍କ ଉଡ ଓ ରସିଦ ଖାନ ୧୧ଟି ଲେଖାଏଁ ୱିକେଟ ନେଇଛନ୍ତି । କିନ୍ତୁ ରନ ବ୍ୟୟ ହାର ଦୃଷ୍ଟିରୁ ଦେଖିବାକୁ ଗଲେ ଚହଲ ଅନ୍ୟ ବୋଲରଙ୍କ ଠାରୁ ଆଗରେ ରହିଛନ୍ତି । ଯେଉଁଥି ପାଇଁ ସେ ଏବେ ପ୍ରପଲ କ୍ୟାପର ଅଧିକାରୀ ରହିଛନ୍ତି ।

IPL 2023: ପଏଣ୍ଟ ଟେବୁଲ ରେସ
IPL 2023: ପଏଣ୍ଟ ଟେବୁଲ ରେସ

ପଏଣ୍ଟ ଟେବୁଲ ରେସ: ଅନ୍ୟପଟେ ଆଇପିଏଲ ୨୦୨୩ରେ ବର୍ତ୍ତମାନ ସୁଦ୍ଧା ପଏଣ୍ଟ ଟେବୁଲ ଉପରେ ନଜର ପକାଇଲେ ସୋମବାର ଖେଳାଯାଇଥିବା ମ୍ୟାଚ ଜିତିବା ପରେ ଚେନ୍ନାଇ ସୁପରକିଙ୍ଗସ ତୃତୀୟକୁ ଉନ୍ନୀତ ହୋଇଛି । ଚେନ୍ନାଇ ସମୁଦାୟ ୫ଟି ମ୍ୟାଚ୍‌ ଖେଳିଥିବା ବେଳେ ୩ଟି ବିଜୟ ସହିତ ୬ ପଏଣ୍ଟ ହାସଲ କରି ତୃତୀୟରେ ରହିଛି । ତେବେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ । ଏହି ଦୁଇ ଦଳଙ୍କ ବ୍ୟତୀତ ଅନ୍ୟ ସମସ୍ତ ଦଳ ୫ଟି ଲେଖାଏଁ ମ୍ୟାଚ୍‌ ଖେଳି ସାରିଛନ୍ତି । ରାଜସ୍ଥାନ ୫ଟି ମ୍ୟାଚ୍‌ରୁ ୪ ବିଜୟ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଅନ୍ୟ ଟିମ ମଧ୍ୟରେ ଲକ୍ଷ୍ନୌ, ଚେନ୍ନାଇ ଓ ଗୁଜରାଟ ୩ଟି ଲେଖାଏଁ ବିଜୟ ସହିତ ୬ ପଏଣ୍ଟ ରଖିଥିଲେ ମଧ୍ୟ ରନ ରେଟ ଆଧାରରେ ଲକ୍ଷ୍ନୌ ଦ୍ବିତୀୟରେ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ଏବେ ପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳିଥିବା ବେଳେ ସବୁ ଗୁଡ଼ିକ ହାରି ପଏଣ୍ଟ ଟେବୁଲର ସବୁଠାରୁ ଶେଷରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.